ଭୁବନେଶ୍ୱର, ୨୧/୦୧:  ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ  ଆଉ ମାତ୍ର ଅଢ଼େଇ ମାସ ବାକି ।  ବହୁ ବିଭାଗ ବଜେଟ ପାଣ୍ଠି ଖର୍ଚ୍ଚରେ ପଛୁଆ ଅଛନ୍ତି । ଏଥିପାଇଁ ବିଭାଗୀୟ  ମନ୍ତ୍ରୀମାନେ ଯତ୍ନବାନ ହୁଅନ୍ତୁ । ଆଗାମୀ  ବଜେଟ୍‌ ପୂର୍ବରୁ ଶତ ପ୍ରତିଶତ ବରାଦ  ପାଣ୍ଠି ଖର୍ଚ୍ଚ କରିବାକୁ ଉଦ୍ୟମ କରନ୍ତୁ ।  ରାଜ୍ୟ ମନ୍ତ୍ରିମଣ୍ଡଳର ସହଯୋଗୀମାନଙ୍କୁ  ଏମିତି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ । ଅଧିକ ଦାୟିତ୍ୱ  ଏବଂ ନିଷ୍ଠାର ସହ କାମ କରିବାକୁ  ମନ୍ତ୍ରୀମାନଙ୍କୁ କହିଛନ୍ତି । ସଚିବମାନଙ୍କୁ  ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚିରାଚରିତ ଢାଞ୍ଚା ଓ ଯୋଜନାରୁ ଆମକୁ  ବାହାରିବାକୁ ହେବ । ସଚିବମାନେ ନିଜ  ବିଭାଗରେ ଦୀର୍ଘମିଆଦି ଭିତ୍ତିରେ ନୂଆ  ଜନକଲ୍ୟାଣ ଯୋଜନା କାର୍ଯ୍ୟକାରୀ  କରିବାକୁ ଆନ୍ତରିକତା ଦେଖାନ୍ତୁ । 

ରାଜ୍ୟ ମନ୍ତ୍ରୀ ପରିଷଦର ଏକ  ବୈଠକ ସୋମବାର ଖାରବେଳ  ଭବନରେ ବସିଥିଲା । ମୁଖ୍ୟମନ୍ତ୍ରୀଙ୍କ  ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୦୨୪-୨୫ ବଜେଟରେ ବରାଦ ଅର୍ଥର  ବିନିଯୋଗ ନେଇ ସମୀକ୍ଷା ହୋଇଥିଲା ।  ଯେଉଁ ବିଭାଗ ଏ ଯାଏ କମ୍‌ ଖର୍ଚ୍ଚ  କରିଛନ୍ତି, ସେହିସବୁ ବିଭାଗ ଖର୍ଚ୍ଚକୁ  ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ  ଦେଇଛନ୍ତି । ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର  ଉନ୍ନତି, ସାମାଜିକ ସୁରକ୍ଷା, ପ୍ରଧାନମନ୍ତ୍ରୀ  ଆବାସ ଯୋଜନା, ଆୟୁଷ୍ମାନ ଭାରତ  ଯୋଜନା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ  କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ  ସମୀକ୍ଷା କରାଯାଇଥିଲା ।  

ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ  ବିଭାଗ ପକ୍ଷରୁ ରାସ୍ତା ଓ ସେତୁ  ନିର୍ମାଣର ଅଗ୍ରଗତି ସହ ଓଡ଼ିଶାରେ  ଜାତୀୟ ରାଜପଥର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରାଯାଇଥିଲା ।  କୃଷି ବିଭାଗ ତରଫରୁ ଶୀତଳଭଣ୍ଡାର  ଖୋଲିବା, ବିଦ୍ୟାଳୟ ଉନ୍ନତିକରଣ,  ଜଳସମ୍ପଦ ବିଭାଗ ପ୍ରକଳ୍ପ କାର୍ଯ୍ୟର  ଅଗ୍ରଗତି ସମ୍ପର୍କରେ ବିଶଦ ଆଲୋଚନା  ହୋଇଥିଲା । ସୁଭଦ୍ରା ଯୋଜନାରେ  ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ  ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ ସହ  ଆଗାମୀ ୨ୟ କିସ୍ତି ପ୍ରଦାନ ସମ୍ପର୍କିତ  ଆଲୋଚନା କରାଯାଇଥିଲା । ରାଜ୍ୟରେ  ପୁଲିସ ସେବା ସୁଦୃଢ଼ୀକରଣ ଉପରେ  ବୈଠକରେ ଗୁରୁତ୍ୱ ଦିଆଯାଇଛି ।  ଆସନ୍ତା ୨୨ରେ ରାଜ୍ୟ କ୍ୟାବିନେଟ୍‌ର  ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ  ଏ ବୈଠକରେ ଆଲୋଚନା ହେବ । 

ମୁଖ୍ୟମନ୍ତ୍ରୀ ସଚିବମାନଙ୍କୁ ନୂଆ  ନୂଆ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ  ଦେଇ କହିଲେ, ବହୁ ବିଭାଗ ଭଲ  କାମ କରିଛନ୍ତି । ମୋଟାମୋଟି ଭାବେ  କାର୍ଯ୍ୟ ଓ ଖର୍ଚ୍ଚ ଠିକ୍‌ ଚାଲିଛି । ଆଗାମୀ  ୨ ମାସ ମଧ୍ୟରେ ବଜେଟ ପୂର୍ବରୁ  ବିଭାଗଗୁଡ଼ିକ ଶତ ପ୍ରତିଶତ ଖର୍ଚ୍ଚ  ଲକ୍ଷ୍ୟ ହାସଲ ପ୍ରୟାସ କର । ବିକଶିତ  ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ପାଇଁ  ୩ ଲକ୍ଷ ୨୦ ହଜାର ପ୍ରସ୍ତାବ ଆସିଛି ।  ଆମେ ସେଥିରୁ ଭଲ ପ୍ରସ୍ତାବ ଗ୍ରହଣ  କରିପାରିବା । ଏହି ଅବସରରେ ଉତ୍କର୍ଷ  ଓଡ଼ିଶା ଆୟୋଜନ ଏବଂ ଓଡ଼ିଶାରେ  ପୁଞ୍ଜିନିବେଶ ପ୍ରତିଶ୍ରୁତି ସମ୍ପର୍କରେ  ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।  

ବୈଠକରେ ଉପମୁଖ୍ୟମନ୍ତ୍ରୀ  କନକବର୍ଦ୍ଧନ ସିଂହଦେଓ, ମନ୍ତ୍ରୀ ଗଣ,  ମୁଖ୍ୟ ଶାସନ ସଚିବଙ୍କ ସହ ଉନ୍ନୟନ  କମିଶନର, ବିଭିନ୍ନ ବିଭାଗର ଅତିରିକ୍ତ  ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ  ଅନ୍ୟ ସମସ୍ତ ବିଭାଗର ସଚିବମାନେ  ଉପସ୍ଥିତ ଥିଲେ ।