ପୁରୀ , ୨୮/୧୧ : ରଖେ ହରି ମାରେ କିଏ, ମାରେ ହରି ରଖେ କିଏ l ଯାହାର କେହି ନାହାନ୍ତି ତାର ମହାପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି । ସବୁଠି ନିରାଶ, ହତାଶ ହେବା ପରେ ଶେଷରେ ମହାପ୍ରଭୁଙ୍କ ଶରଣ ପଶେ ମଣିଷ । ପୁରୀରେ ଗତ ଏକ ମାସ ମଧ୍ୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି । କିଏ ନିଜ ସ୍ତ୍ରୀ ପାଇଁ ତ ଆଉ କିଏ ନିଜ ସ୍ବାମୀ ପାଇଁ , କେତେବେଳେ ଅଭାଗା ମା’ ଟିଏ ପୁଅ ପାଇଁ ତ ଆଉ କେତେବେଳେ ପୁଅ ପାଇଁ ବାପା ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ ହୋଇ ଭିକ୍ଷା ମାଗୁଛି ।
ଆଜି ପୁଣି ଥରେ ଏଭଳି ଭାବ ବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ । ଭଦ୍ରକ ଧୁଷୁରି ଅଞ୍ଚଳର ଭାଗିରଥି ହୋତା ଆଜି ଗୁଣ୍ଡିଚା ମନ୍ଦିରଠାରୁ ନଡ଼ିଆ ଧରି ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସାଙ୍ଗରେ ଥିଲେ ସ୍ତ୍ରୀ ଆରତୀ ହୋତା । ଭାଗିରଥି ଜଟିଳ ରକ୍ତ କର୍କଟ ରୋଗରେ ପୀଡିତ। ଭୁବନେଶ୍ୱର, କଟକ ସମେତ ବିଭିନ୍ନ ହସ୍ପିଟାଲରେ ସେ ଚିକିତ୍ସା କରାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ଏବେ ସୁଦ୍ଧା ୨୬ଟି କେମୋ ନେଇ ସାରିଲେଣି ଭାଗିରଥି । ଡାକ୍ତର କହିଛନ୍ତି, ବଞ୍ଚିବାର ସମ୍ଭାବନା ବହୁତ୍ କମ୍। କିନ୍ତୁ ଭାଗିରଥିଙ୍କ ମନୋବଳ ଭାଙ୍ଗି ନାହିଁ। ୨୬ଟି କେମୋ ନେବା ପରେ ମଧ୍ୟ ସେ ବଡ଼ଦାଣ୍ଡରେ ଦଣ୍ଡ ପ୍ରଣାମ କରି ଶରଣ ପଶିଛନ୍ତି ।
ବ୍ରାହ୍ମଣ ହୋଇ ସେ ଦୀର୍ଘ ବର୍ଷ ହେବ କୋଲକୋତା ଆଉ ଏବେ ଗାଁରେ ପୂଜକ ଭାବେ କାର୍ଯ୍ୟ କରୁଛନ୍ତି । ଦେବା ଦେବୀଙ୍କ ପୂଜା କରି ମଧ୍ୟ ଜଟିଳ ରକ୍ତ କର୍କଟ ରୋଗରେ ପୀଡ଼ିତ ହେବାରୁ ଶେଷରେ ସେହି କାଳିଆ ସାଆନ୍ତଙ୍କ ଶରଣ ପଶିଛନ୍ତି ଭାଗିରଥି । ମହାପ୍ରଭୁ ଶ୍ରୀଜଗନ୍ନାଥ ଚାହିଁଲେ ସେ ଭଲ ହେବେ ନଚେତ୍ ତାଙ୍କରି ପାଖରେ ତାଙ୍କ ଜୀବନ ଯାଉ ବୋଲି କହିଛନ୍ତି ଭାଗିରଥି ।