ନୂଆଦିଲ୍ଲୀ ୧୪/୦୪: ସ୍ପେନ୍ର ବୈଜ୍ଞାନିକମାନେ ସହଜ ଓ ଶସ୍ତା ଭ୍ରାମ୍ୟମାଣ ପରୀକ୍ଷଣ କିଟ୍ ବିକଶିତ କରିଛନ୍ତି, ଯାହା ୩ ଘଣ୍ଟା ମଧ୍ୟରେ କର୍କଟ ରୋଗ ଚିହ୍ନଟ କରିପାରିବ । ବାର୍ସିଲୋନାର ସେଣ୍ଟର୍ ଫର୍ ଜିନୋମିକ୍ ରେଗୁଲେସନ୍ର ଟିମ୍ ଏହି କୌଶଳ ବିକଶିତ କରିଛନ୍ତି । ରିବୋନ୍ୟୁକ୍ଲିକ୍ ଏସିଡ୍ (ଆର୍ଏନ୍ଏ)ର ବିଶ୍ଳେଷଣ ପାଇଁ ଏହା ନାନୋଟେକ୍ନୋଲୋଜି ପ୍ରୟୋଗ କରେ ।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପକରଣ ସହିତ ଜଡ଼ିତ ଏହି କୌଶଳ ଯନ୍ତ୍ରଣା ବିନା ଅସ୍ୱାଭାବିକତାଗୁଡ଼ିକୁ ଚିହ୍ନଟ କରେ ଏବଂ ନିର୍ଦ୍ଦିଷ୍ଟ କର୍କଟର ଉପସ୍ଥିତି ବିଷୟରେ ଇଙ୍ଗିତ କରେ । ଅଧ୍ୟୟନର ବରିଷ୍ଠ ଲେଖକ ତଥା ଉକ୍ତ ପ୍ରତିଷ୍ଠାନର ଗବେଷକ ଡା. ଇଭା ନୋଭୋଆ କହିଛନ୍ତି, ଏହି ଟେକ୍ନୋଲୋଜିର ଅଧିକ ବିକାଶ ଏବଂ ୩ ଘଣ୍ଟାରୁ କମ୍ ସମୟରେ ବ୍ୟକ୍ତିଙ୍କ ନମୁନାରେ ସମସ୍ୟା ଚିହ୍ନଟ ଲାଗି ଏହାକୁ କୃତ୍ରିମ ବୁଦ୍ଧିମତା ସହିତ ସଂଯୁକ୍ତ କରିବା ଆମର ଲକ୍ଷ୍ୟ । ଏହି ଟେକ୍ନୋଲୋଜିରେ ଏକ ବୈଦ୍ୟୁତିକ ପ୍ରବାହରେ ମାପିବାଯୋଗ୍ୟ ପରିବର୍ତ୍ତନ ପାଇଁ ଦାୟୀ ଏକ ଝିଲ୍ଲୀର ସୂକ୍ଷ୍ମ କଣା ଜରିଆରେ ଆର୍ଏନ୍ଏ କଣିକାଗୁଡ଼ିକ ଗତି କରିଥାଏ । ସରଳ ପ୍ରକ୍ରିୟା ଯୋଗୁ ଏହା ବିଶ୍ୱର ଅନ୍ୟତମ ସବୁଠୁ ଅଗ୍ରଣି ରୋଗ ଚିହ୍ନଟକାରୀ ହୋଇପାରେ ବୋଲି ସେ କହିଛନ୍ତି ।
ଏହି କୌଶଳ ପାଇଁ ଆବଶ୍ୟକ ସୂକ୍ଷ୍ମ କଣାଗୁଡ଼ିକର ସିକ୍ୱେନ୍ସିଂ ମେସିନ୍ ମଧ୍ୟ ଛୋଟ, ହାଲୁକା । ଲାପ୍ଟପ୍ କିମ୍ବା ପୋର୍ଟେବଲ୍ ବ୍ୟାଟେରୀ ଜରିଆରେ ତାହା ଚାର୍ଜ ହୋଇପାରେ । ଦୂର ସ୍ଥାନକୁ ମଧ୍ୟ ଏହାକୁ ସହଜରେ ନେଇହେବ । ଚିକିତ୍ସାଳୟ ଆଦିରେ ଏହାକୁ ସହଜରେ ବ୍ୟବହାର କରାଯାଇପାରିବ । ଏହା ଅତ୍ୟନ୍ତ ଶସ୍ତା ଟେକ୍ନୋଲୋଜି ବୋଲି ନୋଭୋଆ କହିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ଏହି କୌଶଳ କେବଳ କର୍କଟର ଉପସ୍ଥିତି ଚିହ୍ନଟ କରିବ ତାହା ନୁହେଁ, ବରଂ ରୋଗ କେତେ ବଢ଼ିଛି, ତାହା ଜାଣିବା ପାଇଁ ବାୟସ୍ପି ମଧ୍ୟ ଆବଶ୍ୟକ ହେବ ନାହିଁ । ଅଦ୍ୟାବଧି ବୈଜ୍ଞାନିକମାନେ ଏହି କୌଶଳ ଜରିଆରେ ଲିମ୍ଫୋମା, ସ୍ତନ ଓ ବାୱେଲ କ୍ୟାନ୍ସର ଚିହ୍ନଟ କରିଛନ୍ତି । କିନ୍ତୁ ଅନ୍ୟ ରୋଗ ଚିହ୍ନଟରେ ମଧ୍ୟ ଏହାକୁ ପ୍ରୟୋଗ କରାଯାଇପାରିବ ବୋଲି ଅଧ୍ୟୟନ ପ୍ରକାଶ କରିଛି।