ସରକାରୀ ଦରମାରେ ଘରୋଇ ସଂସ୍ଥା ପାଇଁ ଡାୟଲିସିସ୍: ଅଦୃଶ୍ୟ ଚାପରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ

ଭୁବନେଶ୍ୱର,୩ ।୨(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲ ଡାୟାଲିସିସ୍ ପାଇଁ ମାନବ ସମ୍ବଳ ଦେବ ବୋଲି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଥିଲା ‘ରାହି କେୟାର’ । ହେଲେ ମାନବସମ୍ବଳ ଦେବ କ’ଣ ଓଲଟା ହସ୍ପିଟାଲରେ ଥିବା ସରକାରୀ ଡାକ୍ତରଙ୍କୁ ନେଇ ଡାୟଲିସିସ୍ କରୁଛି । ଏ ନେଇ ଖବର ପ୍ରକାଶ ପାଇବା ପରେ ବି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ‘ରାହି କେୟାର’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦମ୍ ପାଉନି । ଏମିତି ଯେଉଁ ୨ ଜଣ ଡାକ୍ତର ଘରୋଇ ସଂସ୍ଥା ପାଇଁ କାମ କରୁଥିଲେ । ଏବେ ବି ଆଗଭଳି ଡ୍ୟୁଟି କରୁଛନ୍ତି ।
ଏମ୍ଓୟୁ ଅନୁସାରେ, ସରକାର ପିପିପି ମୋଡ୍ରେ ‘ସହାୟ’ ଯୋଜନାରେ ଯେଉଁ ଡାୟଲିସିସ୍ ହେଉଛି, ତା’ର ପରିଚାଳନା ଦାୟିତ୍ୱ ‘ରାହି କେୟାର’ କରିବା କଥା । ମାନବସମ୍ବଳଠୁ ଆରମ୍ଭ କରି ସବୁ ଖର୍ଚ୍ଚ ଘରୋଇ ସଂସ୍ଥା କରିବ ବୋଲି ବୁଝାମଣାପତ୍ରରେ ମଧ୍ୟ ସ୍ୱାକ୍ଷର କରିଛି । ହେଲେ ସବୁ ସର୍ତ୍ତକୁ ଖିଲାପ କରି ସଂସ୍ଥା ଆବଶ୍ୟକ ମାନବସମ୍ବଳ ନିଯୁକ୍ତ ଦେଇନି । ସଂସ୍ଥା କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ନେଇ ଡାୟଲିସିସ୍ କାମରେ ଲଗାଇଛି । ଘରୋଇ ସଂସ୍ଥା ପାଇଁ କାମ କରିବାରୁ ରୋକିବାର କ୍ଷମତା ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ।
କ୍ୟାପିଟାଲ ହସ୍ପିଟାଲର ଡାକ୍ତର ପ୍ରତାପ କୁମାର ଦାସ ସବୁଦିନ ଡାୟଲେସିସ୍ ୟୁନିଟ୍ରେ ବସୁଛନ୍ତି । ତାଙ୍କର ନିଯୁକ୍ତି ମେଡିସିନ୍ ବିଭାଗରେ ହୋଇଥିଲା । ସ୍ପେସିଆଲିଷ୍ଟ ସହ ସେ ନେଫ୍ରୋଲୋଜିର ସ୍ୱତନ୍ତ୍ର ତାଲିମ ନେଇଛନ୍ତି । ତାଙ୍କର ନିଯୁକ୍ତି ହସ୍ପିଟାଲର ଆଇସିୟୁ ପାଇଁ ହୋଇଛି । ତେବେ ହସ୍ପିଟାଲ ନିର୍ଦ୍ଦେଶକ ତାଙ୍କୁ ମେଡିସିନ୍ ଓପିଡିରେ ଡ୍ୟୁଟି କରିବାକୁ ଲିଖିତ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର ଦାସ ମେଡିସିନ୍ ୱାର୍ଡକୁ ନଯାଇ ଏବେ ଡାୟଲିସିସ୍ ୟୁନିଟ୍ରେ ଡ୍ୟୁଟି କରୁଛନ୍ତି । ସରକାରୀ ଡ୍ୟୁଟି କରି ଘରୋଇ ସଂସ୍ଥାର ଦାୟିତ୍ୱରେ ଥିବା କାମକୁ କରୁଛନ୍ତି ଡା.ଦାସ ।
ଆଉ ଜଣେ ଡାକ୍ତର ବି ବି ରାଉତରାୟ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ପାଇଁ ଡେପୁଟେସନ୍ରେ ଆସିଛନ୍ତି । ନେଫ୍ରୋଲୋଜିର ସ୍ୱତନ୍ତ୍ର ତାଲିମ ନେଇଥିବାରୁ ସେ ମଧ୍ୟ ଡାୟଲିସିସ୍ ୟୁନିଟ୍ରେ ବସୁଛନ୍ତି । ଦୁଇ ଡାକ୍ତର ବର୍ଷକ ମଧ୍ୟରେ ସରକାରୀ କାମ ନକରି ପାଖାପାଖି ୧୨ ଲକ୍ଷ ଟଙ୍କା ଦରମା ନେଲେଣି ।
ସରକାର ମାନବସମ୍ବଳ ପାଇଁ ‘ରାହି କେୟାର’କୁ ଟଙ୍କା ଦେଉଥିବା ବେଳେ ଏ ପଟେ ଦୁଇ ଡାକ୍ତର ସରକାରୀ ତହବିଲ୍ରୁ ମଧ୍ୟ ଦରମା ପାଉଛନ୍ତି । ତେବେ ସରକାର ପିପିପି ନାମରେ ଯୋଜନା କରି ମେସିନ୍ ଆଉ ମାନବସମ୍ବଳ ଯୋଗାଉଥିବାରୁ ପିପିପିର ମାନେ ଆଉ କ’ଣ ରହିଲା? ଖୋଦ୍ ସରକାରୀ ହସ୍ପିଟାଲ ଭିତରେ ଦୁଇ ଡାକ୍ତର ଘରୋଇ ସଂସ୍ଥା ପାଇଁ କାମ କରୁଥିବା ବେଳେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି? ଦୁଇ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନନେବାକୁ କେଉଁ ଅଦୃଶ୍ୟ ଚାପ କାମ କରୁଛି? ଏ ସବୁକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।
ଏ ନେଇ ହସ୍ପିଟାଲ ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଅଶୋକ ପଟ୍ଟନାୟକ କହିଛନ୍ତି, ସେ ଏବେ ବାହାରେ ରହିଛନ୍ତି । ଆସିଲେ ଏ ନେଇ ପଦକ୍ଷେପ ନେବେ ବୋଲି କହିଛନ୍ତି । ତେବେ ହସ୍ପିଟାଲର ଦୁଇ ଜଣ ଡାକ୍ତର ରାହି କେୟାରରେ କାମ କରୁଥିବା କଥା ସେ ଜାଣିଥିବା ଡାକ୍ତର ପଟ୍ଟନାୟକ ସ୍ୱୀକାର କରିଛନ୍ତି ।