ଭୁବନେଶ୍ୱର,୧୯/୧୧: ଏଣିକି କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ଆସି ଆଉ ଫେରିକି ଯିବେନି । କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମ୍ଇଆରରେ ଓପିଡି ସମୟରେ ପରିବର୍ତ୍ତନ ହୋଇଛି । ଡିସେମ୍ବର ୧ରୁ ଦୈନିକ ନିରବଚ୍ଛିନ୍ନ ୬ ଘଣ୍ଟା ପାଇଁ ବହିର୍ବିଭାଗ (ଓପିଡି) ସେବା ମିଳିବ । ଓପିଡି ସକାଳ ୯ଟାରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଖୋଲା ରହିବ । କେବଳ ଦିନ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଲଞ୍ଚ ବ୍ରେକ ରହିବ । ଏହାବ୍ୟତୀତ ଜରୁରୀକଳୀନ ସେବା ସନ୍ଧ୍ୟା ୫ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ଜାରି ରହିବ । ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।
ପୂର୍ବରୁ ଓପିଡି ସକାଳ ୮ରୁ ୧୨ ଏବଂ ସନ୍ଧ୍ୟା ୪ରୁ ୬ଟା ପର୍ଯ୍ୟନ୍ତ ଖୋଲୁଥିଲା । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ଲୋକଙ୍କୁ ଗୁଣାତ୍ମକ ଓ ଅତ୍ୟାଧୁନିକ ସେବା ଯୋଗାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି । ନ୍ୟାସନାଲ ମେଡିକାଲ କାଉନ୍ସିଲ୍ (ଏନ୍ଏମ୍ସି) ପିଜିଆଇଏମ୍ଇଆରରେ ୨୦୨୨-୨୩ ଶିକ୍ଷା ବର୍ଷରେ ୨୪ଟି ପିଜି ସିଟ୍ରେ ୬ଟି ବିଭାଗରେ ନାମ ଲେଖିବା ପାଇଁ ଅନୁମତି ଦେଇଛନ୍ତି । ସର୍ଜରୀ, ମେଡିସିନ୍, ସ୍ତ୍ରୀ ରୋଗ ଓ ପ୍ରସୂତି, ଛାତି ରୋଗ, ଅସ୍ଥିଶଲ୍ୟ ଓ ଶିଶୁ ବିଭାଗରେ ପିଜି ଖୋଲିଛି । ବର୍ତ୍ତମାନ ଏହି ୨୪ ସିଟ୍ରେ ନାମଲେଖା ପ୍ରକ୍ରିୟା ଜାରି ରହିଛି ।