ନୂଆଦିଲ୍ଲୀ: ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ପାଇଁ ଦଳ ଘୋଷଣା କରିଛି ବିସିସିଆଇ । ଏହି ତିନି ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ ପାଇଁ ବିସିସିଆଇ ଏକ ବଡ଼ ପରିବର୍ତ୍ତନ କରିଛି । ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ଟେଷ୍ଟ ଅଧିନାୟକ ଶୁଭମନ ଗିଲଙ୍କୁ ଦାୟିତ୍ବ ଦିଆଯାଇଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ପ୍ରଥମ ଥର ପାଇଁ ଭାରତୀୟ ଦଳ ପାଇଁ ଖେଳିବେ। ଉଭୟ ଖେଳାଳିଙ୍କୁ ଦିନିକିଆ ଦଳ ପାଇଁ ଚୟନ କରାଯାଇଛି ।
ରୋହିତ ଶର୍ମା ଆଉ ଭାରତୀୟ ଦଳର ନେତୃତ୍ୱ ନେଉଥିବାର ଦେଖାଯିବେ ନାହିଁ। ତାଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି। ଯଦି ରୋହିତ ଶର୍ମା ୨୦୨୭ ଦିନିକିଆ ବିଶ୍ୱକପରେ ଭାରତ ପାଇଁ ଖେଳିବାକୁ ଚାହାଁନ୍ତି, ତେବେ ତାଙ୍କୁ ସ୍ଥିର ପ୍ରଦର୍ଶନ କରିବାକୁ ପଡିବ। ନଚେତ୍, ତାଙ୍କୁ ଦଳରୁ ବାହାର କରାଯାଇପାରେ। ଅଧିନାୟକ ଭାବରେ ଭାରତ ପାଇଁ ଓଡିଆଇ ବିଶ୍ୱକପ୍ ଜିତିବାର ରୋହିତ ଶର୍ମାଙ୍କ ସ୍ୱପ୍ନ ଅଧୁରା ରହିବ । ଏହି ସ୍ୱପ୍ନ ଆଉ ସାକାର ହୋଇନପାରେ ।
ରୋହିତଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ୨୦୨୩ ଓଡିଆଇ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆ ଲଗାତାର ୧୦ଟି ମ୍ୟାଚ୍ ଜିତିବା ପରେ ଫାଇନାଲକୁ ଯାଇଥିଲା। କିନ୍ତୁ ୧୯ ନଭେମ୍ବର, ୨୦୨୩ରେ ଅହମ୍ମଦାବାଦ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ୍ ହାରି ଯାଇଥିଲା ରୋହିତ ବାହିନୀ । ରୋହିତ ଶର୍ମା ଏବଂ ଲକ୍ଷ ଲକ୍ଷ ଭାରତୀୟ ପ୍ରଶଂସକଙ୍କ ବିଶ୍ୱକପ୍ ସ୍ୱପ୍ନ ଧୂଳିସାତ ହୋଇଯାଇଥିଲା ।
ଦିନିକିଆ ସିରିଜ୍ ଲାଗି ଭାରତୀୟ ଦଳ - ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), ଅକ୍ଷର ପଟେଲ, କେ.ଏଲ୍ ରାହୁଲ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କୃଷ୍ଣା, ଧ୍ରୁବ ଜୁରେଲ, ଯଶସ୍ବୀ ଜୟସ୍ବାଲ ।