ମଦ୍ୟପ କାର୍ ଚାଳକଙ୍କ ବେପରୁଆ ଚାଳନା: ତିନି ଗାଡି଼କୁ ପିଟିଲେ, ୪ ଆହତ

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ସଚିବାଳୟ ମାର୍ଗରେ ଆଜି ସନ୍ଧ୍ୟାରେ ଜଣେ ମଦ୍ୟପ କାର୍ ଚାଳକଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ବେପରୁଆ କାର୍ ଚଳାଇ ୩ଟି ଗାଡ଼ିକୁ ଲଗାତର ପିଟିଥିଲେ । ଶେଷରେ ଭାରସାମ୍ୟ ହରାଇ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୪ଜଣ ଆହତ ହୋଇଥିବା ବେଳେ ୨ଟି କାର୍ ଓ ଏକ ବାଇକ୍ ଭାଙ୍ଗିରୁଜି ଯାଇଛି । ପୁଲିସ ପହଞ୍ଚିଲା ବେଳକୁ କାର୍ ଚାଳକ ଲୋକଙ୍କୁ ନାଲିଆଖି ଦେଖାଇ ସେଠାରୁ ଚମ୍ପଟ ମାରିଥିଲେ । ତେବେ କାର୍ ଚାଳକଙ୍କ ସହଯୋଗୀ ଶେଷଦେବ ଜେନା ନାମକ ବ୍ୟକ୍ତିଙ୍କୁ ପୁଲିସ ଧରି ପଚରାଉଚରା ଚଳାଇଛି । ଆହତ ୪ଜଣଙ୍କୁ ପୁଲିସ୍ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ।
ପୁଲିସ ସୂଚନା ମୁତାବକ, ସମୟ ରାତି ସାଢ଼େ ୮ଟା ହେବ । ଏଜି ଛକ ଟ୍ରାଫିକ୍ରୁ ଏକ ଧଳା ରଙ୍ଗର କାର୍ (ଓଆର୦୨ଭି ୩୫୬୫) ଦ୍ରୁତଗତିରେ ସଚିବାଳୟ ମାର୍ଗ ଆଡେ ମାଡ଼ି ଚାଲିଥିଲା । କାର୍ ଚାଳକ ଜଣକ ପ୍ରଚୁର ମଦ୍ୟପାନ କରିଥିଲେ । ପାଖରେ ବସିଥିବା ସାଙ୍ଗ ମଧ୍ୟ ପିଇଥିଲେ । ଉକ୍ତ କାର୍ ସାମ୍ନାରେ ଯେଉଁ ଗାଡ଼ି ପଡିଲା, ତାକୁ ଧକ୍କା ଦେଉଥିଲା । ଏମିତି ଭାବେ ୨ଟି କାର ଓ ଗୋଟିଏ ବାଇକ୍ (ଓଆର୦୨ଏଏମ୍ ୨୫୦୨)କୁ ପିଟିଥିଲା । ଶେଷରେ ଭାରସାମ୍ୟ ହରାଇ ସଚିବାଳୟ ଗେଟ୍-୩ ସାମ୍ନା ବାଉଁଶ ବ୍ୟାରିକେଡରେ କାର୍ ପିଟି ହୋଇ ଅଟକି ଯାଇଥିଲା ।
ସ୍ଥାନୀୟ ଲୋକ ଓ ପଥଚାରୀ କାରକୁ ଘେରି ଯାଇଥିଲେ । ହେଲେ ମଦ୍ୟପ ଚାଳକ ଓ ତାଙ୍କ ସହଯୋଗୀ ଲୋକଙ୍କୁ ଓଲଟି ଗାଳି କରିଥିଲେ । ଧକ୍କା ହୋଇଥିବା ଅନ୍ୟ ଗାଡ଼ି ଚାଳକଙ୍କୁ ଧମକାଇ ଥିଲେ । ଉକ୍ତ ରାସ୍ତାରେ କିଛି ସମୟ ପାଇଁ ଟ୍ରାଫିକ ଜାମ୍ ଦେଖା ଦେଇଥିଲା । ପୁଲିସ ପହଞ୍ଚିବା ଦେଖି କାର୍ ଚାଳକ ଆଇଜି ପାର୍କ ପାଚେରିକୁ ଡେଇଁ ଖସି ପଳାଇଥିଲେ । ପୁଲିସ ରାସ୍ତା ମଝିରେ ପଡ଼ିଥିବା ଗାଡ଼ିଗୁଡ଼ିକୁ କ୍ରେନ୍ ଯୋଗେ ଥାନାକୁ ନେଇ ତଦନ୍ତ ଚଳାଇଛି ।