ରାଜଧାନୀରେ ମାତିଛନ୍ତି ଲୁଟେରା; ବନ୍ଧୁକ ଦେଖାଇ କାର୍ ଲୁଟିଲେ, ୩ ଦିନରେ ୩ କାର୍ ଲୁଟ୍

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି କାର୍ ଲୁଟେରା । ପୁଣି ଜଣେ ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍ ଲୁଟି ନେଇଛନ୍ତି । ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି । ପୁଲିସ ସନ୍ଦେହରେ ଗାଡ଼ି ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଗତ ୩ ଦିନ ଭିତରେ ରାଜଧାନୀରୁ ୩ଟି କାର୍ ଲୁଟ୍ ହେଲାଣି । କମିଶନରେଟ୍ ପୁଲିସ କୌଣସି ଗୋଟିଏ ଘଟଣାରେ କାର୍ ଜବତ କରିନାହିଁ ।
ମିଳିଥିବା ଅଭିଯୋଗ ଅନୁଯାୟୀ, ସୋମବାର ଜଣେ କାର୍ ଚାଳକ କଟକ ଲିଙ୍କ ରୋଡ୍ରେ ଚକାରେ ପମ୍ପ ଦେଉଥିଲେ । ଏହି ସମୟରେ ଜଣେ ଯୁବକ ଆସି ତାଙ୍କୁ ପାହାଳ ଭଡ଼ାରେ ଯିବାକୁ କହିଥିଲା । ଚାଳକ ରାଜି ହୋଇ ତାଙ୍କୁ କାର୍ରେ ବସାଇଥିଲେ । ସେ ପାହାଳ ଅଡି ସୋ-ରୁମ୍ ନିକଟକୁ ଯିବାକୁ କହିଥିଲେ । ଚାଳକ ତାଙ୍କୁ ବସାଇ ଆଣୁଥିବା ବେଳେ ପାହାଳ ଛକ ନିକଟରେ ପଛପଟୁ ଜଣେ ଏକ ବାଇକ୍ରେ ଆସି କାର୍ ଆଗରେ ରଖି ଦେଇଥିଲେ । ଚାଳକ କିଛି ବୁଝିବା ପୂର୍ବରୁ ବାଇକ୍ରେ ଆସିଥିବା ଦୁଇ ଯୁବକ ଓ କାର୍ରେ ବସି ବସିଥିବା ଯୁବକ ମିଶି ଚାଳକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର୍ ଚାବି ଛଡ଼ାଇଥିଲେ । ଲୁଟେରା ଗାଡ଼ି ନେଇ ପଳାଇବା ଦେଖି ଚାଳକ ମାଲିକଙ୍କୁ ଫୋନ୍ କରି ଜଣାଇଥିଲେ । କାର୍ ମାଲିକ ସଙ୍ଗେ ସଙ୍ଗେ ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ ।
ପିସିଆର ପୁଲିସ ଓ ବାଲିଅନ୍ତା ଥାନା ପୁଲିସ ପାହାଳ ଅଡି ସୋ-ରୁମ୍ ନିକଟରେ ପହଞ୍ଚିଥିଲେ । ଚାଳକଙ୍କ ମୋବାଇଲ୍ ନମ୍ବରକୁ ଯୋଗାଯୋଗ କରିବାରୁ ସେ ଅଡି ସୋ-ରୁମ୍ ନିକଟରେ ଛିଡ଼ା ହୋଇଥିବା କହିଥିଲେ । କିନ୍ତୁ ପୁଲିସ ଗାଡ଼ି ସେଠାରେ ଥୁଆ ହୋଇଥିଲେ ମଧ୍ୟ ପାଖକୁ ଆସୁ ନଥିଲେ । ୫ ମିନିଟ୍ ଭିତରେ ଲୁଟ୍ ହୋଇଥିବା କାର୍ ନଖରାପଟୁ ଦ୍ରୁତ ଗତିରେ ଆସି ପୁଲିସ ଗାଡ଼ିକୁ ଅତିକ୍ରମ କରି ଭୁବନେଶ୍ୱର ଆଡ଼େ ପଳାଇଥିଲା । ପୁଲିସ ଲୁଟ୍ କାର୍ର ପିଛା କରିଥିଲେ ମଧ୍ୟ ପତ୍ତା ପାଇ ନଥିଲେ । କିଛି ସମୟ ପରେ ଚାଳକ ଜଣଙ୍କ ଅଡି ସୋ-ରୁମ୍ ସମ୍ମୁଖକୁ ଆସିଥିଲେ । ପୁଲିସ କାର୍ ଚାଳକଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ଏତେ ସମୟ ପର୍ଯ୍ୟନ୍ତ ପୁଲିସ ଗାଡ଼ିକୁ ଦେଖି କାହିଁକି ଆସିଲେନି ବୋଲି ପୁଲିସ ଚାଳକଙ୍କ ଉପରେ ସନ୍ଦେହ କରି ପଚରାଉଚରା ଚଳାଇଛି । ତଦନ୍ତରେ ବ୍ୟାଘାତ ଆଶଙ୍କାରେ ପୁଲିସ ଚାଳକ କିମ୍ବା ମାଲିକଙ୍କ ବିଷୟରେ କିଛି କହୁନାହିଁ ।
ସୂଚନା ଥାଉକି, ରବିବାର ରାତିରେ ଖଣ୍ଡଗିରି ଥାନା ଜୟଦେବ ବାଟିକା ଛକରୁ ଅନୁରୂପ ଭାବେ ଏକ କାର୍ ଲୁଟ୍ ହୋଇଥିଲା । ଅନୁଗୁଳ ପାଲଲହଡ଼ାର ଦିଲ୍ଲୀପ କୁମାର ଦେହୁରୀ ଖଣ୍ଡଗିରି ଘାଟିକିଆ ଅଞ୍ଚଳରେ ରହି କାର୍ ଚାଳକ ଭାବେ କାମ କରୁଥିଲେ । ରବିବାର ରାତି ସାଢ଼େ ୧୦ଟାବେଳେ ସେ ଏକ ଇନୋଭା କାର୍ ନେଇ ଜୟଦେବ ବାଟିକା ଦେଇ ଘାଟିକିଆ ଅଭିମୁଖେ ଯାଉଥିଲେ । ୩ ଯୁବକ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ବାନ୍ଧି ପକାଇଥିଲେ । କାର ପଛରେ ତାଙ୍କୁ ବସାଇ କଟକ ଆଡ଼େ ଯାଉଥିଲେ । ଫୁଲନଖରା ନିକଟରେ ଲୁଟେରାମାନେ ପରିଶ୍ରା କରୁଥିବା ବେଳେ କୌଶଳ କରି ଦିଲ୍ଲୀପ ଖସି ଆସିଥିଲେ । କିନ୍ତୁ ଲୁଟେରାମାନେ କାର୍ ନେଇ ଚମ୍ପଟ ମାରିଥିଲେ । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କାର୍ର ପତ୍ତା ପାଇନାହିଁ ।
ସେହିପରି ଲୁଟେରାମାନେ ଶୁକ୍ରବାର ରାତିରେ ନୂଆପଲ୍ଲୀରୁ ଜଣେ ବ୍ୟବସାୟୀଙ୍କୁ କାର୍ ସହ ଅପହରଣ କରି ନେଉଥିଲେ । ଆର୍ଟିଓ କର୍ମଚାରୀମାନେ ଗାଡ଼ି ମୋଟର ଯାଞ୍ଚ କରୁଥିବା ଦେଖି ଲୁଟେରାମାନେ କାର୍ ଛାଡ଼ି ପଳାଇଥିଲେ ।