ମାଲକାନଗିରି, ୩୧/୮(ଆପ୍ର ) ; ମାଲକାନଗିରି ପୁଲିସ ପାଟ୍ରୋଲିଂ ବେଳେ ଏକ କାରରୁ ୧୦୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁ୍କ୍ତମାନେ ହେଲେ ଛତିଶଗଡ଼ ଦୁର୍ଗ ଅଞ୍ଚଳର ଲାଲା ଯାଦବ (୧୯), ସୁକୁମା ଅଞ୍ଚଳର ଗୋଲକ ବିଶ୍ୱାସ (୩୩), ବିହାର ଅଞ୍ଚଳର ଲାଲାଜି ରାଜଭର(୨୬)।
ଶନିବାର ସନ୍ଧ୍ୟାରେ ମାଲକାନଗିରି ଥାନା ସବଇନ୍ସପ୍ଟେର ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଚମ୍ପାଖାରୀ ପୁଲିସ ଚେକ ପୋଷ୍ଟ ନିକଟରେ ପାଟ୍ରୋଲିଂ କରୁଥିଲେ। ସେହି ରାସ୍ତାରେ ଏକ କାର ଦ୍ରୁତଗତିରେ ଯାଉଥିବାର ଦେଖି ଅଟକାଇ ଯାଞ୍ଚ କରିବାରୁ କାର ମଧ୍ୟରୁ ୪ଟି ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖିଥିଲେ। କାର ସହ ଗଞ୍ଜେଇ ଜବତ କରିବା ସହ ଦୁର୍ଗ ଅଞ୍ଚଳର ଲାଲା ଯାଦବ (୧୯), ସୁକୁମା ଅଞ୍ଚଳର ଗୋଲକ ବିଶ୍ୱାସ (୩୩), ବିହାର ଅଞ୍ଚଳର ଲାଲାଜି ରାଜଭର(୨୬)ଙ୍କୁ ଗିରଫ କରିଥିଲେ। ଏହି ତିନିଜଣ ଯୁବକ ମାଲକାନଗିରିରୁ ଗଞ୍ଜେଇ କ୍ରୟ କରି ଛତିଶଗଡ଼ ଦୁର୍ଗ ଅଞ୍ଚଳର ଜଣେ ପଣ୍ଡିତଙ୍କୁ ଗଞ୍ଜେଇ ବିକ୍ରୀ କରିବା ନିମନ୍ତେ ନେଉଥିଲେ। ପୁଲିସ ସେମାନଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ, କାର,୩ଟି ମୋବାଇଲ ଫୋନ ନଗଦ ୭ହଜାର ଟଙ୍କା ଜବତ କରିଛି। ମାଜିଷ୍ଟ୍ରେଟ ସହକାରି ଜିଲ୍ଲାପାଳ ଅଜୟ ମାଣ୍ଡାଙ୍ଗୀଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା।ଗିରଫ ହୋଇଥିବା ଯୁବକଙ୍କ ସୂଚନା ଅନୁଯାଇ ଗଞ୍ଜେଇ ବିକ୍ରୀ ଓ ଚାଲାଣ ରେ ସହଯୋଗ କରିଥିବା ଅନ୍ୟ ତିନିଜଣଙ୍କୁ ପୁଲିସ ଖୋଜୁଛି। ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।