ସ୍ପେନ୍ର ଟେନିସ୍ ଖେଳାଳି କାର୍ଲୋସ ଆଲକାରାଜ୍ ଅଷ୍ଟ୍ରେଲିଆନ୍ ଓପନ୍ ଜିତି ରଚିଲେ ଇତିହାସ। ସେ ନିଜ କ୍ୟାରିୟରରେ ପ୍ରଥମ ଥର ଅଷ୍ଟ୍ରେଲିଆନ୍ ଓପନ୍ର ଟାଇଟଲ ଜିତିଛନ୍ତି। ୨୨ ବର୍ଷୀୟ ଆଲକାରାଜ୍ ପୁରୁଷ ସିଙ୍ଗିଲ୍ସ ଫାଇନାଲରେ ସର୍ବିଆର ଅନୁଭବୀ ଖେଳାଳି ନୋଭାକ୍ ଜୋକୋଭିଚଙ୍କୁ ୨-୬,୬-୨,୬-୨,୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ଆଲକାରାଜ ଦୁଇ ଥର ଫ୍ରେଞ୍ଚ ଓପନ୍ ଓ ଦୁଇଥର ଓ୍ବିମ୍ବିଲଡନ୍ ଜିତିଛନ୍ତି। ବିଶ୍ବର ନମ୍ବର-୧ ଆଲକାରାଜ୍ ଶୁକ୍ରବାର ପାଞ୍ଚ ସେଟ୍ ରୋମାଞ୍ଚକର ସେମିଫାଇନାଲରେ ଆଲେକଜାଣ୍ଡର ଜ୍ବେରେଭଙ୍କୁ ହରାଇ ପ୍ରଥମ ଥର ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ସ୍ଥାନ ପକ୍କା କରିଥିଲେ।

ସବୁଠାରୁ କମ୍ ବୟସ୍କ ଖେଳାଳି

ଏହା ଆଲକାରାଜଙ୍କ ସପ୍ତମ ଗ୍ଲାଣ୍ଡସ୍ଲାମ୍ ଟାଇଟଲ। ସେ ପ୍ରଥମ ଥର ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଇତିହାସ ରଚିଛନ୍ତି। ଏହା ସହିତ, ସେ କ୍ୟାରିୟର ସ୍ଲାମ୍ ହାସଲ କରିବାରେ ଇତିହାସର ସବୁଠାରୁ କମ୍ ବୟସ୍କ ଖେଳାଳି ଭାବରେ ଇତିହାସ ରଚିଛନ୍ତି। ଆଲକାରାଜ ଡନ୍ ବଜ୍ଙ୍କ ୮୮ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି, ଯିଏ ୨୨ ବର୍ଷ ୩୬୩ ଦିନ ବୟସରେ କ୍ୟାରିୟର ସ୍ଲାମ ଟାଇଟଲ ହାସଲ କରିଥିଲେ। ଆଲକାରାଜ ୨୨ ବର୍ଷ ୨୭୨ ଦିନ ବୟସରେ ଏହି ସଫଳତା ହାସଲ କରିଛନ୍ତି। ଆଲକାରାଜଙ୍କ ପୂର୍ବରୁ ଡନ୍ ବଗ୍,ରଡ ଲେଭର,ରୟ ଏମର୍ସନ, ଆନ୍ଦେ୍ର ଆଗାସୀ, ରୋଜର ଫେଡରର, ରାଫେଲ ନାଡଲ ଓ ନୋଭାକ୍ ଜୋକୋଭିଚ୍ କ୍ୟାରିୟର ସ୍ଲାମ୍ ପୂରଣ କରିଥିଲେ।

କ୍ୟାରିୟର ସ୍ଲାମ୍ କ’ଣ ?

ଯେତେବଳେ କୌଣସି ଖେଳାଳି ନିଜ କ୍ୟାରିୟରରେ ଚାରୋଟି ମେଜର ଟୁର୍ଣ୍ଣାମେଣ୍ଟ ଜିତିଥାଏ, ତେବେ ଏହା କ୍ୟାରିୟର ସ୍ଲାମ କୁହାଯାଏ। ଏହା ୪ଟି ମେଜର ଟୁର୍ଣ୍ଣାମେଣ୍ଟ ହେଉଛି ଅଷ୍ଟ୍ରେଲିଆନ୍ ଓପନ୍, ଫ୍ରେଞ୍ଚ ଓପନ୍, ୱିମ୍ବଲଡନ୍ ଏବଂ ୟୁଏସ୍ ଓପନ୍।

ଜୋକୋଭିଚ୍‌ଙ୍କ ୨୫ ତମ ଗ୍ଲାଣ୍ଡସ୍ଲାମ ଜିତିବାର ସ୍ୱପ୍ନ ଭାଙ୍ଗିଲା

ସର୍ବିଆର ଜୋକୋଭିଚ୍ ୨୫ ତମ ଗ୍ଲାଣ୍ଡସ୍ଲାମ ଜିତିବାର ସ୍ୱପ୍ନ ଭାଙ୍ଗିଯାଇଛି। ତେବେ ଜୋକୋଭିଚଙ୍କ ପାଖରେ ପ୍ରାୟ ପ୍ରତି ରେକର୍ଡ ରହିଛି। ସେ ରୋଜର ଫେଡେରର ଓ ରଫେଲ ନାଡାଲଙ୍କ ରେକର୍ଡକୁ ମଧ୍ୟ ପଛାଇ ପକାଇ ଦେଇଛନ୍ତି। ତାଙ୍କ ପାଖରେ ସେରେନା ଓ୍ବିଲିୟମ୍ସଠାରୁ ଅଧିକ ଗୋଟିଏ ଟାଇଟଲ ମଧ୍ୟ ରହିଛି। ସେରେନାଙ୍କ ନାଁ ମହିଳା ଓପନ ଯୁଗର ରେର୍ଡ୍ ୨୩ ସିଙ୍ଗିଲ ଟାଇଟଲ୍ ରହିଛି। ଜୋକୋଭିଚ୍ ଯଦି ଅଷ୍ଟ୍ରେଲିଆନ୍ ଓପନ୍ ଜିତିଥାନ୍ତେ ତେବେ ସେ ମାର୍ଗରେଟ୍ କୋର୍ଟଙ୍କୁ ପଛରେ ପକାଇ ଦେଇଥାନ୍ତେ। ଜୋକୋଭିଚ୍ ଓ ଅଷ୍ଟ୍ରେଲିଆର କୋର୍ଟଙ୍କ ନାଁ ମିଳିତ ଭାବରେ ୨୪ ଗ୍ରାଣ୍ଡସ୍ଲାମ୍ ସିଙ୍ଗିଲ ଟାଇଟଲ ଜିତିବାରେ ସର୍ବକାଳୀନ ରେକର୍ଡ ରହିଛି। ସେ ସେମିଫାଇନାଲରେ ୟାନିକ୍ ସିନରଙ୍କୁ ମାତ୍ ଦେଇଥିଲେ।