ମେଲବର୍ଣ୍ଣ,୦୨/୦୨: ଅଷ୍ଟ୍ରେଲିଆ ଓପନରେ ଚାମ୍ପିଅନ ହୋଇ ସ୍ପେନର ଯୁବ ତାରକା କାର୍ଲୋସ ଅଲକାରାଜ ଟେନିସ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛନ୍ତି । ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ସେ ‘କ୍ୟାରିୟର ଗ୍ରାଣ୍ଡ ସ୍ଲାମ’ ହାସଲ କରିବାରେ ସଫଳ ହୋଇଛନ୍ତି । ରବିବାର ଫାଇନାଲରେ ଅଲକାରାଜ ୨-୬, ୬-୨, ୬-୩, ୭-୫ରେ ନୋଭାକ ଜୋକୋଭିକଙ୍କୁ ପରାସ୍ତ କରିଥିଲେ । ସେ ସିଜନର ପ୍ରଥମ ଏବଂ କ୍ୟାରିୟରରେ ସପ୍ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାର ଗୌରବ ଲାଭ କରିଛନ୍ତି ।
ଜଣେ ଖେଳାଳି ଯଦି ୪ଟି ଯାକ ଗ୍ରାଣ୍ଡସ୍ଲାମ ଟ୍ରଫି (ଅଷ୍ଟ୍ରେଲିଆ ଓପନ, ଫ୍ରେଞ୍ଚ ଓପନ, ୱିମ୍ବଲଡନ ଓ ୟୁଏସ୍ ଓପନ) ହାସଲ କରନ୍ତି, ତେବେ ଯାଇ ସେ ‘କ୍ୟାରିୟର ସ୍ଲାମ’ କ୍ଲବରେ ସାମିଲ ହୁଅନ୍ତି । ଅଲକାରାଜ ମାତ୍ର ୨୨ ବର୍ଷ ବୟସରେ ଏହି କ୍ଲବରେ ସାମିଲ ହୋଇପାରିଛନ୍ତି । ତାଙ୍କ ପୂର୍ବରୁ ୨୦୧୬ରେ ଜୋକୋଭିକ, ୨୦୧୦ରେ ରାଫେଲ ନାଦାଲ, ୨୦୦୯ରେ ରୋଜର ଫେଡେରର, ୧୯୯୯ରେ ଆନ୍ଦ୍ରେ ଆଗାସି, ୧୯୬୪ ରୟ ଏମରସନ, ୧୯୬୨ ରଡ୍ ଲାଭର, ୧୯୩୮ ଡନ୍ ବଜ୍ ଓ ୧୯୩୫ରେ ଫ୍ରେଡ ପେରୀ ଏହି କ୍ଲବରେ ସାମିଲ ହୋଇଥିଲେ ।
ଫାଇନାଲ ମ୍ୟାଚ୍ ବିଶ୍ୱର ଏକ ନମ୍ବର ଖେଳାଳି ଅଲକାରାଜ ଓ ୪ ନମ୍ବର ଖେଳାଳି କୋକୋଭିକଙ୍କ ମଧ୍ୟରେ ବେଶ ଚିତାକର୍ଷକ ହୋଇଥିଲା । ପ୍ରଥମ ସେଟ୍ରେ ଭେଟେରାନ ଜୋକୋଭିକ୍ ୬-୨ରେ ଅଗ୍ରଣୀ ଲାଭ କରିଥିଲେ । ଦ୍ୱିତୀୟ ସେଟ୍ରେ ଯୁବ ତାରକା ପ୍ରତ୍ୟାବର୍ତ୍ତନ (୬-୨) କରିଥିଲେ । ତୃତୀୟ ସେଟ୍କୁ ମଧ୍ୟ ସେ (୬-୩) ନିୟନ୍ତ୍ରଣରେ ରଖି ଟାଇଟଲ ନିକଟତର ହୋଇଥିଲେ । କିନ୍ତୁ ଚତୁର୍ଥ ସେଟ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଶେଷରେ ଅଲକାରାଜ ୭-୫ରେ ବିଜୟୀ ହୋଇ ଟାଇଟଲ ବିଜେତା ହୋଇଥିଲେ ।
୩୮ ବର୍ଷୀୟ ଜୋକୋଭିକଙ୍କ ୨୫ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାର ସ୍ୱପ୍ନ ଧୂଳିସାତ ହୋଇଥିଲା । ମ୍ୟାଚ ଶେଷ ହେବା ପରେ ସେ କହିଥିଲେ, ‘ମୋତେ ଜଣା ଥିଲା, ପୁଣି ଥରେ ଟ୍ରଫି ଧରିବା ପାଇଁ ପୋଡିୟମରେ ଛିଡ଼ା ହେବାର ସୁଯୋଗ ପାଇବି ନାହିଁ ।’
ଅଲକାରାଜ ଫ୍ରେଞ୍ଚ ଓପନ (୨୦୨୪, ୨୦୨୫), ୱିମ୍ବଲଡନ (୨୦୨୩, ୨୦୨୪) ଓ ୟୁଏସ୍ ଓପନରେ (୨୦୨୨, ୨୦୨୫) ୨ ଥର ଲେଖାଏଁ ଟାଇଟଲ ଜିତିଥିଲେ । କିନ୍ତୁ ଅଷ୍ଟ୍ରେଲିଆ ଓପନରେ ଚାମ୍ପିଅନ ହେବାର ସୁଯୋଗ ପାଇନଥିଲେ । ପ୍ରତୀକ୍ଷାର ଅନ୍ତ ଘଟାଇ ସେ ଶେଷରେ କ୍ୟାରିୟର ସ୍ଲାମ ପୂରଣ କରିଥିଲେ । ଚାମ୍ପିଅନ ହେବା ପରେ ଖୁସିରେ ଆତ୍ମବିଭୋର ହୋଇ ପଡ଼ିଥିଲେ ଅଲକାରାଜ।