କେନ୍ଦୁଝର, ୨୦/୫ : ବଟି ମାଗିବା ଏବଂ ବନ୍ଧୁକ ଦେଖାଇ ମୂଲ୍ୟବାନ ମେସିନ ଛଡାଇ ନେବା ମାମଲାରେ ଶନିବାର କେନ୍ଦୁଝର ଅଦାଲତରେ ହାଜର ହେଲେ ରାଜାଚକ୍ର ଓ ୨ ସହଯୋଗୀ। ରାଜା ଚକ୍ରଙ୍କ ସହ ମାନସ ବାରିକ ଓ ଉତ୍କଳ ଦାସଙ୍କୁ କୋର୍ଟରେ ହାଜର କରାଯାଇଛି। ସେ ଏବଂ ତାଙ୍କର ସହଯୋଗୀ ଦାଦାବଟି ମାଗିବା ଏବଂ ମୂଲ୍ୟବାନ ମେସିନ ଛଡାଇ ନେଇଥିବା ନେଇ ସୁଶାନ୍ତ ବାରିକ ନାମକ ଜଣେ ବ୍ୟକ୍ତି କେନ୍ଦୁଝର ସଦର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏହି ମାମଲାରେ ରାଜା ଓ ଅନ୍ୟ ୨ ସହଯୋଗୀଙ୍କୁ ଅଭିଯୁକ୍ତ ଦର୍ଶାଇ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଅନ୍ୟ ପକ୍ଷରେ ରାଜାଙ୍କ ଓକିଲ ଉକ୍ତ ମାମଲାରେ ଜାମିନ ଆବେଦନ କରିଥିଲେ। ମାତ୍ର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା।
ସୂଚନା ଥାଉକି, ବହୁଚର୍ଚ୍ଚିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ କୋଟି କୋଟି ଟଙ୍କାର ଦୁର୍ନୀତି ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରାଜା ଚକ୍ର ଏବଂ ତାଙ୍କର ଅନ୍ୟ ୩ଜଣ ସହଯୋଗୀଙ୍କୁ ଗିରଫ କରିଥିଲା। ଗିରଫ ପରେ ସମସ୍ତ ଅଭିଯୁକ୍ତ ଜାମିନି ପାଇଁ ନିମ୍ନ ଅଦାଲତଙ୍କ ଦ୍ୱାରସ୍ତ ହୋଇଥିଲେ । ସେଠାରୁ ଜାମିନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ଜାମିନ ମାମଲାର ରାୟ ପ୍ରକାଶ କରି ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ । ଅଭିଯୁକ୍ତମାନେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇଥିବାରୁ ଜାମିନରେ ବାହାରିଲେ ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ହାଇକୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଥିଲେ। ସେବେଠାରୁ ରାଜା ଜେଲ୍ରେ ଅଛନ୍ତି।