ନବରଙ୍ଗପୁର, ୨୩/୦୫ : ଜାତିଆଣ ଭେଦଭାବ । ମାନସିକ ନିର୍ଯାତନା । ଛୁଆଁଇ ଦିଆଯାଉନି ଫାଇଲ୍ । ଆକ୍ୱାଗାର୍ଡ ପାଣି ପିଇବା ଉପରେ କଟକଣା । ଏହା କୌଣସି ଗାଁଗହଳିର କଥା ନୁହେଁ, ଏକ ସରକାରୀ ଦପ୍ତରରେ ଏଭଳି ବାସନ୍ଦର ଶିକାର ହୋଇଛନ୍ତି ଜଣେ କର୍ମଚାରୀ । ସେ ହେଉଛନ୍ତି ଉମରକୋଟ ସବ୍ଟ୍ରେଜେରୀ ଅଫିସ୍ର ଆକାଉଣ୍ଟାଣ୍ଟ୍ ଗୌରାଙ୍ଗ ଚରଣ ବେହେରା । ତାଙ୍କୁ ନ୍ୟାୟ ଦେବା ପାଇଁ ପୁଅ ପ୍ରିୟାଂଶୁ ପ୍ରିୟରଞ୍ଜନ ରାଜ୍ୟ ମାନବାଧିକାର କମିଶନ ଏବଂ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦ୍ୱାରସ୍ଥ ହେବା ପରେ ଏହି ଘଟଣା ପଦାକୁ ଆସିଛି । ଅନ୍ୟପକ୍ଷରେ ମାନବାଧିକାର ଉଲ୍ଲଂଘନ ଘଟଣାର ତଦନ୍ତ କରି ଆସନ୍ତା ଅଗଷ୍ଟ ୧୦ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ମାନବାଧିକାର କମିଶନ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରିୟାଂଶୁ ତାଙ୍କ ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ତାଙ୍କ ବାପା ଗୌରାଙ୍ଗ ବେହେରା ଅନୁସୂଚିତ ଜାତି ସମ୍ପ୍ରଦାୟର । ୨୦୨୫ ମେ’ ପହିଲାରେ ଉମରକୋଟ ସବ୍ଟ୍ରେଜେରୀ ଅଫିସ୍ରେ ଆକାଉଣ୍ଟାଣ୍ଟ୍ ଭାବେ ଯୋଗ ଦେଇଥିଲେ । ଯୋଗ ଦେବାର ୪ ମାସ ପର୍ଯ୍ୟନ୍ତ ଅଫିସ୍ରେ ତାଙ୍କୁ ବସିବାକୁ ଚୌକି ଖଣ୍ଡେ ବି ଦିଆଯାଇ ନ ଥିଲା । ଅଫିସ୍ର କୌଣସି କାର୍ଯ୍ୟରେ ତାଙ୍କୁ ନିୟୋଜିତ କରାଯାଇ ନ ଥିଲା । ଏଥିରେ ମ୍ରିୟମାଣ ହୋଇ ସେ ଗତବର୍ଷ ଡିସେମ୍ବର ୧ରୁ ୨୮ ତାରିଖ ପର୍ଯ୍ୟନ୍ତ ବ୍ୟକ୍ତିଗତ ଛୁଟିରେ ଚାଲିଯାଇଥିଲେ । ୨୯ ଡିସେମ୍ବରେ କାର୍ଯ୍ୟରେ ଯୋଗଦେଇଥିଲେ । ତାଙ୍କ ଛୁଟି ଦରଖାସ୍ତକୁ ସବ୍ଟ୍ରେଜେରୀ କର୍ତ୍ତୃପକ୍ଷ ମଞ୍ଜୁର କରି ନ ଥିଲେ । ବିନା କାରଣରେ ତାଙ୍କ ବାପାଙ୍କ ଡିସେମ୍ବର ମାସର ଦରମା ବନ୍ଦ କରି ଦେଇଥିଲେ । ତଥାପି ଅଫିସ୍ ନିୟମିତ ଯାଉଥିଲେ । ଦିନେ ଅଫିସ୍ର ଆକ୍ୱାଗାର୍ଡରୁ ପାଣି ପିଇବା ଲାଗି ସଂଗ୍ରହ କରୁଥିବା ବେଳେ କାର୍ଯ୍ୟାଳୟର ବରିଷ୍ଠ ସହାୟକ ସୁନୀଲ କୁମାର ବେହେରା ବାରଣ କରିଥିଲେ । ଅଫିସ୍ର ଚତୁର୍ଥଶ୍ରେଣୀ କର୍ମଚାରୀଙ୍କୁ କହିଲେ ଆକ୍ୱାଗାର୍ଡରୁ ପାଣି ମିଳିବ ବୋଲି କହିଥିଲେ । ଏହାପରେ ତାଙ୍କୁ କୋଟା ବାଲା ବୋଲି ଆକ୍ଷେପ କରିଥିଲେ । ଏହାକୁ ସବ୍ଟ୍ରେଜରୀ ଅଫିସର ବି ସମର୍ଥନ କରିଥିଲେ ।
ବାରମ୍ବାର ଏଭଳି ମାନିସକ ନିର୍ଯାତନା ଅସହ୍ୟ ହେବା ପରେ ଗୌରାଙ୍ଗ ୪ ମାସ ଧରି ଲମ୍ବା ଛୁଟିରେ ରହିଯାଇଥିଲେ । ବାପାଙ୍କୁ ନ୍ୟାୟ ଦେବାକୁ ପ୍ରିୟାଂଶୁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଡିସେମ୍ବର ମାସର ବନ୍ଦ ଥିବା ଦରମା ଗତ ଫେବ୍ରୁଆରୀରେ ମିଳିଥିଲା। ଏ ସମ୍ପର୍କରେ ଜିଲ୍ଲାପାଳ ଡ. ମହେଶ୍ୱର ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଏହି ଘଟଣା ଅର୍ଥ ବିଭାଗର । ଏ ପର୍ଯ୍ୟନ୍ତ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ତାଙ୍କ ପାଖରେ ପହଞ୍ଚିନି। ହସ୍ତଗତ ହେଲେ ତଦନ୍ତ କରାଯିବ।
ଏହି ଖବରଟିକୁ ପଢନ୍ତୁ- Handcuffs On Tractor: କ’ଣ ଭୁଲ୍ କଲା ଟ୍ରାକ୍ଟର, ଜାଣନ୍ତୁ କାହିଁକି ହାତକଡ଼ି ପକାଇଲା ପୁଲିସ...