ବିଲେଇ ଉପରେ ମାଡ଼ିଗଲା ଗାଡ଼ି, ଉଡିଗଲା ପ୍ରାଣବାୟୁ; ମା’ର ଶବ ଆଗରେ କାନ୍ଦିଲା ଛୁଆ…

ସୁକିନ୍ଦା,୨୭/୧୨: ଦୃଶ୍ୟ ଥିଲା ହୃଦୟ ବିଦାରକ । ଯିଏ ଦେଖୁଥିଲା ପାଟିରୁ ଆଃ ପଦେ ବାହାରି ଯାଉଥିଲା । ପଶୁ ହେଲେ ବି ମମତାର ମୂଲକୁ ବୁଝିଥିବା ସ୍ପଷ୍ଟ ବୁଝା ପଡ଼ୁଥିଲା । ମା’କୁ ବିଦାୟ ଦେବା ପାଇଁ ସେ ଚାହୁଁ ନଥିଲା । ହେଲେ ନିଷ୍ଠୁର ବିଧାତା ତାକୁ ସବୁ ଦିନ ପାଇଁ ମା’ ଛେଉଣ୍ଡ କରି ଦେଇଥିଲା । ଏ ଦୁଃଖ ତା’ ପାଇଁ ଅସହ୍ୟ ଥିଲା । ଚାହିଁଲେ ବି ମା’ର ଶବକୁ ରାସ୍ତା ଉପରେ ଛାଡ଼ି ସେ ଆସିପାରୁ ନଥିଲା । ମା’ର ବିଭତ୍ସ ମୃତ୍ୟୁକୁ ଦେଖି ତା’ ଆଖିରୁ ଲୁହ ଝରି ଆସୁଥିଲା । ଯାହା ଗର୍ଭରୁ ଜନ୍ମ ନେଇ ସେ ଦୁନିଆ ଦେଖିଥିଲା, ଯାହା ଠାରୁ ସେ ଦୁନିଆରେ ବଞ୍ଚିବା ଶିଖିଛି, ସେ ଆଜି ଦୁନିଆ ଛାଡ଼ି ଦେଇଛି । ଦୁହେଁ ତ ବେଶ୍ ହସଖୁସିରେ ଥିଲେ । ଯାହା ମିଳୁଥିଲା ସେଥିରେ ଚଳି ଯାଉଥିଲେ । ହେଲେ ରାସ୍ତା ପାରି ହେଲା ବେଳେ କେଉଁ ଆଡ଼ୁ ଗର୍ଜନ କରି ସେ ଗାଡ଼ିଟା ମାଡ଼ି ଆସିଲା ଯେ, ତା’ ମା’କୁ ସବୁଦିନ ପାଇଁ ଶୁଆଇ ଦେଇଗଲା ।
ଏଇ କୋହ କଉ ମଣିଷର ନୁହେଁ ଏକ ବିଲେଇର । ସୁକିନ୍ଦା ଖଣି ଅଞ୍ଚଳର ଏକ ବ୍ୟସ୍ତବହୁଳ ରାସ୍ତା ହେଉଛି ଟମକା-ମଙ୍ଗଳପୁର ପୂର୍ତ୍ତ ବିଭାଗ ରାସ୍ତା । ରାତି ପାହିବାରୁ ରାତି ଅଧ ଯାଏ ଏହି ରାସ୍ତାରେ ଶହ ଶହ ସଂଖ୍ୟାରେ ଗାଡ଼ି ଯାତାୟାତ କରେ । ଏହି ରାସ୍ତାର କାଙ୍କଡ଼ପାଳ ପଞ୍ଚାୟତ ଗରାନିଆ ନିକଟରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲ । ଯାହା ସେହି ରାସ୍ତାରେ ଯାଉଥିବା ପଥିକଙ୍କୁ ଭାବ ବିହ୍ୱଳ କରିବାକୁ ବାଧ୍ୟ କରୁଥିଲା । ଏକ ବିଲେଇ ନିଜ ଛୁଆ ସହ ରାସ୍ତା ପାରି ହେଉଥିଲା । ଆଗରେ ଛୁଆ ଯାଉଥିବା ବେଳେ ପଛେ ପଛେ ଛୁଆକୁ ସୁରକ୍ଷା ଦେଇ ମା’ ଆସୁଥିଲା । ଏହି ସମୟରେ ଟମକା ଆଡ଼ୁ ଆସୁଥିବା ଏକ ଟ୍ରକ ମା’ ବିଲେଇ ଉପରେ ମାଡ଼ି ଗଲା । ଫଳରେ ଘଟଣାସ୍ଥଳରେ ମା’ ବିଲେଇଟି ମରିଗଲା ।
ଆଗରେ ଚାଲୁଥିବା ଛୁଆଟି ମା’ର ଚିତ୍କାର ଶୁଣି ପଛକୁ ଫେରି ଆସିଲା । ହେଲେ ସେତେବେଳକୁ ସବୁ ସରି ଯାଇଥିଲା । ତା’ ମା’ର ରକ୍ତାକ୍ତ ଶରୀରଟି ରାସ୍ତା ଉପରେ ପଡ଼ିଥିଲା । ଏହାକୁ ଛୁଆଟି ସହଜରେ ସହି ପାରିଲା ନାହିଁ । ପ୍ରଥମେ ବିକଳରେ ମା’ ଚାରିପଟେ ବୁଲି ବୁଲି ବୋବାଇଲା । ପରେ ମା’ର ଶବ ପାଖରେ ବସି ଲୁହ ଝରାଇଲା । ରାସ୍ତାରେ ଯାଉଥିବା ଗାଡ଼ି ପ୍ରତି ତା’ର ଖାତିର ନଥିଲା । ଛୁଆ ବିଲେଇଟି ବହୁତ ସମୟ ପର୍ଯ୍ୟନ୍ତ ବସିଥିବା ଦେଖିବାକୁ ମିଳିଥିଲା । ସତେ ଯେମିତି ସେ ତା’ ମା’ର ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲା । ଆଉ ମମତା ପାଇଁ ଦୁଇ ଟୋପା ଲୁହ ଗଡ଼ାଉଥିଲା । ଗାଡ଼ି ଚଢ଼ିଯିବା ଭୟ ଥିବାରୁ କିଛି ସମୟ ପରେ ସ୍ଥାନୀୟ ଲୋକେ ଛୁଆଟିକୁ ଗୋଡ଼ାଇବାରୁ ସେ ସ୍ଥାନ ଛାଡ଼ି ଥିଲା । ହେଲେ ଯିବା ବେଳେ ବି ପଛକୁ ବୁଲି ବାରମ୍ବାର ଚାହୁଁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।