ଭଦ୍ରକ,୧୨/୧୦: ବେଆଇନ ଗୋରୁ ଚାଲାଣକୁ ବିରୋଧ। ଗୋଡ଼ାଇ ଗୋଡ଼ାଇ ଗୋରୁ ବୋଝେଇ ଗାଡ଼ିକୁ ଧରିଲେ ଗୋରକ୍ଷକ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବରପଦାରୁ ପିଛା କରି ପୁରୁଣା ବଜାର ଥାନା ଅଞ୍ଚଳରେ ଧରାପଡ଼ିଥିଲା ଗାଡ଼ି । ୧୦ କିଲୋମିଟର ପିଛା କରିବା ପରେ ଉକ୍ତ ଗାଡ଼ିରୁ ୧୧ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସେଥିରୁ ୩ଟି ଗୋରୁ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଓ ଗୋଚାଲାଣକାରୀ ଫେରାର ହୋଇଛନ୍ତି ।
ସୂଚନା ମୁତାବକ, ଶନିବାର ରାତିରେ ଏକ ଗାଡ଼ିରେ ବେଆଇନ ଭାବେ ଗୋରୁ ଚାଲାଣ କରାଯାଉଥିବା ବେଳେ ଗୋରକ୍ଷକ ଉକ୍ତ ଗାଡ଼ିକୁ ପିଛା କରିଥିଲେ । ପ୍ରାୟ ୧୦ କିଲୋମିଟର ପିଛା କରିବା ପରେ ଗାଡ଼ିଟିକୁ ଧାରିବାରେ ସଫଳ ହୋଇଥିଲେ । ଗୋରକ୍ଷକମାନେ ସ୍କର୍ପିଓରୁ ଗୋରୁମାନଙ୍କୁ ଉଦ୍ଧାର କରିଥିଲେ । ଗାଡ଼ିରୁ ମୋଟ ୧୧ଟି ଗୋରୁ ଉଦ୍ଧାର ହୋଇଥିବା ବେଳେ ୩ ଗୋରୁଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୁରୁଣା ବଜାର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା । ତେବେ ଉକ୍ତ ଗାଡ଼ିରେ ଏତେ ଗୋରୁ କେମିତି ବୋଝେଇ ହେଇ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଗୋରୁ ଗାଡ଼ି ଗୁଜି ଦରଡ଼ା ଅଞ୍ଚଳକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ପୁଲିସ ସମ୍ପୃକ୍ତ ଗାଡ଼ିକୁ ଜବତ କରିଥିବା ବେଳେ ଗୋରୁଗୁଡିକୁ ଗୋଶାଳାରେ ଛାଡିବାକୁ ଯୋଜନା ହୋଇଛି ।