ଜୟପୁର, ୨୮।୪ : ଜୟପୁର ସଦର ଥାନା ଅନ୍ତର୍ଗତ ଫାମ୍ପୁଣି ଗ୍ରାମ କୁମୁଲିପୁଟ ନାଳ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା।ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଘଟଣା ସ୍ଥଳରେ ଜୟପୁର ସଦର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ଜଣକ ହେଲେ କୁମୁଲିପୁଟ ଗ୍ରାମର ରଘୁନାଥ ଗୌଡ଼ । ତାଙ୍କ ବୟସ ୬୨ ବର୍ଷ ହେବ ।
ମୃତ ବ୍ୟକ୍ତିଙ୍କ ପୁଅ ଭଗବାନ ଗୌଡ ଏବଂ ତାଙ୍କ ପରିବାରଙ୍କ କହିବା ଅନୁସାରେ ତାଙ୍କ ବାପା ସାଇକେଲରେ ଗତକାଲି ବିଳମ୍ବିତ ରାତିରେ 'ଚାହା' ପିଇବା ପାଇଁ ଫାମ୍ପୁଣି ଗ୍ରାମକୁ ଯାଇଥିଲେ। କିନ୍ତୁ ସେ ଫେରିବା ବେଳେ ତାଙ୍କୁ କେହି ବ୍ୟକ୍ତି କୁମୁଲି ପୁଟ ନାଳରୟ ନିକଟରେ ଗଳାକାଟି ହତ୍ୟା କରିଥିବା ଖବର ପାଇଥିଲେ। ଏହି ଘଟଣାକୁ ନେଇ ଭଗବାନ ଜୟପୁର ସଦର ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ୭ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି ପୋଲିସ।