ନୂଆଦିଲ୍ଲୀ,୯।୧୨: ଉଦ୍ୟୋଗପତି ଅନିଲ ଅମ୍ବାନୀଙ୍କ ଅଡୁଆ କମିବାର ନାଁ ଧରୁନି। ଦୀର୍ଘ ସମୟ ଧରି ତାଙ୍କ ନେତୃତ୍ବରେ ରିଲାୟନ୍ସ ଗୁପ୍‌ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ରାଡାରରେ ରହିଛି। ଚଢାଉ, ସମ୍ପତ୍ତି ଜବତ ହେବାର ଲଗାତାର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଏବେ ସିବିଆଇ ତାଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ସହିତ ଅନ୍ୟମାନଙ୍କ ବିରୋଧରେ କ୍ରିମିନାଲ କେସ୍ ଫାଇଲ୍ କରିଛି। କେନ୍ଦ୍ରୀୟ ଏଜେନ୍ସି ଏକ ଲିଖିତ ଅଭିଯୋଗ ଆଧାରରେ ଯାଞ୍ଚ କରିବା ପରେ ଏହି କେସ୍ ଫାଇଲ କରିଛି।

ସିବିଆଇ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ବିରୋଧରେ ମନି ଲଣ୍ଡରିଂ କେସ୍ ରୁଜୁ କରିଛି। ଏହାଛଡା ରିଲାୟନ୍ସ ହାଉସିଂ ଫାଇନାନ୍ସ ଲିମିଟେଡ୍‌ର ପୂର୍ବତନ ସିଇଓ ରବିନ୍ଦ୍ର ସୁଧାଲକର ଓ ସେତେବେଳର ହୋଲ୍ ଟାଇମ୍ ଡାଇରେକ୍ଟରଙ୍କ ବିରୋଧରେ କ୍ରିମିନାଲ କେସ୍ ଫାଇଲ କରିଥିଲା। ଏଭଳି ପ୍ରଥମ ଥର ଯେତେବେଳେ ଅନିଲ ଅମ୍ବାନୀଙ୍କ ପୁଅ ଉପରେ ମାମଲା ରୁଜୁ କରାଯାଛି। ଏହି ପୁରା କାର୍ଯ୍ୟାନୁଷ୍ଠାନ ୨୨୮.୦୬ କୋଟି ଟଙ୍କାର ବ୍ୟାଙ୍କିଙ୍ଗ ଫ୍ରଡ୍ କେସ୍‌ରେ କରାଯାଇଛି। ଉଲ୍ଲେଖନୀୟ ଯେ, ସିବିଆଇ ଏକ ଲିଖିତ ଅଭିଯୋଗ ଦେଇଥିଲା। ଯେଉଁଥିରେ ଅଭିଯୋଗ କରିଥିଲା ଜୟ ଅନମୋଲ ଅନିଲ ଅମ୍ବାନୀ, ରବିନ୍ଦ୍ର ସୁଧାଲକର ଓ ଅନ୍ୟ ଅଜଣା ଲୋକ, ଅଜ୍ଞାତ ସରକାରୀ କର୍ମଚାରୀ ଠକେଇ ଓ କ୍ରିମିନାଲ ଷଡଯନ୍ତ୍ର ଅନୁସାରେ ଟଙ୍କା ହେରଫେର କରାଯାଇଛି।

ଏଭଳି କୁହାଯାଉଛି ଯେ, ସିବିଆଇ ଦ୍ବାରା ଆରଏଚ୍ଏଫ୍ଏଲର ଦସ୍ତାବିଜ, ଲୋନ୍ ଆକାଉଣ୍ଟ ଓ ଇଣ୍ଟରନାଲ ରେକର୍ଡର ଗହନ ଯାଞ୍ଚ କରାଯିବାର ସମ୍ଭାବନା ରହିଛି। ଯାଞ୍ଚକୁ ଆଗକୁ ବଢାଇବା ଉପରେ କମ୍ପାନୀ ଅଧିକାରୀ ଓ ବ୍ୟାଙ୍କ କର୍ମଚାରୀଙ୍କୁ ପଚରା ଉଚରା କରାଯାଇପାରେ। ତେବେ ଏପର୍ଯ୍ୟନ୍ତ ଅନିଲ ଅମ୍ବାନୀ ରିଲାୟନ୍ସ ଗ୍ରୁପ୍ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଅଫିସିଆଲ ବୟାନ ଜାରି କରି ନାହିଁ।

ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲ ଅମ୍ବାନୀଙ୍କ ପ୍ରାରମ୍ଭିକ ପାଠପଢା ମୁମ୍ବାଇର ଜନ୍ କାନନ୍ ସ୍କୁଲରେ ହୋଇଥିଲା। ସେ ୟୁକେର ବାରାବିକ୍ ବିଜନେସ୍ ସ୍କୁଲରୁ ଶିକ୍ଷାଗ୍ରହଣ କରିଥିଲେ। ରିପୋର୍ଟ ଅନୁସାର, ଜୟ ଅନମୋଲ ଅମ୍ବାନୀ ୨୦୧୪ ରେ ରିଲାୟନ୍ସ ମ୍ୟୁଚୁଆଲ ଫଣ୍ଡ ସହ ନିଜର କର୍ପୋରେଟ୍ ଯାତ୍ରା ଆରମ୍ଭ କରିଥିଲେ। ୨୦୧୬ ରେ ଅନମୋଲ ରିଲାୟନ୍ସ କ୍ୟାପିଟାଲ ବୋର୍ଡରେ ସାମିଲ ହୋଇଥିଲେ ଓ ୨୦୧୯ ରେ ତାଙ୍କୁ ସାନ ଭାଇ ଜୟ ଅନଂଶୁଲଙ୍କ ସହ ରିଲାୟନ୍ସ ଇନଫ୍ରା ଡାଇରେକ୍ଟର ଭାବରେ ନିଯୁକ୍ତ କରାଯାଇଥିଲା। ତେବେ ଏକ ବର୍ଷ ଭିତରେ ରିଲାୟନ୍ସ ଇନଫ୍ରା ବୋର୍ଡରୁ ସେ ଇସ୍ତଫା ଦେଇଥିଲେ। ଜୟ ଅନମୋଲ ଅମ୍ବାନୀଙ୍କ ବିରୋଧରେ ପ୍ରଥମ ଥର ଏଫ୍ଆଇଆର ରୁଜୁ କରାଯାଇଛି। ଗତ ଦୀର୍ଘ ସମୟ ଧରି ତାଙ୍କ ବାପା ଅନିଲ ଅମ୍ବାନୀ ଇଡି ରାଡାରରେ ଥିଲେ। ପିଏମ୍ଏଲଏର ଧାରା ୫(୧)ଅନୁସାରେ,ତାଙ୍କ ନେତୃତ୍ବରେ ରିଲାୟନ୍ସ ଗ୍ରୁପ୍‌ର ସମ୍ପତ୍ତି ଜବତ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହା ଅନୁସାରେ, ପ୍ରାୟ ୯୦୦୦ କୋଟି ଟଙ୍କ ଆଟାଚ୍ କରାଯାଇ ସାରିଛି। ଏହା ନଭି ମୁମ୍ବାଇ, ଚେନ୍ନାଇ, ପୁନେ ଓ ଭୁବନେଶ୍ବର ପର୍ଯ୍ୟନ୍ତ ବ୍ୟାପି ରହିଛି।