ନୂଆଦିଲ୍ଲୀ, ୨୫।୬: ଡିଜିଟାଲ୍ ଆରେଷ୍ଟ ସ୍କାମ୍ ମାମଲାରେ ସିବିଆଇ ଆଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 'ଅପରେସନ୍ ଚକ୍ର' ଅଧୀନରେ ସିବିଆଇ ଦେଶର ୧୬ଟି ରାଜ୍ୟର ୮୦ଟି ସ୍ଥାନରେ ଚଢ଼ାଉ କରିଛି । ସାଇବର ଅପରାଧର ବୁନିୟାଦି ଢାଞ୍ଚାକୁ ନଷ୍ଟ କରିବା ପାଇଁ ଏହି ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବରୁ ମଧ୍ୟ ସିବିଆଇ ଡିଜିଟାଲ୍ ଆରେଷ୍ଟ ସ୍କାମ୍ ସହ ଜଡ଼ିତ ଅନେକ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିସାରିଛି । 'ଅପରେସନ୍ ଚକ୍ର-VI' ପାଇଁ ସିବିଆଇ ପକ୍ଷରୁ ୬୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଗୁଡ଼ିକ ଓଡ଼ିଶା, ପଞ୍ଜାବ, ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର, ହରିୟାଣା, ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଆସାମ, ପଶ୍ଚିମବଙ୍ଗ, ମଣିପୁର ଏବଂ କର୍ଣ୍ଣାଟକ ସମେତ ୧୬ଟି ରାଜ୍ୟର ୮୦ରୁ ଅଧିକ ସ୍ଥାନରେ ଛାନ୍ଭିନ୍ ଏବଂ ଖୋଳତାଡ଼ ଚଲାଇଛନ୍ତି ।
ସିବିଆଇର ଏହି କାର୍ଯ୍ୟାନୁଷ୍ଠାନ ଡିଜିଟାଲ୍ ଆରେଷ୍ଟ ସ୍କାମ୍ ତଦନ୍ତର ଏକ ଅଂଶବିଶେଷ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ଘଟିଥିବା ୨୦୦ରୁ ଅଧିକ ଡିଜିଟାଲ୍ ଆରେଷ୍ଟ ଘୋଟାଳାରେ ସମ୍ପୃକ୍ତ ନେଟୱାର୍କକୁ ଧ୍ୱଂସ କରିବା । ଏହି ମାମଲାରେ ସିବିଆଇ ନକଲି କମ୍ପାନୀ ଗଠନ ଏବଂ ବେଆଇନ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ଅଭିଯୋଗରେ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଡିଜିଟାଲ୍ ଆରେଷ୍ଟ ମାଧ୍ୟମରେ ଠକାଯାଇଥିବା ଟଙ୍କାକୁ ମନି ଲଣ୍ଡରିଂ କରିବା ପାଇଁ ଏହି ଆକାଉଣ୍ଟ ଗୁଡ଼ିକର ବ୍ୟବହାର କରାଯାଉଥିଲା । ଉନ୍ନତ ଫରେନସିକ୍ ଟୁଲ୍ସ ଏବଂ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ସିବିଆଇ ଭାରତ ତଥା ବିଦେଶରେ ଚାଲିଥିବା ଅପରାଧିକ ନେଟୱାର୍କକୁ ଚିହ୍ନଟ କରିଛି । ତଦନ୍ତରୁ ଜଣାପଡ଼ିଛି ଯେ, ଅପରାଧୀମାନେ ନିଜର ଠକେଇକୁ ସତ ପ୍ରମାଣିତ କରିବା ପାଇଁ ଜାଲ୍ ଏବଂ ମନଗଢ଼ା କାଗଜପତ୍ର ବ୍ୟବହାର କରୁଥିଲେ, ଯେଉଁଥିରେ ଅଦାଲତ ଏବଂ ବିଭିନ୍ନ ଆଇନ ପ୍ରଣୟନକାରୀ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ନକଲି ଆଦେଶନାମା ମଧ୍ୟ ସାମିଲ ଥିଲା । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ଡିଜିଟାଲ୍ ଉପକରଣ, ମୋବାଇଲ୍ ଫୋନ୍ ଏବଂ ବ୍ୟାଙ୍କ କାରବାରର ରେକର୍ଡ ଜବତ କରାଯାଇଛି । ବର୍ତ୍ତମାନ ଏହି ସମସ୍ତ ଜିନିଷର ଟିକନିଖି ଫରେନସିକ୍ ଯାଞ୍ଚ ଏବଂ ବିଶ୍ଳେଷଣ କରାଯାଉଛି ।
ଏହା ବି ପଢ଼ନ୍ତୁ... Kashmir Dispute: କାଶ୍ମୀର ଅନ୍ତର୍ଜାତୀୟ ବିବାଦ, କାନ୍ଦିଲେ-ଭିକ ମାଗିଲେ ମିଳି ଯିବନି: ପାକିସ୍ତାନକୁ ପୂର୍ବତନ ଭାରତୀୟ ଜେନେରାଲଙ୍କ କଡା ଜବାବ୍
ଭାରତୀୟଙ୍କ ସହ ବିଦେଶୀ ନାଗରିକଙ୍କୁ ମଧ୍ୟ ଠକେଇ:
ନିକଟରେ ସିବିଆଇ ଡିଜିଟାଲ୍ ଆରେଷ୍ଟ ଘୋଟାଲା ସହ ଜଡ଼ିତ ଏକ ନକଲି ୱେବସାଇଟର ପର୍ଦ୍ଦାଫାଶ କରିଥିଲା । ଏହି ୱେବସାଇଟର URL ସୁପ୍ରିମକୋର୍ଟଙ୍କ ସରକାରୀ ୱେବସାଇଟ୍ ସହିତ ଅବିକଳ ମେଳ ଖାଉଥିଲା ଏବଂ ଏହାର ସାହାଯ୍ୟରେ ପୀଡ଼ିତମାନଙ୍କୁ ଠକାଯାଉଥିଲା । ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ଏହି ୱେବସାଇଟ୍ ସମ୍ପର୍କରେ ଅଭିଯୋଗ କରିବା ପରେ ସିବିଆଇ ଏଫଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ସାଇବର ଅପରାଧରେ କେବଳ ଭାରତୀୟ ନାଗରିକ ନୁହଁନ୍ତି, ବରଂ ବିଦେଶୀ ନାଗରିକମାନେ ମଧ୍ୟ ଠକେଇର ଶିକାର ହୋଇଥିବାର ପ୍ରମାଣ ସିବିଆଇ ହାତରେ ଲାଗିଛି ।