ପୁରୀ ୨୫/୦୬: ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହେବ । ଏଣୁ ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
— Shree Jagannatha Temple Office, Puri (@SJTA_Puri) June 24, 2026
ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ପାଳନ ହେବ। ବୁଧବାର ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ବେଶ ନୀତି ସମ୍ପର୍ଣ୍ଣ ହୋଇଛି। ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ପାଇଁ ବନ୍ଦ ରହିବ ଦର୍ଶନ। ପ୍ରଥମ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ପୂଜା ବସିବା ସମୟରେ ଦକ୍ଷିଣୀ ଘରେ ମଦନମୋହନଙ୍କ ବେଶ ହେବ। ଏହାପରେ ମଦନମୋହନ ରତ୍ନ ସିଂହାସନକୁ ବିଜେ ହେବେ। ଭୋଗ ମଣ୍ଡପ ଶେଷ ପରେ ମଦନମୋହନ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରିବେ ।
ଅଧିକ ପଢ଼ନ୍ତୁ :- Puri Jagannath Temple: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ରାଜେନ୍ଦ୍ରାଭିଷେକ’ ଓ ରଥ ପରିକ୍ରମା ନୀତି, କାଲି ରୁକ୍ମିଣୀ ବିବାହ ଉତ୍ସବ
ସକାଳ ଧୂପ ପୂଜା ବଢିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ ରୁକ୍ମିଣୀଙ୍କୁ ଦେବା ପରେ ମହାଜନ ସେବକ ରୁକ୍ମିଣୀଙ୍କୁ ସାତ ପାହାଚରେ ଥିବା ପାଲିଙ୍କିରେ ବିଜେ କରାଇବେ। ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହେବ। ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯିବ। ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ।
ଏପଟେ ଆଉ ମାତ୍ର ଚାରିଦିନ ପରେ ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଲାଣି ଶ୍ରୀକ୍ଷେତ୍ର। ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସ୍ନାନ ପୂର୍ଣ୍ଣମୀ ଅବସରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ମାର୍କେଟ ଛକ ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ଼ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତୁତି ଚାଲିଛି।