ପୁରୀ,୨୫/୦୬: ତିନି ରଥରେ ପାରାଭାଡ଼ି ଉଠାଇ ଖପୁରି ସ୍ଥାପନ କରିଛନ୍ତି ନିର୍ମାଣକାରୀ । ୧୩ ପରସ୍ତ ପୋଟଳ ମଧ୍ୟରୁ ସର୍ବୋଚ୍ଚ ସ୍ତର ହେଉଛି ଖପୁରି । ସେଥିରେ ଲାଗିଛି କଳସ ଡାଙ୍ଗିଆ । ଏଥିରେ ବସିବ କଳସ । ଏପଟେ ରଥଖଳାରେ ଚକା କାମ ଆରମ୍ଭ ହୋଇଛି । ଚକା ବେଦିରେ ଠାକୁରେ ବିଜେ ହୁଅନ୍ତି । ବେଦି କାମ ପାଇଁ ରଥକୁ ଉଠିଛି ଜଗତପୃଷ୍ଠ ଶେଣୀ । ନିର୍ମାଣକାରୀମାନେ ଉଭୟ ଖଳା ଓ ରଥରେ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ।

ବଡ଼ ପୋଟଳ ଉପରେ ଦ୍ୱିତୀୟ, ତୃତୀୟ, ଚତୁର୍ଥ ଓ ପଞ୍ଚମ ପରସ୍ତ ପୋଟଳ ରଖାଗଲା । ଏହା ଉପରେ ପାରାଭାଡ଼ି ଉଠିଲା । ୬ଷ୍ଠ ଓ ସପ୍ତମ ପରସ୍ତ ପୋଟଳକୁ ଯୋଡ଼ାଯାଇ ପାରାଭାଡ଼ି ହୋଇଥିଲା । ମଝିରେ ପଟା ଦିଆଯାଇ ସଂଯୁକ୍ତ କରିବା ପରେ ଚତୁଃପାର୍ଶରେ ଚିତ୍ରକରମାନେ ପାରା ପଲ ଚିତ୍ର କରିଥିଲେ । ପରେ ଚାରି ଖଣ୍ଡ କରି ଏହାକୁ ରଥ ଉପରକୁ ଟେକା ଯାଇ ସଂଯୋଗ କରାଗଲା । ଭୋଇ ସେବକମାନେ ଏହାକୁ ନେଇ ରଥ ଉପରେ ସ୍ଥାପନ କରିଥିଲେ । ପରେ ଆଉ ୫ପରସ୍ତ ପୋଟଳ ଉଠାଇ ଶେଷରେ ଖପୁରି ସ୍ଥାପନ ହେଲା । ପରେ ପଡ଼ିଲା ୬ ନମ୍ବର ହରିବୋଲ ।

ଅଧିକ ପଢ଼ନ୍ତୁ :-  Rukmini Marriage: ଆଜି ଶ୍ରୀମନ୍ଦିରରେ ଋକ୍ମଣୀ ହରଣ ଓ ବିବାହ ଉତ୍ସବ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ ଦର୍ଶନ ବନ୍ଦ

ମହାପ୍ରଭୁଙ୍କ ସିଂହାସନ କାମ ଚାଲିଛି । ରଥରେ ରଙ୍ଗ କାର୍ଯ୍ୟ ଚାଲିଛି । ଚକ, ଦଣ୍ଡା ଓ ଯୋକା ଆଦିରେ ରଙ୍ଗ ଦିଆଯାଉଛି । ରୂପକାରମାନେ ରଥରେ ମୂର୍ତ୍ତି ଖୋଦେଇରେ ଲିପ୍ତ । ଓଝା ସେବକମାନେ ଅସ୍ଥାୟୀ ଶାଳରେ କଣ୍ଟା ପ୍ରସ୍ତୁତ କରୁଛନ୍ତି । ତାଳଧ୍ୱଜର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର, ନନ୍ଦିଘୋଷର ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଦେବଦଳନର ମୁଖ୍ୟ ବିଶ୍ୱକର୍ମ । ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ରଥ କାମ ଆଗେଇ ଚାଲିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ରଥ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।