ପୁରୀ, ୨।୬: ପୁରୀ ସହରରେ ଚାଞ୍ଚଲ୍ୟ ଖେଳାଇଦେଇଥିବା ହୋଟେଲ ମାଲିକ ପବିତ୍ର ନାୟକଙ୍କ ହତ୍ୟାକାଣ୍ଡ ଘଟଣାରେ ପୁଲିସ ପକ୍ଷରୁ ବଡ଼ ଆକ୍ସନ ନିଆଯାଇଛି । ହତ୍ୟାକାଣ୍ଡର ମାତ୍ର କେଇ ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଚନ୍ଦନ ପଲାରକୁ ଏନକାଉଣ୍ଟର କରିଛି ବଳିଆପଣ୍ଡା ଥାନା ପୁଲିସ । ପୁଲିସ ଗୁଳିରେ ଅଭିଯୁକ୍ତ ଚନ୍ଦନ ଗୁରୁତର ଆହତ ହୋଇଥିବା ବେଳେ ତାକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଚନ୍ଦନର ଘର ପୁରୀ ଚକ୍ରତୀର୍ଥ ରୋଡ୍ ଅଞ୍ଚଳରେ । ଗତକାଲି ବିଳମ୍ବିତ ରାତିରେ ହତ୍ୟାକାଣ୍ଡ ଘଟାଇବା ପରେ ସେ ଫେରାର ହେବାକୁ ଚେଷ୍ଟା କରୁଥିଲା । ତେବେ ବଳିଆପଣ୍ଡା ପୁଲିସ ତାକୁ ଗୋଡ଼ାଇଥିବା ବେଳେ ମତାମଠ ନିକଟସ୍ଥ ଜଙ୍ଗଲରେ ଅଭିଯୁକ୍ତ ଏବଂ ପୁଲିସ ମଧ୍ୟରେ ସାମ୍ନାସାମ୍ନି ହୋଇଥିଲା । ସେଠାରୁ ଚନ୍ଦନ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୁଲିସ ତାକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲା । ଚନ୍ଦନର ବାମ ଗୋଡ଼ରେ ଗୁଳି ବାଜିବା ଫଳରେ ସେ ସେ ତଳେ ପଡ଼ିଯାଇଥିଲା । ପରେ ପୁଲିସ ତାକୁ କାବୁ କରି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଛି ।
ଏହା ବି ପଢ଼ନ୍ତୁ... IPL Betting: ପୁରୀ IPL ବେଟିଂ ରାକେଟ୍ର ମୁଖ୍ୟ ଅଭିଯୁକ୍ତ 'ସୀତୁ' ଗିରଫ; ବ୍ରହ୍ମପୁରରୁ ଉଠାଇନେ ସାଇବର ପୁଲିସ !
ମୃତ ପବିତ୍ର ନାୟକଙ୍କର ବଳିଆପଣ୍ଡା ଅଞ୍ଚଳରେ 'ମନୋରମା' ନାମକ ଏକ ହୋଟେଲ ରହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହୋଟେଲ ବ୍ୟବସାୟ ଏବଂ ବ୍ୟାବସାୟିକ ଶତ୍ରୁତାକୁ କେନ୍ଦ୍ର କରି ଗତକାଲି ବିଳମ୍ବିତ ରାତିରେ ପବିତ୍ରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ଚନ୍ଦନର ସିଧାସଳଖ ସଂପୃକ୍ତି ଥିବା ନେଇ ପୁଲିସ ସ୍ପଷ୍ଟ ହୋଇଥିଲା । ଅଭିଯୁକ୍ତ ଚନ୍ଦନକୁ ଏନକାଉଣ୍ଟର କରାଯାଇ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯିବା ଖବର ପାଇ ମୃତକ ପବିତ୍ରଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ସେଠାରେ ପହଞ୍ଚିଥିଲେ । ଅଭିଯୁକ୍ତକୁ ସେମାନଙ୍କ ସାମ୍ନାରେ ଦେଖି ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ପୁରୀ ଏସପି ନିଜେ ଡାକ୍ତରଖାନାରେ ପହଞ୍ଚିଥିଲେ । ସେ ମୃତ ପବିତ୍ରଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ସହ ଆଲୋଚନା କରିବା ସହ ସେମାନଙ୍କୁ ବୁଝାସୁଝା କରି ଶାନ୍ତ ପଡ଼ିବାକୁ ଅନୁରୋଧ କରିଥିଲେ । ବର୍ତ୍ତମାନ ହସ୍ପିଟାଲ ଓ ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଥିବା ବେଳେ ବଳିଆପଣ୍ଡା ଥାନା ପୁଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।