ଭୁବନେଶ୍ବର: ଆଜିର ଛାତ୍ରଛାତ୍ରୀ ଏବେ ମୋବାଇଲ ମାନିଆ । ଆଧୁନିକ ଯୁଗରେ ପିଲାମାନେ ଏବେ ମୋବାଇଲ ମାଧ୍ୟମରେ ପାଠ ପଢ଼ିବା ବାହାନାରେ ବାଟବଣା ହୁଅନ୍ତି । ହେଲେ ଏସବୁକୁ ଦୃଷ୍ଟି ଦେବା ମଧ୍ୟ ନିହାତି ଜରୁରୀ । ସେମିତି କିଛି କରି ଦେଖାଇଛନ୍ତି ରାଜ୍ୟର CBSE ବୋର୍ଡ ପରୀକ୍ଷା ଦେଇ ଟପ୍ପର ହୋଇଥିବା ଦୁଇ ଛାତ୍ରୀ ଆଲିସା ବିଶ୍ୱାଳ ଓ ଟିନା ରଥ । ଉଭୟ ସୋସିଆଲ ମିଡିଆ ବ୍ୟବହାରରୁ ନିଜକୁ କିଭଳି କଣ୍ଟ୍ରୋଲ କରି ରଖି ଆଜି ସଫଳତା ହାତେଇଛନ୍ତି ସେ ସମ୍ପର୍କରେ ନିଜର ଅନୁଭୂତି ବଖାଣିଛନ୍ତି ଦୁଇ ଛାତ୍ରୀ ।

ନିଜର ଦୃଢ଼ ମନୋବଳ ଥିଲେ ସଫଲତା ପାଇବାକୁ ଆପଣଙ୍କୁ କେହି ଅଟକାଇ ପାରିବେନି । ଏକଥା କାମରେ କରି ଦେଖାଇଛନ୍ତି CBSE ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିବା ଦୁଇ ଛାତ୍ରୀ ଆଲିସା ବିଶ୍ୱାଳ ଓ ଟିନା ରଥ । ସୋସିଆଲ ମିଡ଼ିଆ ଠାରୁ ଦୂରେଇ ରହିବା ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଟପ୍ପର ହୋଇଥିବା ଛାତ୍ରୀ ଆଲିସା ବିଶ୍ୱାଳ । ଆଜିର ସୋସିଆଲ ମିଡ଼ିଆ ଅନେକ ସମୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବାଟବଣା କରିଥାଏ । ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି କରେ । କିଭଳି ନିଜକୁ ସୋସିଆଲ ମିଡ଼ିଆ ବ୍ୟବହାର କରିବାରୁ ନିଜକୁ କଣ୍ଟ୍ରୋଲ କରିହବ ସେ ସମ୍ପର୍କରେ ନିଜର ମତ ରଖିଥିଲେ । ସୋସିଆଲ ମିଡ଼ିଆ କେବଳ ନିଜର ଆବଶ୍ୟକତା ପାଇଁ ସେମାନେ ବ୍ୟବହାର କରୁଥିଲେ । ଯେମିତି ତା ଦ୍ଵାରା ଅଧିକ କିଛି ଜ୍ଞାନ ଆରୋହଣ କରିହବ ସେ ନେଇ ସଚେତନ ରହିବା ମଧ୍ୟ ନିତ୍ୟାନ୍ତ ଜରୁରୀ ବୋଲି କହିଥିଲେ । ୟୁଟ୍ୟୁବ ସହ AI ଦ୍ୱାରା ସେମାନେ ନିଜର ଦ୍ୱନ୍ଦ ଦୂର କରି ପାରୁଥିଲେ । ଆବଶ୍ୟକ ସ୍ଥଳେ ସେମାନେ ମୋବାଇଲ ବା ଲାପଟପ୍ ବ୍ୟବହାର କରି ନିଜର ପଢ଼ା ପାଇଁ ତଥ୍ୟ ସଂଗ୍ରହ କରୁଥିଲେ । ଆଜିର ମୋବାଇଲ ଯୁଗରେ ନିଜକୁ କଣ୍ଟ୍ରୋଲ କରିବା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ମୋବାଇଲରେ ଉଭୟ ଖରାପ ଓ ଭଲ ଥାଏ । ନିଜକୁ ସବୁବେଳେ କଣ୍ଟ୍ରୋଲ କରି ଭଲ ଶିକ୍ଷା ଆପଣେଇବା ଦରକାର । ଯାହା ବି ସନ୍ଦେହ ଥିବ ତାକୁ ତର୍ଜମା କରିବା ପାଇଁ ମୋବାଇଲର ସହାୟତା ନେଇ ପାରିବେ ।

ଏତେ ବଡ ସଫଳତା ହାତେଇବା ପରେ ଦୁହିଁଙ୍କୁ ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । CBSE ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ନମ୍ବର ରଖି ଓଡ଼ିଶାର ଟପର ହୋଇଥିବା ଦୁଇ ଛାତ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ୧ ଭୁବନେଶ୍ୱରର ଆଲିସା ବିଶ୍ୱାଳ ଓ ମଦର୍ ପବ୍ଲିକ ସ୍କୁଲ ପୁରୀର ଟିନା ରଥଙ୍କୁ ଶିକ୍ଷା ଓ ଅନୁସନ୍ଧାନ ଏବଂ ପ୍ରମେୟ ନ୍ୟୁଜ 7 ତରଫରୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଦିଆଯାଇଛି । ଉଭୟଙ୍କ ସଫଳତା ପାଇଁ ଶିକ୍ଷା ଓ ଅନୁସନ୍ଧାନ ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଚନ୍ତି । ସେହିଭଳି ପ୍ରମେୟନ୍ୟୁଜ7ର CEO ସୁନୀଲ କୁମାର ଦାସ ଓ ପ୍ରମେୟନ୍ୟୁଜ7ର କାର୍ଯକାରୀ ସମ୍ପାଦକ ଦେବ ନାରାୟଣ ସେଠି ମଧ୍ୟ ଦୁଇ ଟପ୍ପର ଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନିଜର ଭବିଷ୍ୟତ ଏମ୍ ପ୍ଲାନ୍ କଣ ଅଛି ସେ ସମ୍ପର୍କରେ ମଧ୍ୟ ସୋଆ କୁଳପତି ଓ ପ୍ରମେୟ ନ୍ୟୁଜ7 ର CEO ଓ କାର୍ଯକାରୀ ସମ୍ପାଦକଙ୍କ ସହ କରିଥିଲେ ବିସ୍ତୃତ ଆଲୋଚନା । ଆଉ ଏ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପାଇ ନିଜକୁ ବେଶ୍ ଗର୍ବିତ ଅନୁଭବ କରିଚନ୍ତି ଉଭୟ ଛାତ୍ରୀ । ଏ ନେଇ ନିଜର ଖୁସି ବ୍ୟକ୍ତ କରିଥିଲେ ଟିନା ରଥ ଓ ଆଲିସା ବିଶ୍ୱାଳ ।

ଆଗାମୀ ବର୍ଷ ପିଲାଙ୍କ ପାଇଁ ବାର୍ତ୍ତା ଦେଇ ଉଭୟ କହିଚନ୍ତି ନିଜ ନିଷ୍ଠା ଓ ଏକାଗ୍ରତା ସହ ପାଠ ପଢ଼ିଲେ ଭଲ ରେଜଲ୍ଟ କରିପାରିବ । ସୋସିଆଲ ମିଡ଼ିଆକୁ କେବଳ ନିଜ ଭଲ ପାଇଁ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି ଉଭୟ ।