ନୂଆଦିଲ୍ଲୀ,୧୭/୧୨: କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ୪୫ ଟି କୋଚିଂ ସେଣ୍ଟରକୁ ନୋଟିସ୍ ପଠାଇଛି। ୧୯ ଟି କୋଚିଂ ପ୍ରତିଷ୍ଠାନ ଉପରେ ୬୧ ଲକ୍ଷ ୬୦ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ଛାତ୍ରମାନଙ୍କୁ ବିଭ୍ରାନ୍ତ କରୁଥିବା ବିଜ୍ଞାପନ ବିରୁଦ୍ଧରେ ସିସିପିଏ ଏହି ପଦକ୍ଷେପ ନେଇଛି। ଅନେକ କୋଚିଂ ସେଣ୍ଟର ମିଥ୍ୟା ଦାବି କରି ଛାତ୍ରମାନଙ୍କୁ ପ୍ରଲୋଭିତ କରୁଛନ୍ତି। ଏହିପରି କୋଚିଂ ସେଣ୍ଟରଗୁଡ଼ିକ ଉପରେ ସିସିପିଏ ନିରନ୍ତର ନଜର ରଖିୁଛି। ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଗ୍ରାହକ ବ୍ୟାପାର ବିଭାଗ ଅନେକ ପଦକ୍ଷେପ ନେଇଛି। ରାଷ୍ଟ୍ରୀୟ ଉପଭୋକ୍ତା ହେଲ୍ପଲାଇନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ଫେରସ୍ତ କରିବାରେ ସାହାଯ୍ୟ କରିଛି। ଛାତ୍ରଛାତ୍ରୀଙ୍କୁ ପାଖାପାଖି ୧ କୋଟିରୁ ଅଧିକ ଟଙ୍କା ଫେରସ୍ତ କରାଯାଇଛି।

କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର କେନ୍ଦ୍ର ମନ୍ତ୍ରୀ ବି. ଏଲ୍.ବର୍ମା ରାଜ୍ୟସଭାରେ ଲିଖିତ ଉତ୍ତରରେ କହିଛନ୍ତି 'ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା ତଥା ସେମାନଙ୍କୁ ସଶକ୍ତ କରିବା ପାଇଁ ଗ୍ରାହକ ବ୍ୟାପାର ବିଭାଗ ନିରନ୍ତର କାର୍ଯ୍ୟ କରୁଛି। ଏଥିପାଇଁ ନୂତନ ନିୟମ ମଧ୍ୟ ପ୍ରସ୍ତୁତ କରାଯାଉଛି। ଜଗତୀକରଣ, ପ୍ରଯୁକ୍ତିବିଦ୍ୟା ଏବଂ ଇ-ବାଣିଜ୍ୟର ଆଜିର ଯୁଗରେ, ଉପଭୋକ୍ତା ସୁରକ୍ଷା ଢ଼ାଞ୍ଚାକୁ ଆଧୁନିକୀକରଣ କରିବା ପାଇଁ ଗ୍ରାହକ ସୁରକ୍ଷା ଆଇନ ୧୯୮୬ କୁ ହଟାଇ ୨୦୧୯ର ଗ୍ରାହକ ସୁରକ୍ଷା ଆଇନ କରାଯାଇଥିଲା। ଏହା ଅଧୀନରେ, ସିସିପିଏ ତଥା କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ ସୃଷ୍ଟି କରାଯାଇଛି। କୋଚିଂ ସେଣ୍ଟରଗୁଡିକର ବିଭ୍ରାନ୍ତିକର ବିଜ୍ଞାପନ ବିରୋଧରେ ଏହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫି ଫେରସ୍ତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ ମଧ୍ୟ କରିଛି।

ସିସିପିଏର ଆକ୍ସନ୍‌: 

୨୦୧୯ ର ଗ୍ରାହକ ସୁରକ୍ଷା ଅଧିନିୟମର ଧାରା ୧୦ ଅନୁଯାୟୀ ସିସିପିଏ ପ୍ରତିଷ୍ଠା କରାଯାଇଛି। ଏହାର କାମ ହେଉଛି ଉପଭୋକ୍ତା ଅଧିକାରର ଉଲ୍ଲଂଘନ, ଅନ୍ୟାୟ ବାଣିଜ୍ୟ ଏବଂ ବିଭ୍ରାନ୍ତିକର ବିଜ୍ଞାପନ ବିରୁଦ୍ଧରେ ପଦକ୍ଷେପ ନେବ, ଯେଉଁ ବିଜ୍ଞାପନଗୁଡ଼ିକ ଜନସାଧାରଣ ଏବଂ ଗ୍ରାହକଙ୍କ ସ୍ୱାର୍ଥ ବିରୁଦ୍ଧରେ ଅଟେ। ଉପଭୋକ୍ତା ଅଧିକାରକୁ ପ୍ରୋତ୍ସାହିତ କରିବା, ସୁରକ୍ଷା ଏବଂ କାର୍ଯ୍ୟକାରୀ କରିବା ହେଉଛି ସିସିପିଏ ର ଉଦ୍ଦେଶ୍ୟ। କୋଚିଂ ସେଣ୍ଟରଗୁଡ଼ିକୁ ବିଭ୍ରାନ୍ତିକର ବିଜ୍ଞାପନ ନକରିବାକୁ, ସିସିପିଏ ୧୩ ନଭେମ୍ବର ୨୦୨୪ ରେ ମାର୍ଗଦର୍ଶିକା ୨୦୨୪ ଜାରି କରିଥିଲେଛି। କୋଚିଂ କେନ୍ଦ୍ରଗୁଡ଼ିକୁ ମିଥ୍ୟା କିମ୍ବା ବିଭ୍ରାନ୍ତିକର ଦାବି / ବିଜ୍ଞାପନ ଦେବା ଏବଂ ବିଭ୍ରାନ୍ତକାରୀ କିମ୍ବା ଅନ୍ୟାୟ କାର୍ଯ୍ୟରେ ଲିପ୍ତ ନରହିବାକୁ ଏହି ନିର୍ଦ୍ଦେଶାବଳୀଗୁଡିକ ପ୍ରକାଶ କରାଯାଇଥିଲା।

ଉପଭୋକ୍ତାଙ୍କ ସୁରକ୍ଷା ପାଇଁ, ସିସିପିଏ ବିଭିନ୍ନ ବିଜ୍ଞାପନ କେନ୍ଦ୍ରକୁ ୪୫ ଟି ବିଜ୍ଞପ୍ତି ଜାରି କରିଛି। ୧୯ ଟି କୋଚିଂ ପ୍ରତିଷ୍ଠାନ ଉପରେ ସିିସିପିଏ ୬୧ ଲକ୍ଷ ୬୦ ହଜାର ଟଙ୍କା ଜରିମାନା ଲାଗୁ କରିଛି। ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଅନ୍ୟାୟଭାବେ ବାଣିଜ୍ୟ ଅଭ୍ୟାସ ବନ୍ଦ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉପଭୋକ୍ତା ବ୍ୟାପାର ବିଭାଗ ଦ୍ବାରା ପରିଚାଳିତ ନ୍ୟାସନାଲ ଗ୍ରାହକ ହେଲ୍ପଲାଇନ (ଏନ୍‌ସିଏଚ୍‌) ସମଗ୍ର ଦେଶରେ ଗ୍ରାହକଙ୍କ ପାଇଁ ମକଦ୍ଦମା ପୂର୍ବରୁ ସେମାନଙ୍କ ଅଭିଯୋଗର ସମାଧାନ ପାଇଁ ଏକ ଯୋଗାଯୋଗ ବିନ୍ଦୁ ଭାବରେ ଉଭା ହୋଇଛି। ଗ୍ରାହକମାନେ ସେମାନଙ୍କ ଅଭିଯୋଗକୁ ଟୋଲ୍ ଫ୍ରି ନମ୍ବର ୧୯୧୫ ମାଧ୍ୟମରେ ୧୭ ଟି ଭାଷାରେ ପଞ୍ଜିକରଣ କରିପାରିବେ। ଏହି ଅଭିଯୋଗଗୁଡିକ ଏକୀକୃତ ଅଭିଯୋଗ ନିବାରଣ ତନ୍ତ୍ର (INGRAM) ରେ ଦାଖଲ କରାଯାଇପାରିବ। ଏହି ଇନ୍‌ଗ୍ରାମ୍‌ ହେଉଛି, ଏକ ଛୋଟ ଚ୍ୟାନେଲ୍ ଆଇଟି ସମର୍ଥିତ କେନ୍ଦ୍ରୀୟ ପୋର୍ଟାଲ୍। ଗ୍ରାହକମାନେ ସେମାନଙ୍କର ହ୍ବାଟ୍ସଆପ୍, ଏସ୍ଏମ୍ଏସ୍, ମେଲ୍, ଏନ୍‌ସିଏଚ୍ ଆପ୍, ୱେବ୍ ପୋର୍ଟାଲ୍, ଉମଙ୍ଗ ଆପ୍ ଭଳି ବିଭିନ୍ନ ମାଧ୍ୟମରେ ସେମାନଙ୍କ ସୁବିଧା ଅନୁଯାୟୀ ଅଭିଯୋଗ କରିପାରିବେ।