ଭୁବନେଶ୍ୱର,୨୭/୦୨: ପବିତ୍ର ମହାକୁମ୍ଭ ମେଳାରେ ଏଯାବତ୍‌ ପାଖାପାଖି  ୬୦ କୋଟି ଭକ୍ତଙ୍କ ସମାଗମ ହେଲାଣି । ତଥାପି ସୁରୁଖୁରରେ ଭିଡ଼ ନିୟନ୍ତ୍ରଣ ସହ  ଆଇନଶୃଙ୍ଖଳା ସମ୍ଭାଳିବାରେ ସକ୍ଷମ ହୋଇଛି ଉତ୍ତରପ୍ରଦେଶ ପୁଲିସ ଓ ପ୍ରଶାସନ ।  ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇବି ଖୁରାନିଆଙ୍କ ନେତୃତ୍ୱରେ ଓଡି଼ଶା ପୁଲିସର  ଏକ ସ୍ୱତନ୍ତ୍ର ଦଳ ପ୍ରୟାଗରାଜରୁ ଭିଡ଼ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାର କୌଶଳ  ସବୁ ଶିଖିଛନ୍ତି । ଯାହାକି, ପୁରୀ ରଥଯାତ୍ରାରେ କାମରେ ଆସିବ । 

ବିଗତ ଦିନରେ ଡିଜିପି ଶ୍ରୀ ଖୁରାନିଆ ଓ ଏଡିଜି (ହେଡ୍‌କ୍ୱାର୍ଟର୍ସ) ଦୟାଲ  ଗଙ୍ଗୱାରଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରୟାଗରାଜ ଯାଇଥିଲେ ।  ସେଠାକାର ମହା ଆୟୋଜନରେ କୋଟି କୋଟି ଭକ୍ତଙ୍କ ଭିଡ଼ ନିୟନ୍ତ୍ରଣ ସହ ଟ୍ରାଫିକ୍‌  ପରିଚାଳନାକୁ ପରଖିଥିଲେ ।  ଆସନ୍ତା ଜୁନ୍‌ ୨୭ରେ ବିଶ୍ୱପ୍ରସିଦ୍ଧ  ରଥଯାତ୍ରା ପଡୁଛି । ମୁଖ୍ୟ ଶାସନ  ସଚିବ ମନୋଜ ଆହୁଜାଙ୍କ  ନେତୃତ୍ୱରେ ଲୋକସେବା  ଭବନରେ ଏନେଇ ଏକ ପ୍ରସ୍ତୁତି  ବୈଠକ ସରିଛି । ବୈଠକରେ  କୁମ୍ଭମେଳାରେ ଭିଡ଼ ନିୟନ୍ତ୍ରଣର ଡେମୋକୁ ଉପସ୍ଥାପନା କରିବା ସହ ସିସିଟିଭି  କ୍ୟାମେରା ସର୍ଭେଲେନ୍ସକୁ ଶ୍ରୀ ଖୁରାନିଆ ଗୁରୁତ୍ୱ ଦେଇଛନ୍ତି ।  

ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ପ୍ରତିବର୍ଷ ରଥଯାତ୍ରାରେ ଅତିକମ୍‌ରେ ୧୦ ଲକ୍ଷ  ଭକ୍ତଙ୍କ ସମାଗମ ହେଉଛି । ସିସି କ୍ୟାମେରାରୁ ସଂଗୃହୀତ ରିଅଲ ଟାଇମ୍‌ ଡାଟା  ଅନୁସାରେ ଭିଡ଼ ନିୟନ୍ତ୍ରଣ କରିବା ସହଜ ହେବ । ଏନ୍‌ଏଚ୍‌ ନଂ ୩୧୬ରେ ଉତ୍ତରାରୁ  ମାଳତିପାଟପୁର, ପୁରୀ ସମୁଦ୍ର କୂଳ ଓ ବଡ଼ଦାଣ୍ଡରେ କେଉଁଠି ସିସିଟିଭି କ୍ୟାମେରା  ଖଞ୍ଜାଯିବ, ଏନେଇ ସର୍ଭେ ଚାଲିଛି । ଏଥିପାଇଁ ଓଡି଼ଶା କମ୍ପ୍ୟୁଟର ଆପ୍ଲିକେସନ  ସେଣ୍ଟର (ଓକାକ୍‌) ସହଯୋଗ ଲୋଡ଼ାଯାଇଛି । ଏକ ସ୍ୱତନ୍ତ୍ର କମିଟି ଗଢ଼ାଯାଇଛି ।  କେବଳ ରଥଯାତ୍ରା ପାଇଁ ନୁହେଁ, ବର୍ଷତମାମ ଏହି ସିସି କ୍ୟାମେରା ଚାଲୁ ରହିବ ।  ଗତଥର ରଥଯାତ୍ରାରେ ଡ୍ରୋନ୍‌ ଜରିଆରେ ଭିଡ଼ ନିୟନ୍ତ୍ରଣ କରାଯାଇଥିଲା । ଏଥର  ଏହି ସର୍ଭେଲେନ୍ସକୁ ବ୍ୟାପକ କରାଯିବ । ସହରରେ ଗୋଟିଏ କମାଣ୍ଡ କଣ୍ଟ୍ରୋଲ ରୁମ  ସହ ଏକାଧିକ ସବ୍‌ କଣ୍ଟ୍ରୋଲ ରୁମ୍‌ ମଧ୍ୟ ସ୍ଥାପନ କରାଯିବ ବୋଲି ସେ କହିଛନ୍ତି ।  

ଶ୍ରୀକ୍ଷେତ୍ରରେ ବର୍ଷଯାକ ଯାନିଯାତ୍ରା ଲାଗି ରହୁଛି । ଲକ୍ଷ ଲକ୍ଷ ଭକ୍ତ, ଯାତ୍ରୀ  ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି । ଏନ୍‌ଏଚ୍‌ ନଂ ୩୧୬ ସମେତ ପୁରୀ ସହର ଓ  ଆଖପାଖରେ ଫେସ୍‌ ରେକଗନାଇଜେସ କ୍ୟାମେରା ଖଞ୍ଜିବାକୁ ସରକାର ଯୋଜନା  କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩୪୩ଟି ସମ୍ବେଦନଶୀଳ ଜାଗା ଚିହ୍ନଟ ହୋଇଛି । ଏନ୍‌ଏଚ୍‌  ନଂ ୩୧୬ର ଉତ୍ତରା ଛକରୁ ମାଳତିପାଟପୁର ଭିତରେ ମୋଟ ୩୨ଟି, ସମୁଦ୍ର  କୂଳରେ ୬୫ଟି, ବଡ଼ଦାଣ୍ଡରେ ୩୮ଟି, ସହରର ଗଳିକନ୍ଦିରେ ୫୫ଟି ଜାଗା ଅଛି ।