ନୂଆଦିଲ୍ଲୀ ୦୩/୧୨: ଦୁବାଇ ଜେଲ୍‌ରେ ବନ୍ଦୀ ଅଛନ୍ତି ଅବସରପ୍ରାପ୍ତ ଭାରତୀୟ ସେନା ମେଜର୍ ବିକ୍ରାନ୍ତ ଜେଟ୍ଲି । ୨୦୨୪, ୬ ଡିସେମ୍ବର ସନ୍ଧ୍ୟାରେ ବିକ୍ରାନ୍ତ ଓ ତାଙ୍କ ପତ୍ନୀ ଚାରୁଲ ଦୁବାଇର ମଲ୍ ଅଫ୍ ଦି ଏମିରେଟ୍ସର ବ୍ୟସ୍ତବହୁଳ ବେସ୍‌ମେଣ୍ଟ୍ ପାର୍କିଂରେ ଥିବା ସେମାନଙ୍କ କାର୍ ପାଖକୁ ଚାଲିଚାଲି ଯାଉଥିଲେ । ଉଭୟଙ୍କ ହାତରେ ଥିଲା ସପିଂ ବ୍ୟାଗ୍ । କଳା ପୋଷାକ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ମୁହଁକୁ ଘୋଡ଼ାଇ ଦମ୍ପତିଙ୍କ ପାଖକୁ ଆସିଲେ । ସେମାନେ ଚାରୁଲଙ୍କୁ ପଛକୁ ହଟିଯିବାକୁ କହିଲେ ଏବଂ ବିକ୍ରାନ୍ତଙ୍କ ହାତ ଧରି ଅପେକ୍ଷା କରିଥିବା କଳା ଏସ୍ୟୁଭି ପାଖକୁ ନେଇଗଲେ । ତାଙ୍କୁ ଗାଡ଼ିରେ ବସାଇ ସେଠାରୁ ଚାଲିଗଲେ । ଏହା ପରେ ବିକ୍ରାନ୍ତଙ୍କ ବିଷୟରେ କୌଣସି ଖବର ମିଳିଲା ନାହିଁ ।

ସେହି ଘଟଣା ପରଠୁ ବିକ୍ରାନ୍ତଙ୍କ ମାମଲା ରହସ୍ୟ ଘେରରେ ରହିଛି । ଏହା ୟୁଏଇରେ ଘଟୁଥିବା ‘ବ୍ଲାକ୍ ବକ୍ସ’ ବନ୍ଦୀର ଏକ ସାଧାରଣ ଘଟଣା, ଯେଉଁଥିରେ ସର୍ବସାଧାରଣଙ୍କୁ କୌଣସି ସୂଚନା ବିନା ଲୋକଙ୍କୁ ହେପାଜତକୁ ନେଇ ଅଟକ ରଖାଯାଏ । ତେବେ ବିକ୍ରାନ୍ତଙ୍କ ଭଉଣୀ ଅଭିନେତ୍ରୀ ସେଲିନା ଜେଟ୍‌ଲି ଭାଇଙ୍କୁ ଅଟକ ରଖିବା ସମ୍ପର୍କିତ ସୂଚନା ସାର୍ବଜନୀନ କରିଛନ୍ତି ଏବଂ ଏ ମାମଲାରେ ଭାରତ ସରକାରଙ୍କ ହସ୍ତକ୍ଷେପ ମଧ୍ୟ ଲୋଡ଼ିଛନ୍ତି । ସେଲିନା ଅବସରପ୍ରାପ୍ତ ମେଜର୍‌ଙ୍କ ଏକମାତ୍ର ଜୀବିତ ରକ୍ତ ସମ୍ପର୍କୀୟ । ସେ ଭାଇଙ୍କ ସ୍ଥିତି, ଆଇନଗତ ସାହାଯ୍ୟ ଓ କୂଟନୈତିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଜାଣିବା ପାଇଁ ଦିଲ୍ଲୀ ହାଇକୋର୍ଟର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ।

ତେବେ ବିକ୍ରାନ୍ତଙ୍କ ବିରୋଧରେ ମାମଲାକୁ ଔପଚାରିକ ରୂପେ ସାର୍ବଜନୀନ କରାଯାଇନାହିଁ । ୟୁଏଇ କର୍ତ୍ତୃପକ୍ଷମାନେ ମଧ୍ୟ ମୁହଁ ଖୋଲୁନାହାନ୍ତି । ବିକ୍ରାନ୍ତ କରିଥିବା ଅପରାଧ ବିଷୟରେ ଭାରତର ହାତଗଣତି ଶୀର୍ଷ ଅଧିକାରୀମାନେ ଜାଣିଥିବେ ବୋଲି ଅନୁମାନ କରାଯାଉଛି । ବିକ୍ରାନ୍ତଙ୍କୁ ଏବେ ଆବୁଧାବିର ଅଲ୍ ୱାଥ୍‌ବାହ ଜେଲ୍‌ରେ ରଖାଯାଇଛି । ତାଙ୍କ ସ୍ଥିତି ଅତ୍ୟନ୍ତ ଖରାପ ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ, ଏକ ସମ୍ବେଦନଶୀଳ ଜାତୀୟ ସୁରକ୍ଷା ମାମଲାରେ ତାଙ୍କୁ ବନ୍ଦୀ କରାଯାଇଛି । କୌଣସି ପ୍ରକାର ବାହ୍ୟ ହସ୍ତକ୍ଷେପ ବିନା ୟୁଏଇ ଏହି ମାମଲାର ଯାଞ୍ଚ୍ ପୂରା କରିବ । ଜାତୀୟ ସୁରକ୍ଷା ସମ୍ପର୍କିତ ଯାଞ୍ଚ୍ ମାମଲାରେ ଏ ପ୍ରକାର ଗିରଫ ଏକ ବ୍ୟାପକ ପ୍ୟାଟର୍ନକୁ ଦର୍ଶାଉଥିବା ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ।