ଭୁବନେଶ୍ୱର, ୦୧/୦୪ : ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଜନଗଣନା । ସାରା ଦେଶରେ ଏକାସାଙ୍ଗରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହେବ । ପ୍ରଥମ ୧୫ ଦିନ ସ୍ୱଗଣନା ହେବ । ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି ।

ଏପ୍ରିଲ ପହିଲାରୁ ପ୍ରଥମେ ସ୍ୱଗଣନା ବା ସେଲ୍‌ଫ ଏନୁମରେସନ ହେବ । se.census.gov.in ପୋର୍ଟାଲକୁ ଯାଇ ବା ଏହାର ମୋବାଇଲ ଆପ୍‌ରେ ନିଜେ ନିଜର ତଥ୍ୟ ଦେଇପାରିବେ । ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତ୍ତର ଦେବେ । ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜିଲ୍ଲାରେ ଘରକୁ ଘର ବୁଲି ଜନଗଣନା କରାଯିବ । ଅଧିକାରୀମାନେ ବି ଲୋକଙ୍କୁ ସେହି ସମାନ ୩୩ଟି ପ୍ରଶ୍ନ ପଚାରିବେ । ଭବନ ନଂ, ଘର ନଂ, ଘର ଚଟାଣ ଓ କାନ୍ଥରେ ବ୍ୟବହୃତ ସାମଗ୍ରୀ, ଘର ଅବସ୍ଥା, ପରିବାର କ୍ରମାଙ୍କ, ପରିବାର ମୁଖ୍ୟ ଓ ସଦସ୍ୟଙ୍କ ନାମ ଓ ଲିଙ୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ତଥ୍ୟ, ଘର ମାଲିକାନା ସ୍ଥିତି, ଘର କୋଠରୀ ସଂଖ୍ୟା, ପରିବାରରେ ବିବାହିତ ଦମ୍ପତ୍ତିଙ୍କ ସଂଖ୍ୟା, ପାନୀୟ ଜଳର ମୁଖ୍ୟ ଉତ୍ସ, ଆଲୋକର ମୁଖ୍ୟ ଉତ୍ସ, ଶୌଚାଳୟ, ଶୌଚାଳୟ ପ୍ରକାର, ଅପରିଷ୍କାର ଜଳ ନିଷ୍କାସନ, ଗାଧୁଆ ଘର, ରୋଷେଇ ଘର, ଏଲ୍‌ପିଜି ସଂଯୋଗ, ଖାଦ୍ୟ ରାନ୍ଧିବାକୁ ମୁଖ୍ୟ ଇନ୍ଧନ, ରେଡିଓ, ଟିଭି, ଇଣ୍ଟରନେଟ ସୁବିଧା, ଲାପଟପ, ମୋବାଇଲ ଫୋନ୍‌, ସାଇକେଲ, ସ୍କୁଟର, ମୋଟର ସାଇକେଲ, କାର୍‌, ଜିପ୍‌, ଭ୍ୟାନ୍‌, ମୁଖ୍ୟ ଶସ୍ୟ ଓ ମୋବାଇଲ ନଂ ଭଳି ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ହେବ । ସେଲ୍‌ଫ ଏନୁମରେସନ ବା ପୋର୍ଟାଲରେ ସ୍ୱଗଣନା ବାଧ୍ୟତାମୂଳକ ନୁହେଁ । କିନ୍ତୁ ଯେଉଁମାନେ ଏହାକୁ କରି ନିଜ ତଥ୍ୟ ଦେଇଥିବେ ସେମାନଙ୍କୁ ଆଉ ଜନଗଣନାରେ ସାମିଲ ହେବାକୁ ପଡ଼ିବନି । କେବଳ ଜନଗଣନା କରୁଥିବା ଅଧିକାରୀଙ୍କୁ ନିଜର ରେଫରେନ୍ସ ନମ୍ବର ଦେବାକୁ ହେବ । ବିକଶିତ ଦେଶ ଗଠନ ପାଇଁ ଜନଗଣନା କରୁଥିବା ଅଧିକାରୀଙ୍କୁ ଠିକ୍‌ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି ।

ଆହୁରି ପଢନ୍ତୁ- ଆଗାମୀ ଭବିଷ୍ୟତ ପାଇଁ ରୋଡମ୍ୟାପ ଦେଇଥାଏ ବ୍ୟୟ ମଞ୍ଜୁରୀ ବିଲ୍ : ମୁଖ୍ୟମନ୍ତ୍ରୀ

ସବୁଠୁ ବଡ଼ କଥା ହେଉଛି ଜନଗଣନା ପ୍ରକ୍ରିୟାରେ ଏସ୍‌ଆଇଆର୍‌କୁ ସାମିଲ କରାଯିବନି । ଭୋଟର ତାଲିକା ସଂଶୋଧନ ନେଇ ହେବାକୁ ଥିବା ଏସ୍‌ଆଇଆରକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି । ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏହା କିଛି ଦିନ ପାଇଁ ସ୍ଥଗିତ ରହିଛି । ୨୦୧୧ରେ ଶେଷ ଥର ପାଇଁ ଦେଶରେ ଜନଗଣନା ହୋଇଥିଲା । ଦୀର୍ଘ ୧୫ ବର୍ଷ ପରେ ଜନଗଣନା ହେବାକୁ ଯାଉଛି । ଏଥର ପ୍ରଥମଥର ପାଇଁ ଡିଜିଟାଲ ଭିତ୍ତିକ ଜନଗଣନା ହେବ । ଜନଗଣନାରେ ଜନସଂଖ୍ୟା ତଥ୍ୟ ସହିତ, ଗୃହ ଓ ସାମାଜିକ ତଥା ଅର୍ଥନୈତିକ ମାପଦଣ୍ଡ ଉପରେ ବିସ୍ତୃତ ଓ ବ୍ୟାପକ ତଥ୍ୟ ସଂଗ୍ରହ ହେବ । ଜନଗଣନା ପ୍ରକ୍ରିୟାରେ ରାଜ୍ୟରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ । ତେବେ ଜନଗଣନାର ତଥ୍ୟ ଆର୍‌ଟିଆଇ ବା ସୂଚନା ଅଧିକାର ଆଇନର ପରିସରରେ ଆସିବନି ବୋଲି ଜନଗଣନା ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି । ଜନଗଣନା ସମୟରେ ନାଗରିକ ଦେଉଥିବା ପ୍ରତିଟି ତଥ୍ୟ ଗୋପନୀୟ ରହିବ ।