ଭାରତ ବିରୋଧୀ ଗ୍ୟାଙ୍ଗ ସହ ମିଶିଛନ୍ତି ଅବସରପ୍ରାପ୍ତ ବିଚାରପତି, ଦେଶକୁ ଭାଗ ଭାଗ କରିବାକୁ ଦେବୁନି: କେନ୍ଦ୍ର ଆଇନ ମନ୍ତ୍ରୀ

ନୂଆଦିଲ୍ଲୀ ୧୮/ ୦୩: ‘କିଛି ଅବସରପ୍ରାପ୍ତ ବିଚାରପତି ଓ କାର୍ଯ୍ୟକର୍ତ୍ତା ଭାରତୀୟ ନ୍ୟାୟପାଳିକା ବିରୁଦ୍ଧରେ ଯିବାକୁ ଅହରହ ପ୍ରଚେଷ୍ଟା କରୁଛନ୍ତି । ଏମାନେ ଭାରତ ବିରୋଧୀ ଗ୍ୟାଙ୍ଗ ସହ ହାତ ମିଳାଇ ସାରିଛନ୍ତି’ । ଶନିବାର ଏଭଳି କଡା ବୟାନ ଦେଇଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ । ବିଚାରପତିଙ୍କ ନିଯୁକ୍ତି ପାଇଁ ବ୍ୟବହାର ହେଉଥିବା କଲେଜିୟମ ପ୍ରଣାଳୀ ବାବଦରେ ପୁଣି ଆଲୋଚନା କରିବା ସହିତ ଆଇନ ମନ୍ତ୍ରୀ କହିଛନ୍ତି, ‘ଏହା କଂଗ୍ରେସ ଦଳର ଦୁଃସାହସର ପରିଣାମ’।
କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ‘ଭାରତ ଭିତରେ ଏବଂ ବାହାରେ ଭାରତ ବିରୋଧୀମାନେ ଗୋଟିଏ ଭାଷା ବ୍ୟବହାର କରୁଛନ୍ତି ଆଉ ତାହା ହେଉଛି ଲୋକତନ୍ତ୍ର ବିପଦରେ । ଭାରତରେ ମାନବାଧିକାରର ଅସ୍ତିତ୍ତ୍ବ କିଛି ବି ନାହିଁ । ଏମାନେ ହେଉଛି ଭାରତ ବିରୋଧୀ ଗୋଷ୍ଠୀ । ଏମାନେ ଯାହା କହୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ସମାନ କଥା କହୁଛନ୍ତି । କିନ୍ତୁ ଆମେ ଏହି ଟୁକଡେ ଟୁକଡେ ଗ୍ୟାଙ୍ଗକୁ ଆମ ଅଖଣ୍ଡତା ଏବଂ ଆମର ସଂପ୍ରଭୁତାକୁ ନଷ୍ଟ କରିବାକୁ ଦେବୁ ନାହିଁ । ନିକଟରେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଯେଉଁଥିରେ ଉଚ୍ଚତମ ନ୍ୟାୟାଳୟର କିଛି ଅବସରପ୍ରାପ୍ତ ବିଚାରପତି ଏବଂ କିଛି ବରିଷ୍ଠ ଅଧିବକ୍ତା ଉପସ୍ଥିତ ଥିଲେ । ଦିନ ତମାମ ଚର୍ଚ୍ଚା ହେଉଥିଲା କି, ସରକାର କିଭଳି ଭାବେ ନ୍ୟାୟପାଳିକାକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି’।
ସୂଚନା ଯେ, କେନ୍ଦ୍ରର ବିଜେପି ସରକାର ଲଗାତାର ଭାବେ ସୁପ୍ରିମକୋର୍ଟଙ୍କ କଲେଜିୟମ ପ୍ରଣାଳୀକୁ ବିରୋଧ କରିଆସୁଛି । ଆଜି ପୁଣି ଇଣ୍ଡିଆ ଟୁଡେ କନ୍ଲେଭରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ଏହା ଉପରେ ଆଲୋଚନା କରିଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ. ଚନ୍ଦ୍ରଚୂଡ କିନ୍ତୁ କଲେଜିୟମ ପ୍ରଣାଳୀକୁ ସମର୍ଥନ କରିବା ସହିତ ଏହା ସବୁଠାରୁ ଭଲ ପ୍ରଣାଳୀ ଯାହାକୁ କି ଆମେମାନେ ବିକଶିତ କରିଛୁ ବୋଲି କହିଥିଲେ ।
କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍ କରି କେନ୍ଦ୍ର ମନ୍ତ୍ରୀ କିରେନ୍ ରିଜିଜୁ କହିଛନ୍ତି, ‘ଯେଉଁ ବ୍ୟକ୍ତି ସବୁଠାରୁ ଅଧିକ କହୁଛନ୍ତି ସେ ଅଭିଯୋଗ କରୁଛନ୍ତି ଯେ ତାଙ୍କୁ କହିବାକୁ ଅନୁମତି ଦିଆଯାଉ ନାହିଁ । ଭାରତକୁ ଯେଉଁମାନେ ଭାଗ ଭାଗ କରିବାକୁ ଚାହୁଁଛନ୍ତି ତାଙ୍କୁ କେବେ ବି ତାହା କରିବାକୁ ଦିଆଯିବ ନାହିଁ’।