କଟକ, ୧୬। ୬ : କଟକ କେନ୍ଦ୍ରୀୟ ଟିମର ତିନିଜଣିଆ ପ୍ରତିନିଧିଦଳ ସୋମବାର ଏସସିବି ମେଡିକାଲ କଲେଜ ହସ୍ପିଟାଲର ଡ଼ାଇରିଆ ୱାର୍ଡ ପରିଦର୍ଶନ କରିଛନ୍ତି। ସେଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି।
ଗତ ୧୦ ତାରିଖଠାରୁ ଏ ପର୍ଯ୍ୟନ୍ତ ଡ଼ାଇରିଆ ୱାର୍ଡରେ ୧୪୬ ଜଣ ରୋଗୀ ଚିକିତ୍ସିତ ହୋଇ ୧୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହି ସମୟରେ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ୱାର୍ଡରେ ୨୭ ଜଣ ଡ଼ାଇରିଆ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ପ୍ରତିନିଧି ଦଳ ରୋଗୀ ମାନଙ୍କ ନିକଟକୁ ଯାଇ ସବିଶେଷ ତଥ୍ୟ ନେବା ସହ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ଡ଼ାଇରିଆ ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଅନେକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି ଓ ହସ୍ପିଟାଲ ପକ୍ଷରୁ କୁହାଯାଇଛି।
ଏହି ପ୍ରତିନିଧି ଦଳରେ ଡାକ୍ତର ନିଲମ ସୋମଲକର , ଡାକ୍ତର ପ୍ରମିତ ଘୋଷ, ମାଇକ୍ରୋବାୟୋଲୋଜିଷ୍ଟ ଡାକ୍ତର ସୃଜନା ମହାନ୍ତି ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ଭୂୟାଁ ପ୍ରମୁଖ ସାମିଲ ଥିଲେ। ଏସସିବି ମେଡିକାଲ ଅଧିକ୍ଷକ ପ୍ରଫେସର ଡା. ଗୌତମ କୁମାର ଶତପଥି ସବିଶେଷ ବିବରଣୀ ପ୍ରଦାନ କରିଥିଲେ।