ନୂଆଦିଲ୍ଲୀ,୧୬।୭: ଆମେରିକା-ଇରାନ ଯୁଦ୍ଧ କାରଣରୁ ବଢିଥିବା ବିବାଦ ପରେ ଏବେ ଷ୍ଟେ୍ରଟ୍ ଅଫ୍ ହର୍ମୁଜରେ ବହୁ ଭାରତୀୟଙ୍କ ମୃତ୍ୟୁ ପରେ ଭାରତ ସରକାର ଆକ୍ସନ ମୋଡରେ  ଆସିଛନ୍ତି। ସରକାର ସିପିଂ କମ୍ପାନୀଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଏହା ସହ ପରାମର୍ଶ ଦେଇଛନ୍ତି ଏହି ରାସ୍ତାରେ ଯାଉଥିବା ଜାହାଜରେ କୌଣସି ଭାରତୀୟଙ୍କୁ ମୁତୟନ କରାନଯାଉ। ନିକଟରେ ଆମେରିକା-ଇରାନ ଭିତରେ ପୁଣିଥରେ ଆରମ୍ଭ ହୋଇଛି ସଂଘର୍ଷ। ଏହାକୁ ଦେଖି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ଡାଇରେକ୍ଟର ଜେନେରାଲ ଅଫ୍ ମ୍ୟାରିଟାଇମ୍ ଆଡମିନଷ୍ଟେ୍ରସନ୍ (ଡିଜିଏମ୍ଏ) ସିପ୍ ମାଲିକ, ସିପ୍ ମ୍ୟାନେଜର ଓ ଏଜେନ୍ସିକୁ ଏହି ଆଡଭାଇଜରୀ ଜାରି କରିଛନ୍ତି। ଏହା ଅନୁସାରେ, ସରକାର ସବୁ କମ୍ପାନୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ହର୍ମୁଜ ବାଟ ଦେଇ ଯାଉଥିବା କୌଣସି ଜାହାଜ ଉପରେ ଭାରତୀୟ ନାବିକଙ୍କୁ ମୁତୟନ କରିବାଠାରୁ ଦୂରେଇ ରୁହନ୍ତୁ।

ଢିଜିଏମ୍ଏ ସୋସିଆଲ ମିଡିଆ ପ୍ଳାଟଫର୍ମ ଏକ୍ସରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ଯୁଦ୍ଧ ପ୍ରଭାବିତ ଏହି କ୍ଷେତ୍ରରେ ବ୍ୟାପରିକ ଜାହାଜ ଉପରେ ଲଗାତାର ହେଉଥିବା ଆକ୍ରମଣକୁ ଦେଖି ଭାରତୀୟ ନାବିକଙ୍କ ସୁରକ୍ଷା ସୁନିଶ୍ଚ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଡିଜିଏମ୍ଏ କହିଛନ୍ତି, ସରକାର ଉପସାଗରୀୟ ଦେଶରେ ଦ୍ରୁତ ଗତିରେ ବଦଳୁଥିବା ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି।

ଜାହାଜ ଓ କମ୍ପାନୀକୁ କଡା ନିର୍ଦେଶ

ସୁରକ୍ଷା ଏଜେନ୍ସି ବିପଦକୁ ଦେଖି ଡିଜିଏମ୍ଏ ସବୁ ପକ୍ଷକୁ କିଛି ଜରୁରୀ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେଇଛି।

-ମୁତୟନ ଉପରେ ରୋକ : ସିପ୍ ଓ୍ବନର୍ସ ଆଣ୍ହ ଆରପିଏସଏଲ୍ କମ୍ପାନୀ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ହର୍ମୁଜବାଟ ଦେଇଯାଉଥିବା ଜାହାଜରେ ନାଗରିକଙ୍କୁ ପଠାଇବା ବନ୍ଦ କରୁ।

-ହାଇ-ଆଲର୍ଟ: ପାରସ୍ ଉପସାଗାର, ଷ୍ଟେ୍ରଟ୍ ଅଫ୍ ହର୍ମୁଜ ଓ ଏହାର ଆଖପାଖର ସାମୁଦ୍ରିକ ଅଞ୍ଚଳରେ ସତର୍କତା ବଢାଇ ଦିଆଯାଇଛି।

-ଚେତାବନୀ ଓ ନିୟମର ପାଳନ : ଚେତାବନୀ ଓ ସୁରକ୍ଷା ଆଡଭାଇଜରୀ ଉପରେ ଲଗାତାର କଡା ନଜର ରଖାଯାଉ। ଏହା ସହିତ ଇଣ୍ଟରନ୍ୟାସନାଲ ସିପ୍ ଆଣ୍ଡ ପୋର୍ଟ ଫାସିଲିଟି ସିକ୍ୟୁରିଟି (ଆଇଏସ୍ପିଏସ୍ କୋଡ୍)ର କଡାକଡି ପାଳନ କରିବା ସୁନିଶ୍ଚିତ କରାଯାଉ।

- ସରକାର କୌଣସି ଜରୁରୀକାଳୀନ ସ୍ଥିତିରେ ଡାଇରେକ୍ଯର ଜେନେରାଲ କମ୍ୟୁନିକେସନ୍ ସେଣ୍ଟର ( MMDAC) ଓ ଭାରତୀୟ ନୌସେନା ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।

୧୪ ଭାରତୀୟଙ୍କ ହୋଇସାରିଛି ମୃତ୍ୟୁ

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଇରାନ ଉପରେ ୨୮ ଫେବୃଆରୀରେ ଆମେରିକା-ଇସ୍ରାଏଲ ଆକ୍ରମଣ ପରେ ଆରମ୍ଭ ହୋଇଥିବା ସଂଘର୍ଷରେ ପଶ୍ଚିମ ଏସିଆରେ ଏପର୍ଯ୍ୟନ୍ତ ୧୪ ଭାରତୀୟଙ୍କ ମୃତ୍ୟୁ ହୋଇସାରିଛି। ନିକଟରେ ସେଠାରେ ୨ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ପରେ ଭାରତ ହର୍ମୁଜରେ ଇରାନ ଦୂତାବାସର ଉପ-ମୁଖ୍ୟଙ୍କୁ ଜବାବ ତଲବ କରିଥିଲା ଓ ଏହି ଆକ୍ରମଣକୁ ନେଇ କଡା ବିରୋଧ ପ୍ରକାଶ କରିଥିଲା। ଏହି ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଯାଇଥିଲା ଓ ଅନ୍ୟ ୧୦ ଜଣ ଆହତ ହୋଇଥିଲେ।