ପୁରୀ, ୧୬/୦୭ : ସରିଲା ପହଣ୍ଡି ବିଜେ। ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି। ଧାଡ଼ି ପହଣ୍ଡିରେ ଆସି ଠାକୁରେ ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ବଡ଼ଦାଣ୍ଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଘଣ୍ଟ, ଘଣ୍ଟା, ମୃଦଙ୍ଗ ତାଳରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି। ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପନ୍ନ ହୋଇଛି। ଭକ୍ତିମୟ ପରିବେଶରେ ଶ୍ରୀକ୍ଷେତ୍ର ଉଛୁଳୁଛି। ମହାପ୍ରଭୁ ଜଗନ୍ନାଥ ବିନା ଟାହିଆରେ ସିଂହଦ୍ଵାରରୁ ବାହାରି ରଥାରୂଢ ହୋଇଛନ୍ତି।...

ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ହୋଇଛି। ସେବାୟତମାନଙ୍କ କାନ୍ଧରେ ପ୍ରଭୁ ସୁଦର୍ଶନ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଉପରେ ବିଜେ କରିଛନ୍ତି। ସୁଦର୍ଶନଙ୍କ ପରେ ବଡ଼ ଠାକୁର ବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ଵଜ ରଥରେ ବିରାଜମାନ କରିଛନ୍ତି। ତାଙ୍କ ପରେ ହଳଦୀମୁହିଁ ଦେବୀ ସୁଭଦ୍ରା ଶୂନ୍ୟ ପହଣ୍ଡିରେ ରଥାରୂଢ ହୋଇଛନ୍ତି। ଶେଷରେ କାଳିଆ ସାଆନ୍ତେ ଗହଳି ଲଗାଇ ଝୁଲିଝୁଲି ରଥାରୂଢ ହୋଇଛନ୍ତି। ଏହି ଦିବ୍ୟ ମୁହୂର୍ତ୍ତର ସାକ୍ଷୀ ହେବାକୁ ବଡ଼ଦାଣ୍ଡରେ ଗହଳି ଲାଗିଛି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚର୍ମଚକ୍ଷୁରେ ଏହି ଦିବ୍ୟ ଦୃଶ୍ୟ ଦେଖି କୃତାର୍ଥ ମଣୁଛନ୍ତି। ବର୍ଷାକୁ ଖାତିର ନକରି ମହାପ୍ରଭୁଙ୍କ ବଡ଼ଜାତ ଦେଖିବାକୁ ଧାଇଁ ଆସିଛନ୍ତି। ଏହାପରେ ଗଜପତି ମହାରାଜ ଆସି ତିନି ରଥରେ ଛେରାପହଁରା କରିବେ । ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ ହେବ ।

ଆହୁରି ପଢନ୍ତୁ- ଦାରୁବ୍ରହ୍ମଙ୍କ ରଥରେ ବିଜେ ୩୩ କୋଟି ଦେବତା, ବିଭିନ୍ନ ଯୁଗରେ ଅବତୀର୍ଣ୍ଣ ହୋଇ କରିଛନ୍ତି ଲୀଳାଖେଳା

ରଥ ଯାତ୍ରା ପାଇଁ ପ୍ରଶାସନିକ ସମୟ ଅନୁସାରେ ପ୍ରତ୍ୟୁଷରେ ମଙ୍ଗଳାଳତି, ମଇଲମ ଓ ତଡ଼ପ ଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ନୀତି ବଢ଼ି ବେଶ ଶେଷ ହୋଇଛି । ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚୁଡ଼ି ଭୋଗ ସରିବା ପରେ ରଥ ପ୍ରତିଷ୍ଠା ହୋଇଛି । ଏହାପରେ ମଙ୍ଗଳାର୍ପଣ ସରି ସାଢ଼େ ୯ଟାରେ ଦାରୁଦିଅଁଙ୍କ ପହଣ୍ଡି ଆରମ୍ଭ ହୋଇଛି । ପହଣ୍ଡି ଶେଷ ହେବା ପରେ ଶ୍ରୀମଦନମୋହନ ଓ ଶ୍ରୀରାମଶ୍ରୀକୃଷ୍ଣ ରଥରେ ବିଜେ ହେବେ । ଏହାପରେ ଠାକୁରଙ୍କ ଚିତାଲାଗି ହେବ । ଠାକୁରଙ୍କ ବେଶ ଶେଷ ହେବ। ୨ଟାରୁ ୩ଟା ମଧ୍ୟରେ ଗଜପତି ଛେରାପହଁରା କରିବେ । ୩ଟାରୁ ୪ଟା ମଧ୍ୟରେ ଚାରମାଳ ଫିଟା, ଘୋଡ଼ା ଓ ସାରଥି ଲାଗିବ। ରଥଟଣା ଅପରାହ୍ଣ ୪ଟାରେ ଆରମ୍ଭ ହେବ। ରଥ ଟଣା ଶେଷ ହେଲେ ରଥରେ ଠାକୁରଙ୍କ ଅନ୍ୟାନ୍ୟ ନୀତି ହେବ।