ପୁରୀ, ୧୬।୭ : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି। ପହଣ୍ଡି ସମୟରେ ଅଧା ବାଟରୁ ଖୋଲିଗଲା ମହାପ୍ରଭୁଙ୍କ ଟାହିଆ। ପହଣ୍ଡି ବେଳେ ମହାପ୍ରଭୁଙ୍କ ମସ୍ତକରେ 'ଟାହିଆ' ନ ଥିବା ଘଟଣା ସମଗ୍ର ଓଡ଼ିଆ ଜାତିର ଭାବାବେଗକୁ ଗଭୀର ଆଘାତ ଦେଇଛି।  ଯାହା ପ୍ରଥମ ଥର ପାଇଁ ଘଟିଛି। ପୂର୍ବରୁ କେବେ ଏପରି ଘଟି ନ ଥିଲା।

ଶ୍ରୀଜଗନ୍ନାଥଙ୍କ ପହଣ୍ଡି କଥା ଉଠିଲେ ସର୍ବପ୍ରଥମେ ମନକୁ ଆସେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଉଥିବା ପବିତ୍ର ଟାହିଆ। ଏହା କେବଳ ଏକ ଅଳଙ୍କାର ନୁହେଁ; ଏହା ଶତାବ୍ଦୀ ପୁରୁଣା ପରମ୍ପରା, ସେବାପଦ୍ଧତି, ଆସ୍ଥା ଓ ଓଡ଼ିଆ ଅସ୍ମିତାର ଏକ ଅମୂଲ୍ୟ ପ୍ରତୀକ। ପହଣ୍ଡି ସମୟରେ ଟାହିଆ ମହାପ୍ରଭୁଙ୍କ ଦିବ୍ୟ ରୂପକୁ ଅଧିକ ଗୌରବମୟ କରିଥାଏ। ଏପରି ପବିତ୍ର ପରମ୍ପରାରେ ବ୍ୟତିକ୍ରମ ଘଟିବାକୁ ନେଇ ଭକ୍ତମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି।

ଆଜି ଧାଡ଼ି ପହଣ୍ଡିରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ତାଙ୍କ ପରେ ପରେ ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ପହଣ୍ଡି ହୋଇ ରଥାରୁଢ଼ ହୋଇଥିଲେ । ଶେଷରେ ବଡ଼ଦେଉଳରୁ ବଡ଼ଦାଣ୍ଡକୁ ଜଗନ୍ନାଥ ପହଣ୍ଡିରେ ଆସିଲା ବେଳେ ସାତ ପାହାଚରେ ଟାହିଆ ଲାଗି ହୋଇଥିଲା । ୨୨ ପାହାଚ ଅତିକ୍ରମ କରି ସିଂହଦ୍ୱାର କୁମୁଟରେ ପହଞ୍ଚିଲା ବେଳକୁ କିନ୍ତୁଟାହିଆ ନ ଥିଲା । ଟାହିଆ କେଉଁ ପରିସ୍ଥିତିରେ କୁୁମୁଟ ବାନ୍ଧି ଖସି ପଡ଼ିଲା ନା ମନୁଷ୍ୟକୃତ ତାହା ଜଣାପଡ଼ି ନ ଥିଲା । ଏହାକୁ ନେଇ ନାନା ଚର୍ଚ୍ଚା ଲାଗି ରହିଛି। ପହଣ୍ଡିର ଅଧା ବାଟରୁ ଟାହିଆ ଖୋଲିଯିବା ପରେ ମହାପ୍ରଭୁଙ୍କ ପହଣ୍ଡି ଆଗକୁ ବଢ଼ିଥିବା ଦୃଶ୍ୟ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଏହି ଘଟଣା କେବଳ ଏକ ସାଧାରଣ ତ୍ରୁଟି ନୁହେଁ ବୋଲି ଅନେକ ଭକ୍ତ ମତ ପ୍ରକାଶ କରିଛନ୍ତି; ବରଂ ମହାପ୍ରଭୁଙ୍କ ନୀତି, ପରମ୍ପରା ଓ ସେବାପଦ୍ଧତି ପ୍ରତି ଗୁରୁତର ଅବହେଳାର ପ୍ରଶ୍ନ ଉଠିଛି। ଅନେକ ଏହା ଅଶୁଭ ସୂଚନା ବୋଲି କହୁଥିଲା ବେଳେ କିଛି ଯୁକ୍ତି କରୁଛନ୍ତି ଯେ, ଏହା ମହାପ୍ରଭୁଙ୍କ ଇଛା। ତେବେ ବିନା ଟାହିଆରେ କଳାଠାକୁର ପହଣ୍ଡିରେ ଆସିବା ଜଗନ୍ନାଥପ୍ରେମୀମାନେ ଗ୍ରହଣ କରିପାରୁ ନାହାନ୍ତି।

ଏହି ଘଟଣା ପଛରେ କାହାର ଅବହେଳା ରହିଛି, ଟାହିଆ ବାନ୍ଧିବା ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇଥିଲା କି, ନା ସେବାରେ କୌଣସି ଅସାବଧାନତା ଘଟିଥିଲା—ଏହାକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି। ଭକ୍ତମାନେ ଦାବି କରିଛନ୍ତି ଯେ ଘଟଣାର ତୁରନ୍ତ ଉଚ୍ଚସ୍ତରୀୟ, ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଓଡ଼ିଶାର ନୁହେଁ, ବିଶ୍ୱବ୍ୟାପୀ କୋଟି କୋଟି ଭକ୍ତଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ। ତେଣୁ ମହାପ୍ରଭୁଙ୍କ ନୀତି, ପରମ୍ପରା ଓ ମର୍ଯ୍ୟାଦା ସହ କୌଣସି ପ୍ରକାରର ଅବହେଳାକୁ ଓଡ଼ିଆ ଜାତି କେବେ ବି ଗ୍ରହଣ କରିବ ନାହିଁ।