ପୁରୀ,୧୬।୭ : ରଥଯାତ୍ରା ବେଳେ ଅଘଟଣ। ପୁରୀ ମରିଚକୋଟ ନିକଟରେ ଠେଲାପେଲା। ଏହି  ଠେଲାପେଲାରେ ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତର ମୃତ୍ୟୁ ଘଟିଛି। ମୃତ ଭକ୍ତ ଜଣକ ହେଲେ କଟକର ଅନିଲ ଦାସ। ଏହାଛଡ଼ା ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି।  ଠେଲାପେଲା ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। 

ମହାପ୍ରଭୁଙ୍କ ରଥଯାତ୍ରା ଦେଖିବା ପାଇଁ ପୁରୀ ବଡ଼ଦାଣ୍ଡ ଜନସମୁଦ୍ରରେ ପରିଣତ ହୋଇଛି । ଅସଂଖ୍ୟ ଭକ୍ତଙ୍କ ସମାଗମରେ ଲୋକାରଣ୍ୟ ସାଜିଛି । ଆଉ ଏହି ଗହଳିରେ ଏକ ଅଘଟଣ ଘଟିଛି । ଠାକୁରଙ୍କୁ ଦେଖିବା ପାଇଁ ମରିଚକୋଟ ନିକଟରେ ଭିଡରେ ଜଣେ ଭକ୍ତ ଅଣନିଃଶ୍ବାସୀ ହୋଇ  ତଳେ ପଡିଯାଇଥିଲେ। ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ମହାପ୍ରଭୁଙ୍କୁ ଦେଖି ସୁଖ ଦୁଃଖ ସବୁ କହିବେ ବୋଲି ଭାବିଥିଲେ ଭକ୍ତ । ଦଉଡି ଆସିଥିଲେ ମହାପ୍ରଭୁଙ୍କ ନିକଟରକୁ । ଦୁଇ ହାତ ଟେକି ନିଜକୁ ସମର୍ପି ମଧ୍ୟ ଦେଇଥିବେ । କିନ୍ତୁ କିଏ ଜାଣିଥିଲା ଚଳିତ ବର୍ଷ ରଥଯାତ୍ରା ହେବ ତାଙ୍କ ଜୀବନର ଶେଷ ଦିନ  ।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଡଦାଣ୍ଡରେ ଦଳାଚକଟା ହୋଇ ନାହିଁ। ଭିଡ ଯୋଗୁ ୭ ଜଣ ଅସୁସ୍ଥ ହୋଇଛନ୍ତି। ୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବୃଦ୍ଧଙ୍କର ମୃତ୍ୟୁର କାରଣ ଜଣାପଡି ନାହିଁ। ଜଣେ ଯୁବକର ହୃଦଘାତରେ ମୃତ୍ୟୁ ହୋଇଛି। ବଡଦାଣ୍ଡରେ ପରିସ୍ଥିତି ସ୍ବାଭାବିକ ରହିଛି।

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରଥଯାତ୍ରା ସମୟରେ ବଡଦାଣ୍ଡର ଭିଡରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ହୋଇଥିବା ଖବରକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ପ୍ରାଣ ହରାଇଥିବା ଶ୍ରଦ୍ଧାଳୁଙ୍କ ଅମର ଆତ୍ମାର ସଦଗତି ସହ ଆହତ ହୋଇଥିବା ଶତାଧିକ ଭକ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ଏପରି ଦୁଃଖଦ ସମୟରେ ସଭିଙ୍କ ସହାୟତା ପାଇଁ ବିଜେଡିର ସମସ୍ତ କର୍ମୀ ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ । ରାଜ୍ୟ ସରକାର ଭିଡ ପରିଚାଳନା ସଠିକ ଭାବେ କରି ଭକ୍ତଙ୍କ ସୁବିଧା ତଥା ସୁରକ୍ଷା ସୁନିଶ୍ଚିତ କରନ୍ତୁ ବୋଲି ନବୀନ କହିଛନ୍ତି।