ନୂଆଦିଲ୍ଲୀ,୨୭।୮: ଭାରତରେ ଆୟୋଜନ ହୋଇପାରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୩୦। ନିଲାମ ଆବେଦନ ପାଇଁ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟର ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛି କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ସରକାର ଅହମ୍ମଦାବାଦରେ ଏହାକୁ ଆୟୋଜନ କରିବା ପାଇଁ ଆଦର୍ଶ ସହର ବୋଲି କହିଛନ୍ତି। ସେଠାରେ ବିଶ୍ବସ୍ତରୀୟ ଷ୍ଟାଡିୟମ,ଅତ୍ୟାଧୁନିକ ଟ୍ରେନିଂ ସୁବିଧା ଓ ଖେଳ ପ୍ରତି ଉତ୍ସାହର ବାତାବରଣ ରହିଛି।
କିଛି ଦିନ ପୂର୍ବରୁ ଭାରତୀୟ ଅଲମ୍ପିକ ଆସୋସିଏସନ୍ (ଆଇଓଏ) ‘ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ’ ଜମା କରିଥିଲା। ଯାହାକୁ ଭାରତ ସରକାର ମଞ୍ଜୁରୀ ଦେଇଛନ୍ତି। ପ୍ରେସ ଇନଫରମେସନ୍ ବ୍ୟୁରୋ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଯେଉଁଥିରେ ଭାରତ ପକ୍ଷରୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡାର ଆୟେଜନ ପାଇଁ ବିଡ୍ ଲଗାଇବାର ଅନୁମତି ମଗାଯାଇଥିଲା।’
ଯଦି ଏହା ଗୃହୀତ ହୁଏ, ତେବେ କ୍ୟାବିନେଟ୍ ହୋଷ୍ଟ କୋଲାବୋରେସନ ଏଗ୍ରିମେଣ୍ଟ୍ (HCA) ସ୍ୱାକ୍ଷର, ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରୁ ଆବଶ୍ୟକ ଗ୍ୟାରେଣ୍ଟି ଏବଂ ଗୁଜରାଟ ସରକାରଙ୍କୁ ଅନୁଦାନ ସହାୟତା ପ୍ରଦାନ କରାଯିବ। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ବିଡ୍ ଦାଖଲର ଶେଷ ତାରିଖ ୩୧ ଅଗଷ୍ଟ। କୁହାଯାଉଛି ଯେ IOA ଆଗାମୀ ୪୮ ଘଣ୍ଟା ମଧ୍ୟରେ ସମସ୍ତ ପ୍ରକ୍ରିୟା ସମାପ୍ତ କରିବ। ଯଦି ଏହି ବିଡ୍ ସଫଳ ହୁଏ, ତେବେ ଭାରତ ଦ୍ବିତୀୟ ଥର ରାଜ୍ୟଗୋଷ୍ଠୀ କ୍ରୀଡାର ଆୟୋଜନ କରିବ। ଏହା ପୂର୍ବରୁ ୨୦୧୦ ରେ ନୂଆ ଦିଲ୍ଲୀ ଆୟୋଜନ ହୋଇଥିଲା। ୨୦୨୬ ରେ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। ୨୦୨୨ ମସିହାରେ ଇଂଲଣ୍ଡର ବର୍ମିଂହାମରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା।