ନୂଆଦିଲ୍ଲୀ,୧୦/୧୨: ସଂସଦର ଚଳିତ ଶୀତ ଅଧିବେଶନରେ ସରକାର ଏକ ଦେଶ-ଏକ ନିର୍ବାଚନ ବିଲ୍‌ ଆଣିବାକୁ ପ୍ରସ୍ତୁତ ଅଛନ୍ତି ।  ଏ ସଂକ୍ରାନ୍ତରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ  କମିଟି ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିସାରିଛି । ସରକାର ଏହି  ବିଲ୍‌ ଉପରେ ସହମତ ଆଣିବାକୁ ପ୍ରୟାସ  କରୁଛନ୍ତି । ଆବଶ୍ୟକ ସ୍ଥଳେ ବିଲ୍‌ ଉପରେ  ଅଧିକ ଆଲୋଚନା ପାଇଁ ତାକୁ ଯୁଗ୍ମ ସଂସଦୀୟ  କମିଟି (ଜେପିସି)କୁ ପଠାଇବାକୁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଜେପିସି ଏହି ବିଲ୍‌  ଉପରେ ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କ  ସହ ଆଲୋଚନା କରିବ । ବିଭିନ୍ନ ରାଜ୍ୟର  ବିଧାନସଭା ବାଚସ୍ପତି, ବିଭିନ୍ନ ବିଭାଗର  ବିଶେଷଜ୍ଞ ଓ ଅନ୍ୟ ହିତଧାରକଙ୍କୁ ମଧ୍ୟ  ଏଥିରେ ସାମିଲ କରାଯିବ । ଏହି ପ୍ରସଙ୍ଗରେ  ସାଧାରଣ ଜନତାଙ୍କ ମତାମତ ବି ନିଆଯିବ ।  ସହମତି ବିନା ଏଭଳି ଏକ ବଡ ନିଷ୍ପତ୍ତିକୁ  କାର୍ଯ୍ୟକାରୀ କରିବା ସହଜ ହେବନାହିଁ ।  ଏକ ଦେଶ-ଏକ ନିର୍ବାଚନ ବ୍ୟବସ୍ଥା  କାର୍ଯ୍ୟକାରୀ କରିବାକୁ ହେଲେ ସମ୍ବିଧାନ  ସଂଶୋଧନ ପାଇଁ ୬ଟି ବିଲ୍‌ ଆଣିବାକୁ  ପଡିବ । ଏହା ଉପରେ ସଂସଦରେ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସହମତି ଆବଶ୍ୟକ।