ମହାନ୍ ହିନ୍ଦୁ ପରମ୍ପରାରେ ସମୃଦ୍ଧ ଦେଶ ଭାରତବର୍ଷରେ ଶକ୍ତି ପୂଜାର ବୈଶିଷ୍ଟ୍ୟ ଯୁଗେ ଯୁଗେ ଆଦୃତ । ଯେଉଁ ଶକ୍ତି ପୂଜାର ଆରାଧ୍ୟା ହେଉଛନ୍ତି ବ୍ରହ୍ମଶକ୍ତି ସ୍ୱରୂପିଣୀ ଦେବୀ-ମା’ । ସେ ବି ସୃଷ୍ଟିକାରିଣୀ, ଶାନ୍ତିସ୍ୱରୂପିଣୀ ତଥା ବାତ୍ସଲ୍ୟମୟୀ ଏବଂ କରୁଣାମୟୀ³ସର୍ବୋପରି ମଙ୍ଗଳ ପ୍ରଦାୟନୀ । ଉତ୍କଳରେ ତାଙ୍କୁ ମା’ ମଙ୍ଗଳା ଭାବରେ ବିବିଧ ରୂପ ବା ବିଗ୍ରହ ଆକାରରେ ପୂଜାରାଧାନା କରାଯାଏ । ପ୍ରାୟ ପ୍ରତି ଗ୍ରାମରେ ମଙ୍ଗଳାଙ୍କୁ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ପ୍ରତିଷ୍ଠା କରାଯାଇଛି । ଯେଉଁଠାରେ ନିରୀହ ଗ୍ରାମବାସୀଟିଏ ବିବିଧ ରୀତିନୀତିରେ ପୂଜାର୍ଚ୍ଚନା କରି ନିଜର ମଙ୍ଗଳ ମନାସି ଥାଏ । ରାଜ୍ୟର ଅନେକ ଶକ୍ତିପୀଠରେ ମଧ୍ୟ ମା’ ମଙ୍ଗଳାଙ୍କର ପୂଜା ବୈଦିକ ଯୁଗରୁ ପ୍ରଚଳିତ । କାକଟପୁରର ମା’ ମଙ୍ଗଳା, ଶ୍ରୀକ୍ଷେତ୍ର ନିକଟ ମା’ ବାଟ ମଙ୍ଗଳା,ଶ୍ରୀଜଗନ୍ନାଥଙ୍କ ବେଢାସ୍ଥ କଳ୍ପବଟ ମୂଳରେ ସ୍ଥିତ ବାଟ ମଙ୍ଗଳା ଏହାର ପ୍ରମାଣ ।

ପୁରାଣ ଆଖ୍ୟାନ: ସୃଷ୍ଟି ସର୍ଜନା କରିବା ପାଇଁ ଯେଉଁଦିନ ବେଦପତି ବ୍ରହ୍ମା ଭଗବାନଙ୍କ ନାଭି କମଳରୁ ଆବିର୍ଭୂତ ହେଲେ, ସେହି ଦିନଟି ଥିଲା ଚୈତ୍ର ମାସର ମଙ୍ଗଳବାର । ବ୍ରହ୍ମଦେବ ମହାଶୂନ୍ୟକୁ ଅବଲୋକନ କରି କିଂକର୍ତ୍ତବ୍ୟବିମୂଢ ହୋଇପଡ଼ନ୍ତେ, ମା’ ମଙ୍ଗଳା ସୃଷ୍ଟି ନିର୍ମାଣ କରିବାର ସୂକ୍ଷ୍ମତତ୍ତ୍ୱ ତାଙ୍କୁ ଦର୍ଶନ କରାଇଥିଲେ । ଉକ୍ତ ବିଶ୍ୱାସକୁ ପାଥେୟ କରି ଭକ୍ତ ଚୈତ୍ର ମାସର ପ୍ରତି ମଙ୍ଗଳବାର ମା’ଙ୍କୁ ଭକ୍ତି ସହ ପୂଜାର୍ଚ୍ଚନା କରିଥାଏ । ଏହାକୁ ଏକ ଓଷା ବା ବ୍ରତ ଭାବରେ ବିବାହିତାମାନେ ନିଷ୍ଠାପୂର୍ବକ ପାଳନ କରିଥାନ୍ତି । ଆହୁରି ମଧ୍ୟ କଥିତ ଅଛି ବେଦପତି ବ୍ରହ୍ମାଙ୍କୁ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ମା’ମଙ୍ଗଳା ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରାଇଥିବାରୁ ‘ବାଟ ମଙ୍ଗଳା’ ନାମରେ ଖ୍ୟାତ ହେଲେ । ସେହିପରି ଆଶ୍ୱିନ ମାସରେ ନିଶା ମଙ୍ଗଳବାରର ପୂଜା ମଧ୍ୟ ଓଡ଼ିଶା ଭୂଖଣ୍ଡରେ ଏହି ଶକ୍ତିତତ୍ତ୍ୱ ସହିତ ସମନ୍ୱିତ ।

“ବ୍ରହ୍ମାଙ୍କୁ ବାଟୋଇ ମାତା ସେ ବାଟ ମଙ୍ଗଳା ।

କମ୍ବଳ ଖଣ୍ଡିରେ ମାଗୋ ତୋର ଲୀଳାଖେଳା । ।”

ଏହି ମଙ୍ଗଳବାର ଓଷାକୁ କେହି କେହି ‘ପନ୍ଥେଇ ଓଷା’ ଭାବେ ନାମିତ କରିଥାନ୍ତି । ପନ୍ଥେଇ ବା ପଥରେ ଯଥାବିଧି ମଙ୍ଗଳାପୂଜା କରି ଗ୍ରାମର ଲଳନାମାନେ ମା’ଙ୍କର ଆଶୀର୍ବାଦ କାମନା କରିଥାନ୍ତି । କେତେକ ମଙ୍ଗଳା ବ୍ରତକୁ ନିଜର ମାନସିକ ପୂରଣ ଉଦ୍ଦେଶ୍ୟରେ ପାଳିଥାନ୍ତି । (ଶ୍ରୀକ୍ଷେତ୍ର ମାହାତ୍ମ୍ୟ ପୃଷ୍ଠା ୭୬) ମଙ୍ଗଳା ଓଷାବ୍ରତକୁ କେନ୍ଦ୍ର କରି ଆଉ ଏକ ଲୋକକଥା ଶୁଣାଯାଏ । ଓଡ଼ିଶାର କୌଣସି ଏକ ଗ୍ରାମରେ ଚଇତି ନାମ୍ନୀ ଜଣେ ଦରିଦ୍ର ଅସବର୍ଣ୍ଣ ମହିଳା ପଥ ପ୍ରାନ୍ତରେ ଶୁଭ କଳସଟିଏ ସ୍ଥାପନ କରି ସେଥିରେ ମା’ଙ୍କର ରୂପଲାବଣ୍ୟକୁ ଭକ୍ତିର ସହ ପୂଜାର୍ଚ୍ଚନା କରିବା ଫଳରେ ସେ ସାତ ପୁତ୍ରର ଜନନୀ ହୋଇପାରିଥିଲେ । ସେ ମଧ୍ୟ ରାଜାଙ୍କର ପ୍ରିୟ ପାତ୍ରୀ ହୋଇ ରାଜ ଐଶ୍ଚର୍ଯ୍ୟ ଭୋଗ କରିଥିଲେ । ମା’ମଙ୍ଗଳାଙ୍କ ଆରାଧନାରେ ମୁଖର ସପ୍ତଶତୀରେ କୁହାଯାଇଛି -

ସର୍ବ ମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ

ଶରଣ୍ୟେ ତ୍ରମ୍ବକେ ଗୌରୀ ନାରାୟଣୀ ନମସ୍ତୁତେ ।

ଶରଣାଗତ-ଦୀନାର୍ତ୍ତ-ପରିତ୍ରାଣ ପରାୟଣେ

ସର୍ବସ୍ୟାର୍ତ୍ତିହରେ ଦେବୀ ନାରାୟଣୀ ନମସ୍ତୁତେ ।

 ଆସନ୍ତୁ ସେହି ମଙ୍ଗଳମୟୀଙ୍କର ପଣତ ତଳେ ଆଶ୍ରିତ ହୋଇ ନିଜକୁ ଧନ୍ୟ କରିବା ସହ ଏ ସମାଜକୁ ପାପ, ତାପରୁ ମୁକ୍ତ କରିବାକୁ ପ୍ରାର୍ଥନା ଜଣାଇବା ।