କଟକ,୧୮/୧୨: ରିଅଲ୍ ଇଷ୍ଟେଟ୍ ଡେଭଲପ୍ମେଣ୍ଟ ଅଥରିଟି (ରେରା)ର ସଂଶୋଧିତ ଆଇନକୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଛି । ହାଇକୋର୍ଟ ବୁଧବାର ଏହି ମାମଲାର ପ୍ରାଥମିକ ଶୁଣାଣି କରିଛନ୍ତି । ତେବେ ଜାନୁଆରୀ ତୃତୀୟ ସପ୍ତାହରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଆବେଦନକାରୀ ବିମଳେନ୍ଦୁ ପ୍ରଧାନଙ୍କ ପକ୍ଷରୁ ଆଗତ ପିଟିସନ୍‌ର ବିଚାର କରି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ଡନ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗତ ୩ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ରେରୋ ଆଇନରେ ଏକ ସଂଶୋଧନ ଅଣାଯାଇ ଯେଉଁମାନେ ୨୦୧୬ ପୂର୍ବରୁ ଫ୍ଲାଟ୍ କିଣିଛନ୍ତି ସେମାନଙ୍କ ପାଇଁ ଏହାର ପଞ୍ଜୀକରଣର ବ୍ୟବସ୍ଥା କୋହଳ କରାଯାଇଥିଲା । ସେମାନଙ୍କ ଫ୍ଲାଟ୍ ପଞ୍ଜୀକରଣ ବେଳେ ଅକୁପାନ୍ସି ସାର୍ଟିଫିକେଟ୍, ରେରା ସାର୍ଟିଫିକେଟ୍ ଏବଂ ଆପାର୍ଟମେଣ୍ଟ ଓନର୍ସ ଆସୋସିଏସନ୍ ସାର୍ଟିଫିକେଟ୍ ଆଦିର କୌଣସି ଆବଶ୍ୟକତା ନାହିଁ ବୋଲି ଏହି ସଂଶୋଧିତ ଆଇନରେ ସ୍ପଷ୍ଟ କରାଯାଇଥିଲା ।

ଏହାକୁ ଚାଲେଞ୍ଜ କରି ଆବେଦନକାରୀ ଦର୍ଶାଇଛନ୍ତି ଯେ, ପୂର୍ବରୁ ଫ୍ଲାଟ୍ ପଞ୍ଜୀକରଣ ପାଇଁ ଉପରୋକ୍ତ ସମସ୍ତ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଥିଲା । କିନ୍ତୁ ଏବେ ଏସବୁ କୋହଳ କରିଦିଆଯିବା ଦ୍ୱାରା ଫ୍ଲାଟ୍ ପଞ୍ଜୀକରଣରେ ଯାବତୀୟ ବେଆଇନ କାର୍ଯ୍ୟ ଚାଲିବ ବୋଲି ଆବେଦନକାରୀ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେଣୁ ଏହି ନୂତନ ସଂଶୋଧିତ ଆଇନକୁ ରଦ୍ଦ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ୍ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି ।