ଭୁବନେଶ୍ୱର, ୧୨।୧: ରାଜଧାନୀରେ ଚୋରି କରି ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିବା କୁଖ୍ୟାତ ଚୋର ନଣ୍ଡା ଓରଫ ନିରଞ୍ଜନ ସ୍ୱାଇଁ(୪୯) ପୁଣି କମିଶନରେଟ୍ ପୁଲିସ ହାତରେ ଧରାପଡ଼ିଛି । ନଣ୍ଡାର ଘର ପୁରୀ ଅସ୍ତରଙ୍ଗ ଥାନା ବେଗୁନିଆବସ୍ତ । ନଣ୍ଡାର ସହଯୋଗୀ ଲକ୍ଷ୍ମୀସାଗର ଥାନା କଦଳୀ ଗୋଦାମ ବସ୍ତିର ୨୬ ବର୍ଷୀୟ ମୁନମୁନା ପ୍ରଧାନ ବି ଧରାପଡ଼ିଛି । ଉଭୟଙ୍କୁ ଧଉଳି ଥାନା ପୁଲିସ ଗିରଫ କରିଛି । ସେମାନଙ୍କଠାରୁ ଗୋଟିଏ ଅଟୋ ସମେତ ଏକ ଶାବଳ, ୧୫ଟି ରୁପା କଏନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଆଜି ପୁଲିସ କମିଶନର ଡ. ଏସ୍. ଦେବଦତ୍ତ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, ଗତ ୭ ତାରିଖରେ ଧଉଳି ଥାନା ଅପଶନା ଗାର୍ଡେନ ପ୍ଲଟ୍ ନଂ-୬୮/୧୫୫୨ରେ ରହୁଥିବା ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ଘରୁ ଚୋରି ହୋଇଥିଲା । ୭ ତାରିଖ ରାତିରେ ସନ୍ଧ୍ୟାରାଣୀ ପିଲାଙ୍କୁ ଧରି ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଗରର ଝରକା ଗ୍ରୀଲ ତାଡ଼ି ଅନ୍ୟ ଏକ ବେଡ୍ରୁମ୍ରେ ପଶିଥିଲେ । ଆଲମିରା ତାଡ଼ି ସୁନାରୁପା ଅଳଙ୍କାର ସମେତ ୨୦ ହଜାର ଟଙ୍କା ଲୁଟି ନେଇଥିଲେ । ପରଦିନ ସକାଳେ ଚୋରି ସଂପର୍କରେ ଜାଣି ସେ ଧଉଳି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
ସନ୍ଧ୍ୟାରାଣୀଙ୍କ ଘର ଓ ଆଖପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଚୋରିରେ ଏକ ଅଟୋ ବ୍ୟବହୃତ ହୋଇଥିବା ଜାଣିବାକୁ ପାଇଥିଲା । ଉକ୍ତ ଅଟୋ ନମ୍ବର ଆଧାରରେ ପୁଲିସ ପ୍ରଥମେ ମୁନମୁନା ଓ ପରେ ନଣ୍ଡାକୁ ଗିରଫ କରିବାରେ ସଫଳ ହୋଇଥିଲା । ନଣ୍ଡା ନାଁରେ ରାଜଧାନୀର ବିଭିନ୍ନ ଥାନା-ଖଣ୍ଡଗିରି, ତମାଣ୍ଡୋ, ଶ୍ରୀଲିଙ୍ଗରାଜ, ସହିଦନଗର, ଲକ୍ଷ୍ମୀସାଗର, ମଞ୍ଚେଶ୍ୱର, ମହିଳା ଥାନା, ଇନ୍ଫୋସଟି, ଧଉଳି, ଚନ୍ଦ୍ରଶେଖରପୁର, କ୍ୟାପିଟାଲ, ବାଲିଅନ୍ତା ଏବଂ ବାଲିପାଟଣା ଥାନାରେ ୭୮ଟି ମାମଲା ରହିଛି । ଚୋରି ସହିତ ନଣ୍ଡା ନାମରେ ଏକାଧିକ ଦୁଷ୍କର୍ମ ମଲା ମଧ୍ୟ ରହିଛି । ଅନେକ ଥର ନଣ୍ଡା ଗିରଫ ହୋଇ ଜେଲ୍ ଯାଇଛି । ଜାମିନରେ ଆସିବା ପରେ ସେ ପୁଣି ଚୋରି କାମରେ ମାତି ଯାଉଥିଲା । ଦୀର୍ଘ ୧୯ ବର୍ଷ ହେଲା ସେ ଚୋରି କରୁଥିବା ପୁଲିସ କହିଛି । କମିଶନରେଟ୍ ପୁଲିସ ପକ୍ଷରୁ ନଣ୍ଡାକୁ ଚାମ୍ପିଅନ୍ ଚୋର ଆଖ୍ୟା ଦିଆଯାଇଛି । ନଣ୍ଡାକୁ ଏନ୍ଏସ୍ଏରେ ବୁକ୍ କରାଯିବ ବୋଲି କମିଶନର ଶ୍ରୀ ସିଂହ ଗଣମାଧ୍ୟମକୁ କହିଛନ୍ତି । ଆଜି ନଣ୍ଡା ଏବଂ ମୁନମୁନାଙ୍କୁ କୋର୍ଟଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।