ଦୁବାଇ, ୦୩/୦୩: ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ସ୍ପିନକୁ ପାଥେୟ କରି ଭାରତ ୪୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଅପରାଜେୟ ସାବ୍ୟସ୍ତ ହେବା ସହ ଆଇସିସି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌ ଏ’ରେ ଟପ୍ପର ହୋଇଛି । ରବିବାର ଏହି ମ୍ୟାଚ୍‌ ପରେ ସେମି ଫାଇନାଲ ଲାଇନ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମି ଫାଇନାଲ ଆସନ୍ତା ୪ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ଏବଂ  ଦ୍ୱିତୀୟ ସେମି ଫାଇନାଲ ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । 

ଭାରତ ପୂର୍ବ ମ୍ୟାଚ୍‌ ଭଳି ସେମି ଫାଇନାଲ ମଧ୍ୟ ଦୁବାଇରେ ଖେଳିବ । କିନ୍ତୁ ଦ୍ୱିତୀୟ ସେମି ଫାଇନାଲ ଲାହୋରରେ ଆୟୋଜିତ ହେବ । ଉଭୟ ମ୍ୟାଚ୍‌ ଦିବାରାତ୍ର ହେବ । ଯଦି ଭାରତ ଫାଇନାଲକୁ ଉନ୍ନୀତ ହୁଏ ତେବେ ଫାଇନାଲ ମ୍ୟାଚ୍‌ ଆସନ୍ତା ୯ ତାରିଖରେ ଦୁବାଇରେ ଖେଳାଯିବ । 

ଗ୍ରୁପ୍‌ ଏ’ରେ ଭାରତ ପ୍ରଥମ ମ୍ୟାଚ୍‌ରେ ୬  ୱିକେଟ୍‌ରେ ବାଂଲାଦେଶକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ  ମଧ୍ୟ ୬ ୱିକେଟ୍‌ରେ ଆୟୋଜକ ପାକିସ୍ତାନକୁ ପରାଜିତ କରିଥିଲା । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ  ପ୍ରଥମେ ବ୍ୟାଟିଂ କରି ଦୁବାଇର ମନ୍ଥର ପିଚରେ ୯  ୱିକେଟ୍‌ ହରାଇ ୨୪୯ ରନ୍‌ କରିଥିଲା । ଶ୍ରେୟାସ  ଆୟର (୭୯) ଅର୍ଦ୍ଧଶତକ ହାସଲ କରିଥିଲେ । ବୋଲିଂରେ ବରୁଣ (୫ ୱିକେଟ୍‌) ଘାତକ ବୋଲିଂ  କରି ନ୍ୟୁଜିଲାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ୍‌ କରି  ଅଲ ଆଉଟ୍‌ ହୋଇଥିଲା । କୁଲଦୀପ ଯାଦବ ୨ଟି ଏବଂ ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ  ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।  

ଗ୍ରୁପ୍‌ ବି’ରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ  ଟେବୁଲରେ ପ୍ରଥମ ଏବଂ ଅଷ୍ଟ୍ରେଲିଆ ୪ ପଏଣ୍ଟ  ସହ ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲରେ  ପ୍ରବେଶ କରିଥିଲା । ଗ୍ରୁପ୍‌ ଏ’ରେ ନ୍ୟୁଜିଲାଣ୍ଡ ୨ଟି  ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ  ରହିଛି ।