ବେଙ୍ଗାଲୁରୁ,୦୪/୦୨: ଭାରତୀୟ ଦଳର ପ୍ରିମିୟର ପେସ ବୋଲର ଯଶପ୍ରୀତ  ବୁମରା ଇତି ମଧ୍ୟରେ  ବେଙ୍ଗାଲୁରୁରେ ପହଞ୍ଚି  ଜାତୀୟ କ୍ରିକେଟ୍‌  ଏକାଡେମୀ (ଏନ୍‌ସିଏ) ରେ ଯୋଗ ଦେଇଛନ୍ତି । ବର୍ଡର-ଗାଭାସ୍କର ଟ୍ରଫି  ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ । ଏପର୍ଯ୍ୟନ୍ତ ସେ ଫିଟ୍‌ ହୋଇନଥିଲେ ହେଁ ଚାମ୍ପିଅନ୍ସ ଟ୍ରଫି ପାଇଁ ଦଳରେ  ସ୍ଥାନ ପାଇଛନ୍ତି । ଆଗାମୀ ୩ଦିନ ମଧ୍ୟରେ ବୁମରାଙ୍କ ଫିଟ୍‌ନେସ୍‌ ସମ୍ବନ୍ଧୀୟ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି  ଆଶା କରାଯାଉଛି । 

ଆଜି ବିସିସିଆଇ ଡାକ୍ତରୀ ଦଳଙ୍କ ଅଧିନରେ ବୁମରାଙ୍କ ଆଘାତ ସ୍ଥାନର ସ୍କାନ କରାଯିବ । ସ୍କାନ ରିପୋର୍ଟ ସହ ବୁମରା ଅନ୍ୟ କିଛି ପରୀକ୍ଷାର ସାମ୍ନା କରିବେ । ଆଗାମୀ ୨/୩ ଦିନ ମଧ୍ୟରେ ଏନ୍‌ସିଏ ପକ୍ଷରୁ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ନିକଟକୁ ବୁମରାଙ୍କ ଫିଟ୍‌ନେସ ରିପୋର୍ଟ ପଠାଯିବ । ଏନ୍‌ସିଏ ଫିଟ୍‌ନେସ୍‌ ପ୍ରମାଣପତ୍ର ପ୍ରଦାନ କରିବା ପରେ ବୁମରା ଚାମ୍ପିଅନ୍ସ ଟ୍ରଫି ଖେଳିପାରିବେ । ସିଡନୀ ଟେଷ୍ଟରେ ଆହତ ହେବା ପରେ ବୁମରାଙ୍କୁ ୫ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା । ଏନସିଏରେ ଫିଟ୍‌ନେସ୍‌ ରିପୋର୍ଟ ହସ୍ତଗତ ହେବା ପରେ ତାଙ୍କୁ ଖେଳିବାକୁ ସବୁଜ ସଂକେତ ମିଳିବ । ନଚେତ ତାଙ୍କ ସ୍ଥାନରେ ହର୍ଷିତ ରାଣାଙ୍କୁ ସୁଯୋଗ ମିଳିବ । ହର୍ଷିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ ସମେତ ଚାମ୍ପିଅନ୍ସ ଟ୍ରଫି ଦଳରେ ସ୍ଥାନ ହାସଲ କରିଛନ୍ତି ।