ଭୁବନେଶ୍ୱର ୨୭/୦୭: ଜୀବନରେ ଅନେକ ସମୟରେ ଆମେ ଅନ୍ୟର ଭଲ କରିବାକୁ ଚାହିଁ ଉପରେ ପଡ଼ି ପରାମର୍ଶ ଦେଇ ବସୁ । ଯାହାକୁ ‘ଚାଣ୍ୟକ ନୀତି’ ଗ୍ରହଣ କରେ ନାହିଁ । ମହାଜ୍ଞାନୀ ଚାଣକ୍ୟଙ୍କ ମତରେ ମାଗଣା ପରାମର୍ଶ ଦେବା ଠିକ୍ ନୁହେଁ । ବିଶେଷ କରି ତିନିପ୍ରକାର ମଣିଷଙ୍କୁ ନିଜପଟୁ ଆଗୁଆ ପରାମର୍ଶ ଦେବା ଏକଦମ ଅନୁଚିତ । କାରଣ ଏହା ନିଜ ପାଇଁ ଅନେକ ସମସ୍ୟା ଡାକି ଆଣିଥାଏ । କେଉଁମାନଙ୍କୁ ପରାମର୍ଶ ଦେବା ଅନୁଚିତ୍ ।

ମୁର୍ଖଙ୍କୁ ଦିଅନ୍ତୁ ନାହିଁ ପରାମର୍ଶ : ଯେଉଁ ମଣିଷ ନିଜକୁ ସବୁଠୁ ଜ୍ଞାନୀ ବୋଲି ବିଚାରୁଥାଏ, ନିଜର ଜ୍ଞାନକୁ ହିଁ ଯଥେଷ୍ଟ ମନେ କରୁଥାଏ ସେ କେବେହେଁ ଅନ୍ୟର ପରାମର୍ଶକୁ ଗ୍ରହଣ କରେ ନାହିଁ । ତା’ର ଶୁଭଚିନ୍ତକ ଭାବେ ଆପଣ ତା’ର ତ୍ରୁଟି ସୁଧାରିବାକୁ ଚାହୁଁଥିଲେ ଅବା କିଛି ଉଚିତ ପରାମର୍ଶ ଦେଲେ ସେ କୃତଜ୍ଞ ହେବା ପରିବର୍ତ୍ତେ ଆପଣଙ୍କୁ ଶତ୍ରୁ ବୋଲି ବିଚାର କରିବ । ଚାଣକ୍ୟ କହନ୍ତି ଏପରି ମୁର୍ଖ (ବୋଧଶକ୍ତି ହୀନ) ଙ୍କୁ ଜ୍ଞାନ ବାଣ୍ଟିବା କେବଳ ସମୟର ଅପଚୟ ଅଟେ । ସେ ଆପଣଙ୍କ କଥା ଶୁଣିବ ନାହିଁ, ଓଲଟା ଆପଣଙ୍କ ମାନସିକ ଶାନ୍ତି ନଷ୍ଟ ହୋଇଯିବ ।

କପଟୀଙ୍କୁ ଜ୍ଞାନ ବାଣ୍ଟିବା ବିପଦପୂର୍ଣ୍ଣ : ଯେଉଁ ମଣିଷମାନଙ୍କର ନିୟତ ତଥା ଚରିତ୍ର ସଫା ନୁହେଁ , ସେପରି କପଟୀ ବ୍ୟକ୍ତିଙ୍କୁ ପରାମର୍ଶ ଦେଲେ ଅନେକ ସମୟରେ ଏହା ବିପଦ ଡାକି ଆଣିଥାଏ । ଆପଣଙ୍କ ଜ୍ଞାନକୁ ସେ ଅନ୍ୟକୁ ଧୋକା ଦେବାରେ କିମ୍ବା କ୍ଷତି ପହଞ୍ଚାଇବା ଲାଗି ପ୍ରୟୋଗ କରି ଆପଣଙ୍କୁ ପଦାରେ ପକାଇପାରେ । ଏପରିକି ଆପଣଙ୍କ ପରାମର୍ଶକୁ ସେ କେବେହେଁ ଗ୍ରହଣ ନକରି ଆପଣଙ୍କୁ ଶତ୍ରୁ ବୋଲି ବିଚାର କରିପାରେ । ଏପରି ଛଳନାପୂର୍ଣ୍ଣ ବ୍ୟକ୍ତିଙ୍କୁ ଜ୍ଞାନ ଦେବା ମୂଲ୍ୟହୀନ ବୋଲି କହନ୍ତି ଚାଣକ୍ୟ ।

ଆହୁରି ପଢ଼ନ୍ତୁ...Rising weight in children : ଛୋଟ ପିଲାଙ୍କ ବଢୁଥିବା ଓଜନ ହୋଇପାରେ ଘାତକ , ଆପଣାନ୍ତୁ ଏହି ସ୍ବାସ୍ଥ୍ୟକର ଟିପ୍ସ ..

ନକାରାତ୍ମକ ବ୍ୟକ୍ତିଙ୍କ ଠାରୁ ଦୂରେଇ ରହନ୍ତୁ : ଯେଉଁମାନେ ସବୁ କଥାରେ ସବୁ ପରିସ୍ଥିତିରେ କେବଳ ନକାରାତ୍ମକ ଦିଗଟିକୁ ହିଁ ଦେଖନ୍ତି ସେମାନେ ସବୁବେଳେ ଅଶାନ୍ତ ରହିଥାନ୍ତି । ଘର, ପରିବାର, ବୃତ୍ତି, ଅର୍ଥ ସବୁ ପ୍ରଚୁର ପାଇବା ସତ୍ତେ୍ୱ୍ ଏମାନେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ଏପରି ବ୍ୟକ୍ତିଙ୍କୁ ଉପରେ ପଡି ଭଲ ପରାମର୍ଶ ଦେଲେ ଏମାନେ ସେହି ଭିତରେ ବି ସମସ୍ୟା ଖୋଜି ବସନ୍ତି । ଅତଃ ଏମାନଙ୍କୁ ପରାମର୍ଶ ଦେବା ବୃଥା । ନକରାତ୍ମକ ବ୍ୟକ୍ତିଙ୍କ ନିକଟରୁ ଦୂରେଇ ରହିବାକୁ କେବଳ ଚାଣକ୍ୟ ନୁହନ୍ତି,ଆଜିର ମନୋବିଜ୍ଞାନୀମାନେ ମଧ୍ୟ ପରାମର୍ଶ ଦେଉଛନ୍ତି । ନୋହିଲେ ଏପରି ବ୍ୟାଧି ନିଜକୁ ଗ୍ରାସ କରିବାର ସମ୍ଭାବନା ରହିଥାଏ । ଚାଣକ୍ୟ ଏସବୁ ପ୍ରକୃତିର ଲୋକଙ୍କୁ ସୁପରାମର୍ଶ ଦେବାକୁ ମନା କରିଛନ୍ତି ମାନେ ନୁହେଁ ଯେ ଆପଣ କାହାକୁ ବି ସୁପରାମର୍ଶ ଦେବେ ନାର୍ହି । ପରନ୍ତୁ ବୁଝିବିଚାରି ଅନ୍ୟକୁ ପରାମର୍ଶ ଦେବାକୁ ସେ ପରୋକ୍ଷରେ ଦର୍ଶାଇଯାଇଛନ୍ତି ।