ନୂଆଦିଲ୍ଲୀ,୨୬ \୭ : ଆଜିକାଲି ଛୋଟ ପିଲାଙ୍କର ଜୀବନଶୈଳୀ ବି ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ପିଲାମାନେ ପୂର୍ବରୁ ଅଧିକାଂଶ ସମୟ ଖେଳିବାରେ ବିତାଉଥିଲେ, ଏବେ ସେମାନେ ମୋବାଇଲ୍ , ଫୋନ୍, ଟେଲିଭିଜନ ଏବଂ ଅନ୍ୟାନ୍ୟ ସ୍କ୍ରିନ୍ ଡିଭାଇସ୍ ସହିତ ବେଶୀ ସମୟ ବିତାଉଛନ୍ତି। ଏହା ସହିତ, ବାହାରେ ଖାଇବା, ମିଠା ପାନୀୟ ଏବଂ ପ୍ୟାକେଜ୍ ହୋଇଥିବା ଖାଦ୍ୟ ପିଲାମାନଙ୍କ ଦୈନନ୍ଦିନ ଖାଦ୍ୟର ଏକ ବଡ଼ ଅଂଶ ହୋଇଯାଉଛି। ଏହି କାରଣ ଯୋଗୁଁ, ଅନେକ ପିଲାଙ୍କର ଓଜନ ବୃଦ୍ଧି ପାଉଛି ।
ପିଲା ମାନଙ୍କର ଓଜନ ବୃଦ୍ଧି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ଆବଶ୍ୟକ ଠାରୁ ଅଧିକ ଓଜନ ବୃଦ୍ଧି ପିଲାମାନଙ୍କୁ ଶୀଘ୍ର କ୍ଳାନ୍ତ କରିପାରେ, ଖେଳି କୁଦରେ ଅସୁବିଧା ହୋଇପାରେ ଏବଂ ପରେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ବଢାଇ ଦେଇପାରେ। ତେଣୁ, ଏହାକୁ ଧ୍ୟାନ ଦେବା ଆବଶ୍ୟକ । କିଛି ସରଳ ଦୈନନ୍ଦିନ ଅଭ୍ୟାସ ଗ୍ରହଣ କରିବା ଦ୍ୱାରା ପିଲାମାନଙ୍କର ଓଜନ ନିୟନ୍ତ୍ରଣରେ ରହିପାରିବ। ଆସନ୍ତୁ ଜାଣିବା ପିଲାଙ୍କ ଓଜନ ହ୍ରାସ କରିବା ପାଇଁ ସେମାନଙ୍କ ଖାଦ୍ୟରେ କ’ଣ ସାମିଲ କରିବା ।
ରୋଗ ନିୟନ୍ତ୍ରଣ ଏବଂ ନିବାରଣ କେନ୍ଦ୍ର (CDC) ଅନୁଯାୟୀ, ପିଲାମାନଙ୍କୁ ପ୍ରତିଦିନ ଖେଳିବା, ଦୌଡ଼ିବା, ସାଇକେଲ ଚଲାଇବା କିମ୍ବା ତାଙ୍କ ପସନ୍ଦର କିଛି ଶାରୀରିକ ଖେଳ ଖେଳିବାକୁ ଉତ୍ସାହିତ କରନ୍ତୁ । ଦୈନନ୍ଦିନ କାର୍ଯ୍ୟକଳାପ ଅଧିକ କ୍ୟାଲୋରି ନଷ୍ଟ କରେ ଏବଂ ଓଜନ ନିୟନ୍ତ୍ରଣ ବଜାୟ ରଖିବାରେ ସାହାଯ୍ୟ କରେ । ଏହା ପିଲାମାନଙ୍କୁ ଫିଟ୍ ଏବଂ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ମିଠା ପାନୀୟ କମ୍ ଦିଅନ୍ତୁ
କୋଲ୍ଡ ଡ୍ରିଙ୍କସ୍, ପ୍ୟାକେଜ୍ ଜୁସ୍ ଏବଂ ଅଧିକ ଚିନି ଥିବା ପାନୀୟ ବଦଳରେ, ପିଲାମାନଙ୍କୁ ସାଦା ପାଣି, କ୍ଷୀର କିମ୍ବା ହୋମ୍ ମେଡ୍ ପାନୀୟ ଦିଅନ୍ତୁ । କାରଣ ମିଠା ପାନୀୟରେ କ୍ୟାଲୋରୀ ଅଧିକ ଥାଏ, ଯାହା ଦ୍ରୁତ ଓଜନ ବୃଦ୍ଧି କରି ପାରେ । ପିଲାମାନଙ୍କ ମଧ୍ୟରେ ପାଣି ପିଇବାର ଅଭ୍ୟାସକୁ ବଢେଇବାକୁ ଚେଷ୍ଟା କରନ୍ତୁ ।
ଘରେ ରନ୍ଧା ଖାଦ୍ୟ ଖାଇବାକୁ ଦିଅନ୍ତୁ
ପିଲାମାନଙ୍କୁ ଯଥାସମ୍ଭବ ଘର ତିଆରି ଖାଦ୍ୟ ଖାଇବାକୁ ଦିଅନ୍ତୁ । ନିୟମିତ ଭାବରେ ବାହାରର ଫାଷ୍ଟଫୁଡ୍,ତେଲ ଭାଜି ଖାଦ୍ୟ ଏବଂ ପ୍ୟାକେଜ୍ ହୋଇଥିବା ଖାଦ୍ୟ ଖାଇବାରୁ ଦୂରେଇ ରୁଖନ୍ତୁ । ଘରେ ରନ୍ଧା ହୋଇଥିବା ଏକ ସନ୍ତୁଳିତ ଖାଦ୍ୟ ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ ଯୋଗାଇଥାଏ ଏବଂ ଓଜନ ବୃଦ୍ଧିର ଆଶଙ୍କା କୁ ବି ହ୍ରାସ କରେ ।
ସ୍କ୍ରିନ୍ ସମୟ ହ୍ରାସ କରନ୍ତୁ
ପିଲାମାନଙ୍କ ମୋବାଇଲ୍, ଟିଭି ଏବଂ ଟାବଲେଟ୍ ଦେଖିବା ସମୟ ସୀମିତ କରନ୍ତୁ । ଦୀର୍ଘ ସମୟ ସ୍କ୍ରିନ୍ ସମୟ ଶାରୀରିକ କାର୍ଯ୍ୟକଳାପକୁ ହ୍ରାସ କରେ, ଯାହା ଓଜନ ବୃଦ୍ଧି କରିପାରେ । ଖାଲି ସମୟରେ ବାହାରେ ଖେଳିବାକୁ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପରେ ସାମିଲ୍ କରନ୍ତୁ ।
ନିଦ ପୁରା ହେବାକୁ ଦିଅନ୍ତୁ
ପିଲାମାନଙ୍କ ପାଇଁ ଭଲ ନିଦ ବି ଉପଯୁକ୍ତ ପୁଷ୍ଟିସାର ଏବଂ ଶାରୀରିକ କାର୍ଯ୍ୟକଳାପ ପରି ଗୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ଠିକ୍ ସମୟରେ ଶୋଇବା ଏବଂ ଉଠିବାର ଅଭ୍ୟାସ କରାନ୍ତୁ । ପର୍ଯ୍ୟାପ୍ତ ନିଦ ଶରୀରକୁ ଆକ୍ଟିଭ ରଖିବା ସହ ଓଜନ ବୃଦ୍ଧିର ଆଶଙ୍କା ହ୍ରାସ କରିପାରେ ।
ପିଲାଙ୍କ ଖାଦ୍ୟରେ କ’ଣ ସାମିଲ କରିବେ ?
ପ୍ରତିଦିନ ଆପଣଙ୍କ ପିଲାର ଖାଦ୍ୟରେ ତାଜା ଫଳ, ସବୁଜ ପନିପରିବା, ଶସ୍ୟ, ଡାଲି, କ୍ଷୀର, ଦହି, ପନିର, ଅଣ୍ଡା କିମ୍ବା ଅନ୍ୟାନ୍ୟ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସାମିଲ କରନ୍ତୁ । ଖାଦ୍ୟରେ ଚିନି, ଲୁଣର ପରିମାଣ ସୀମିତ କରନ୍ତୁ । ପ୍ୟାକେଜ୍ ହୋଇଥିବା ଖାଦ୍ୟ ଏବଂ ମିଠା ପାନୀୟ ବଦଳରେ ସୁସ୍ଥ ଘରୋଇ ବିକଳ୍ପ ବାଛନ୍ତୁ । ଏହା ସହିତ, ପିଲାମାନଙ୍କୁ ସାରା ଦିନ ପ୍ରଚୁର ପାଣି ପିଇବାକୁ ଉତ୍ସାହିତ କରନ୍ତୁ । ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ସହ ବିଭିନ୍ନ ପ୍ରକାରର ପୁଷ୍ଟିକର ଖାଦ୍ୟ ଦେବାକୁ ଚେଷ୍ଟା କରନ୍ତୁ ।
ପିତା-ମାତା କେଉଁ ବିଷୟରେ ରଖିବେ ଧ୍ୟାନ ?
ପିଲାମାନଙ୍କ ମଧ୍ୟରେ ଭଲ ଅଭ୍ୟାସ ବିକଶିତ କରିବାରେ ପିତା-ମାତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ସମ୍ପୂର୍ଣ୍ଣ ପରିବାର ସୁସ୍ଥ ଖାଦ୍ୟ ଗ୍ରହଣ କରିବା ଉଚିତ, କାରଣ ପିଲାମାନେ ବୟସ୍କମାନଙ୍କୁ ଦେଖି ଶୀଘ୍ର ଶିଖନ୍ତି । ଖାଇବା ବେଳେ ପିଲାମାନଙ୍କୁ ଗାଳି ଦିଅନ୍ତୁ ନାହିଁ । ପିଲାଙ୍କୁ ପ୍ରେମର ସହ ଖାଇବାକୁ ଦିଅନ୍ତୁ ଏବଂ ସେମାନଙ୍କ ପସନ୍ଦ ଓ ଅପସନ୍ଦକୁ ବି ଧ୍ୟାନ ଦିଅନ୍ତୁ । ଯଦି ପିଲାର ଓଜନ ବଢ଼ିବାରେ ଲାଗେ, ତେବେ ବିଳମ୍ବ ନକରି ଶିଶୁ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଉପଯୁକ୍ତ ପରାମର୍ଶ ଏବଂ ଛୋଟ, ସୁସ୍ଥ ଅଭ୍ୟାସ ଆପଣଙ୍କ ପିଲାକୁ ଦୀର୍ଘକାଳୀନ ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବ ।