ମୁମ୍ୱାଇ - ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର୍ ରାଜେଶ ଖାନ୍ନା ନିଜର ଆକର୍ଷଣୀୟ ଗ୍ଲାମର ପଛରେ ଏପରି ଏକ ଆବେଗପୂର୍ଣ୍ଣ କଷ୍ଟ ଲୁଚାଇ ରଖି ଥିଲେ, ଯାହା ସେ କେବେ ବି ଦୁନିଆ ଆଗରେ ପ୍ରକାଶ କରି ନଥିଲେ। ନିକଟରେ ଏକ ସାକ୍ଷାତକାରରେ ଅଭିନେତାଙ୍କ କଥିତ ପ୍ରେମିକା ଅନିତା ଆଡଭାନୀ ସୁପରଷ୍ଟାରଙ୍କ ସେହି ସମ୍ୱେଦନଶୀଳ ଦିଗ ବିଷୟରେ ଖୁଲାସା କରିଛନ୍ତି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି।

'ମେରୀ ସହେଲୀ' ପୋଡକାଷ୍ଟରେ ଆଲୋଚନା ବେଳେ ଅନିତା କହିଥିଲେ ଯେ, ରାଜେଶ ଖାନ୍ନାଙ୍କୁ ପୋଷ୍ୟ ପୁତ୍ର ଭାବେ ଗ୍ରହଣ କରାଯାଇ ଥିଲା ଏବଂ ଏହି ଖବର ତାଙ୍କ ପାଇଁ ଏକ ଶକ୍ତ ଧକ୍କା ସଦୃଶ ଥିଲା। ସୁପରଷ୍ଟାରଙ୍କ ନିଜ ଭଉଣୀଙ୍କ ସହ ହୋଇଥିବା ସାକ୍ଷାତକୁ ମନେପକାଇ ଆଡଭାନୀ କହି ଥିଲେ, ସେ ନିଜ ଭଉଣୀ କିମ୍ବା ପରିବାରର ନିକଟତର ନଥିଲେ। ଥରେ ତାଙ୍କ ଭଉଣୀ ତାଙ୍କୁ ଦେଖା କରିବାକୁ ଆସି ଥିଲେ ଏବଂ ସେ ପଚାରି ଥିଲେ, ' ସେ କିଏ ?' ସେମାନଙ୍କ ମଧ୍ୟରେ କୌଣସି ବିଶେଷ ଭାବପ୍ରବଣର ସମ୍ପର୍କ ନଥିଲା।

ଅନିତା ଏହି କଥା ମଧ୍ୟ କହି ଥିଲେ ଯେ, ରାଜେଶ ଖାନ୍ନା ପ୍ରତ୍ୟେକ ବ୍ୟକ୍ତିଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁ ଥିଲେ। ଏ ସମ୍ପର୍କରେ ଅନିତା କୁହନ୍ତି, ତାଙ୍କର (ରାଜେଶ ଖାନ୍ନାଙ୍କ) କାହା ଉପରେ ବିଶ୍ୱାସ ନଥିଲା। ଯଦି ଆପଣ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ପଚାରିବେ, ତେବେ ମୋର ମନେହୁଏ ଲୋକଙ୍କ ଉପରୁ ତାଙ୍କର ବିଶ୍ୱାସ ଉଠି ଯାଇ ଥିଲା। ପ୍ରଥମତଃ ତାଙ୍କୁ ପୋଷ୍ୟ ପୁତ୍ର କରାଯାଇ ଥିଲା, ତା'ପରେ ସବୁ ସମ୍ପର୍କ ଗୁଡ଼ିକରେ ସେ ପ୍ରତାରଣାର ଶିକାର ହୋଇ ଥିଲେ। ଇଣ୍ଡଷ୍ଟ୍ରିର ବନ୍ଧୁମାନେ ମଧ୍ୟ ତାଙ୍କୁ ବିଶ୍ୱାସଘାତକତା କରି ଥିଲେ। ଯେଉଁମାନଙ୍କୁ ସେ ସାହାଯ୍ୟ କରି ସଫଳ କରାଇ ଥିଲେ, ସେମାନେ ଶେଷରେ ତାଙ୍କ ବିରୋଧୀ ପାଲଟି ଗଲେ। ଏହି କାରଣରୁ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସନ୍ଦେହ କରିବାକୁ ଲାଗି ଥିଲେ।

ଆହୁରି ମଧ୍ୟ ପଢନ୍ତୁ - Rajesh Khanna: ୧୦ ଥର ଛାଡପତ୍ର ମାଗିଥିଲେ ରାଜେଶ ଖାନ୍ନା,ରାଜି ନହୋଇ ସର୍ତ୍ତ ରଖିଥିଲେ ଡିମ୍ପଲ ,ଲିଭ-ଇନ୍-ପାର୍ଟନର କଲେ ଖୁଲାସା..

ଅନିତାଙ୍କ କହିବାନୁସାରେ - ଅନେକ ଲୋକ ଭାବୁ ଥିଲେ ଯେ, ସମୟ ସହ ଖାନ୍ନାଙ୍କ ସ୍ୱଭାବ ଜଟିଳ ହୋଇ ଯାଇ ଥିଲା, କିନ୍ତୁ ସେ ମାନନ୍ତି ଯେ ,ଲୋକଙ୍କ ଉପରୁ ବିଶ୍ୱାସ ଉଠି ଯିବା ଯୋଗୁଁ ଏପରି ହୋଇ ଥିଲା। ଅନିତାଙ୍କ ଅନୁସାରେ , ଲୋକମାନେ ପଚାରନ୍ତି ଯେ ତାଙ୍କ ବ୍ୟକ୍ତିତ୍ୱରେ ଏତେ ପରିବର୍ତ୍ତନ କାହିଁକି ଆସିଲା, ସେ ଏତେ କଠୋର କାହିଁକି ହୋଇଗଲେ। ତାଙ୍କ ଜୀବନର ଆରମ୍ଭ ହିଁ ଏକ କଠିନ ମୋଡ଼ରୁ ହୋଇ ଥିଲା। ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରାଯାଇଥିବା ସତ୍ୟତା ଯେତେବେଳେ ସେ ଜାଣିବାକୁ ପାଇଥିଲେ, ତାହା ତାଙ୍କ ପାଇଁ ଏକ ବଡ଼ ଦୁଃଖ ଥିଲା।

ରାଜେଶ ଖାନ୍ନା ଥିଲେ ହିନ୍ଦୀ ସିନେମାର ଅନ୍ୟତମ ବଡ଼ ସୁପରଷ୍ଟାର୍। ତାଙ୍କୁ ଭାରତର ପ୍ରଥମ ସୁପରଷ୍ଟାର୍ ଭାବେ ଗ୍ରହଣ କରାଯାଏ। ସେ ଫିଲ୍ମ 'ଆଖିରି ଖତ୍' (୧୯୬୬)ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରି ଥିଲେ ଏବଂ 'ଆରାଧନା', 'ଆନନ୍ଦ', 'କଟି ପତଙ୍ଗ', 'ଅମର ପ୍ରେମ', 'ହାଥୀ ମେରେ ସାଥୀ' ଓ 'ସଫର' ଭଳି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଲୋକପ୍ରିୟତା ହାସଲ କରି ଥିଲେ। ଫିଲ୍ମ କ୍ୟାରିୟର ବ୍ୟତୀତ, ରାଜେଶ ଖାନ୍ନା ରାଜନୀତିରେ ମଧ୍ୟ ପ୍ରବେଶ କରି ଥିଲେ ଏବଂ ୧୯୯୨ ରୁ ୧୯୯୬ ମଧ୍ୟରେ ନୂଆଦିଲ୍ଲୀରୁ ସାଂସଦ ରହି ଥିଲେ।

ରାଜେଶ ଖାନ୍ନା ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କୁ ବିବାହ କରି ଥିଲେ ଏବଂ ତାଙ୍କର ଦୁଇଟି ଝିଅ ଟ୍ୱିଙ୍କଲ ଖାନ୍ନା ଓ ରିଙ୍କି ଖାନ୍ନା ଅଛନ୍ତି। ୨୦୧୨ ମସିହାରେ ୬୯ ବର୍ଷ ବୟସରେ ରାଜେଶ ଖାନ୍ନାଙ୍କର ଦେହାନ୍ତ ହୋଇ ଥିଲା। ସେ ନିଜ ସଫଳତାର ଶୀର୍ଷରେ କିଛି ବର୍ଷ ଲୋକଙ୍କ ଅପୂର୍ବ ଭଲପାଇବା ଓ ସମ୍ମାନ ମଧ୍ୟରେ ବିତାଇ ଥିଲେ ଏବଂ ପରବର୍ତ୍ତୀ ସମୟରେ ନିଜ ଜୀବନର ଅବଶିଷ୍ଟ ଦିନଗୁଡ଼ିକ ସେହି ସଫଳତାକୁ ପୁନର୍ବାର ପାଇବାର ପ୍ରୟାସରେ ବିତାଇ ଥିଲେ।