ନୂଆଦିଲ୍ଲୀ: ହରିୟାଣାରେ ବିଜେପିର ବିଶାଳ ବିଜୟ ପରେ କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିଛି । କଂଗ୍ରେସକୁ ଜୋରଦାର ଟାର୍ଗେଟ କରିବା ସହ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ହରିୟାଣା ଫଳାଫଳର ପୁନରାବୃତ୍ତି ହେବ ବୋଲି ଦାବି କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବିଜେପିର ମୁଖ୍ୟ ସହଯୋଗୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ, ଜମ୍ମୁକାଶ୍ମୀରରେ ବିଜେପିକୁ ବି ବଡ଼ ସଫଳତା ମିଳିଛି । ଏହା ସହ ହରିୟାଣାରେ ବଡ଼ ବିଜୟ ଏବଂ ଜମ୍ମୁକାଶ୍ମୀରରେ ବହୁତ ଭଲ ପ୍ରଦର୍ଶନ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟିଡିପି ମୁଖ୍ୟ ।
ଜଣେ ଦକ୍ଷ ନେତାଙ୍କୁ ସମସ୍ତେ ସମର୍ଥନ କରନ୍ତି । ଯାହା ହରିୟାଣାରେ ଦେଖିବାକୁ ମିଳିଛି । ସେହିଭଳି ଜମ୍ମୁକାଶ୍ମୀରରେ ଭୋଟ ପ୍ରତିଶତକୁ ଦେଖିଲେ ବିଜେପି ମଧ୍ୟ ବଡ଼ ପାର୍ଟି ଭାବେ ଉଭା ହୋଇଛି । ସରକାରରେ ସ୍ଥାୟିତ୍ବ ଥିଲେ ହିଁ ବିକାଶ ହୋଇପାରିବ । ବିକାଶ ହୋଇପାରିଲେ ହିଁ ରାଜସ୍ବ ବଢ଼ିପାରିବ ଏବଂ ସବୁ ସମସ୍ୟାର ସମାଧାନ ହୋଇପାରିବ । ଏହା ହିଁ ନରେନ୍ଦ୍ର ମୋଦୀ କରୁଛନ୍ତି ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ ।
ଦୁଇ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଆନ୍ଧ୍ର ପ୍ରଦେଶରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଟିଡିପି ମୁଖିଆ । ଏହା ସହ ଚନ୍ଦ୍ରବାବୁ ନାଇଡୁ ‘ଗୋଟିଏ ଦେଶ ଗୋଟିଏ ନିର୍ବାଚନ’ ସପକ୍ଷରେ ମଧ୍ୟ ମତ ଦେଇଛନ୍ତି । ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ହେବା ଦ୍ବାରା ଦେଶର ବିକାଶ ଉପରେ ପ୍ରଭାବ ପଡ଼ୁଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ହେବାକୁ ଥିବା ନିର୍ବାଚନ ଏବଂ ଏହା ଫଳାଫଳକୁ ନେଇ ପୂର୍ବାନୁମାନ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ହରିୟାଣା ନିର୍ବାଚନ ଫଳାଫଳକୁ ଦେଖିଲେ ଜଣାପଡ଼ୁଛି ଯେ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ମଧ୍ୟ ସମାନ ଫଳ ଆସିପାରେ । ମୁଁ ଏହାକୁ ନେଇ ନିଃସନ୍ଦେହ ରହିଛି, ମୋର ବିଶ୍ବାସ ଏହା ହିଁ ହେବ ବୋଲି ଚନ୍ଦ୍ରବାବୁ ନାଇଡୁ ଦାବି କରିଛନ୍ତି ।