ଭୁବନେଶ୍ବର, ୧୮।୫ : ଇ-ବସ ଆସିବ, ପ୍ରଦୂଷଣ କମିବ, ଭଡା କମିବ - ସ୍ୱପ୍ନ ବଡ। ହେଲେ ସେ ସ୍ୱପ୍ନକୁ ପ୍ଲଗ ଦେବ କିଏ? ସରକାରଙ୍କ ନିଜ ରିପୋର୍ଟ କହୁଛି - ଓଡିଶାରେ ଇ-ବସ ପାଇଁ ଚାର୍ଜିଂ ଷ୍ଟେସନ  ସଂଖ୍ୟା ହେଉଛି ଶୂନ୍ୟ । ରାଜ୍ୟରେ ୧୦୧୪ଟି ଚାର୍ଜିଂ ଷ୍ଟେସନ ଥିବା ବେଳେ ୨ ଲକ୍ଷ ୪୦ ହଜାର ଇଭି ଗାଡ଼ି। ହିସାବ କଲେ ୨୩୮ଟି ଗାଡ଼ି ପିଛା ଗୋଟେ ଷ୍ଟେସନ। କିନ୍ତୁ ଇ-ବସ ପାଇଁ ? ୧୦୦୦ ଇ-ବସ PM e-Bus Sewaରେ ଆସିବ, ହେଲେ ଚାର୍ଜ ହେବ କେଉଁଠି? ଲଣ୍ଡନରେ ୧୭୦୦ ବସ ପାଇଁ ୨ ହଜାର ଚାର୍ଜର। ଓଡିଶାରେ ୨୦୦ ବସ ପାଇଁ ? ଉତ୍ତର ଶୂନ୍ୟ। ଫରକ ପ୍ଲଗରେ ନୁହେଁ, ପଲିସିରେ କି ?

ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁଯାୟୀ ମୋଟ ଚାର୍ଜିଂ ଷ୍ଟେସନ ୧୦୧୪। ଖୋର୍ଦ୍ଧାରେ ସର୍ବାଧିକ ୧୫୦, କଟକରେ ୭୮, ଗଞ୍ଜାମରେ ୬୫। ଗାଡି ପାଇଁ ବି ଅଛି - 2W ଫାଷ୍ଟ ଚାର୍ଜର ୭୬ଟି, 4W ଫାଷ୍ଟ ଚାର୍ଜର ୩୪୭ଟି, ସ୍ଲୋ ଚାର୍ଜର ୫୯୧ଟି।ତେବେ କେତେ ବସ୍ ଚାର୍ଜିଙ୍ଗ ଷ୍ଟେସନ୍ ଅଛି ରାଜ୍ୟରେ? ରିପୋର୍ଟର ଅନୁଯାୟୀ ଓଡିଶାରେ ସ୍କୁଟର ଚାର୍ଜ ହେବ, କାର ଚାର୍ଜ ହେବ, କିନ୍ତୁ ବସ ଚାର୍ଜ ହେବନି। 4W ପାଇଁ ୩୪୭ଟି ଫାଷ୍ଟ ଚାର୍ଜର ଅଛି। ମାନେ ପ୍ରାଇଭେଟ ଗାଡି ପାଇଁ ବ୍ୟବସ୍ଥା ଅଛି। ହେଲେ ସରକାରୀ ଇ-ବସ ପାଇଁ ଗୋଟିଏ ବି ଡେଡିକେଟେଡ ଚାର୍ଜର ନାହିଁ। ଖୋର୍ଦ୍ଧାରେ ୧୫୦ଟି ଚାର୍ଜିଂ ଷ୍ଟେସନ, କିନ୍ତୁ ଗୋଟିଏ ବି ବସ ଡିପୋ ଚାର୍ଜର ନାହିଁ। ମାନେ କେନ୍ଦ୍ର ଯେଉଁ ଏକହଜାର ଇ-ବସ PM e-Bus Sewaରେ ଦେବ, ସେ ବସ ଚାର୍ଜ ହେବ କେଉଁଠି? ବସ ଭୁବନେଶ୍ୱର-କଟକ ବାହାରକୁ ଗଡିପାରିବନି।

ଭୁବନେଶ୍ୱର ମେୟର ସୁଲୋଚନା ଦାସ ମଧ୍ୟ ଇଭି ଗାଡ଼ି ଚାର୍ଜର ସ୍ଥାପନକୁ ଗୁରୁତ୍ୱ ଦେଇଛନ୍ତି। ବସ୍ ଆସିବା ପୂର୍ବରୁ ଚାର୍ଜିଙ୍ଗ ସେଣ୍ଟର୍ ଶୀଘ୍ର ସରକାର ଖୋଲନ୍ତୁ ବୋଲି ଦାବି କରିଛନ୍ତି। ସରକାର ଇଭି ବସ୍ ଚଲାନ୍ତୁ କିନ୍ତୁ ତାସହିତ ବସ୍ କିଣିବା ପାଇଁ ପ୍ରାଇଭେଟ୍ ବସ୍ ମାଲିକଙ୍କୁ ବସ୍ କିଣିବା ପାଇଁ ସବସିଡି ବି ଦିଅନ୍ତୁ। ଯଦି ୮୦ କିମି ରେ ଗୋଟିଏ ଲେଖାଏଁ ଚାର୍ଜର ଲାଗି ପାରିବ ତେବେ ପ୍ରାଇଭେଟ୍ ଗାଡ଼ି ମଧ୍ୟ ଏହାକୁ ବ୍ୟବହାର କରିବା ଉଚିତ୍ ବୋଲି କହିଛନ୍ତି ଅଲ ଓଡ଼ିଶା ବସ୍ ଆସୋସିଏସନ୍ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ । ଓଏସଆରଟିସି ପାଖରେ ଯେତିକି ବସ୍ ଅଛି ପ୍ରାଇଭେଟ୍ ମାଲିକ ମାନଙ୍କ ପାଖରେ ବହୁ ଅଧିକ ଗୁଣା ବସ୍ ଅଛି। ସେହି ଚାର୍ଜିଙ୍ଗ ପଏଣ୍ଟରେ ସେମାନେ ବି ଚାର୍ଜ କରି ପାସେଞ୍ଜର ନେଇ ପାରିବେ। ଇଭି ବସ୍ ରେ ଯାତ୍ରା ପାଇଁ ଲୋକଙ୍କୁ କମ୍ ଟଙ୍କା ଦେବାକୁ ପଡିବ। ପ୍ରଦୂଷଣ ନିୟନ୍ତ୍ରଣ ହେବ ବୋଲି  କହିଛନ୍ତି।

ଆହୁରି ପଢନ୍ତୁ : ଅଳିଆରୁ ହେବ ଘରସଜ୍ଜା ସାମଗ୍ରୀ, ବିଏମସି ଖୋଲିଲା ଥ୍ରୀ ଆର କିଓସ୍କ

​​​​​​​