ପ୍ରେମିକ ୪୨୦ ଗିରଫ, ଧରା ପକାଇଲା ମୋବାଇଲ୍ ଫୋନ୍

ଭୁବନେଶ୍ୱର,୫ା୨(ବ୍ୟୁରୋ): ସ୍ମାର୍ଟ ଚେହେରା ସାଙ୍ଗକୁ ସ୍ମାର୍ଟ କଥାବାର୍ତ୍ତା । ଚୁଟ୍କିରେ ଯୁବତୀମାନଙ୍କୁ ପଟାଇ ଦେଉଥିଲେ । ପ୍ରଥମେ ଲଭ୍, ପରେ ସେକ୍ସ । ଆଉ ତା’ ପରେ ପୁଳାପୁଳା ଟଙ୍କା ଲୁଟୁଥିଲେ । ସର୍ବସ୍ୱ ଲୁଟିବା ପରେ ଅନ୍ୟ ଜଣଙ୍କୁ ଟାର୍ଗେଟ୍ କରୁଥିଲେ । ଏଭଳି ଜଣେ ଧୋକ୍କାବାଜ୍ ତଥା ଚାରିଶବିଶ୍ ପ୍ରେମିକଙ୍କୁ ମହିଳା ଥାନା ପୁଲିସ ଗିରଫ କରିଛି । ତାଙ୍କ ନାମ ପ୍ରିୟରଞ୍ଜନ ନାୟକ । ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି । ସେ ଭୁବନେଶ୍ୱରରେ ରହି ଏଭଳି କାର୍ନାମା ଚଳାଇଥିଲେ । ମହିଳା ଥାନା ପୁଲିସ ସୂଚନା ଅନୁଯାୟୀ, ପ୍ରିୟ ନିଜକୁ ଓଏଏସ୍ ଅଫିସର, ଡାକ୍ତର ଓ ଇଞ୍ଜିନିୟର ବୋଲି ପରିଚୟ ଦେଇ ଧନୀ ଘରର ଝିଅମାନଙ୍କୁ ପ୍ରେମ ଜାଲରେ ଫସାଉଥିଲେ । ବିବାହର ପ୍ରତିଶୃତି ଦେଇ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ । ବିଭିନ୍ନ ଆଳ ଦେଖାଇ ପ୍ରେମିକାମାନଙ୍କ ଠାରୁ ଟଙ୍କା ଲୁଟୁଥିଲେ । ସେମାନଙ୍କ ଟଙ୍କାରେ ରାଜଧାନୀରେ ଅୟସ୍ କରୁଥିଲେ । ଜଣଙ୍କ ଠାରୁ ସର୍ବସ୍ୱ ଲୁଟି ସାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ଟାର୍ଗେଟ୍ କରୁଥିଲେ । ଏହିଭଳି ପ୍ରିୟ ରାଜଧାନୀରେ ଏକାଧିକ ଯୁବତୀଙ୍କ ସହ ସଂପର୍କ ରଖିଥିଲେ । ଭୁବନେଶ୍ୱରରେ ରହୁଥିବା ଯାଜପୁରର ଜଣେ ଯୁବତୀ (ସୋନାଲିକା, ଛଦ୍ମନାମ)ଙ୍କ ସହ ପ୍ରିୟ ସଂପର୍କ ରଖିଥିଲେ । ତିନିଦିନ ତଳେ ସୋନାଲିକାଙ୍କ ଘରେ ପ୍ରିୟ ମୋବାଇଲ୍ ଛାଡି ଦେଇ ବାହାରକୁ ଯାଇଥିଲେ । ଏହି ସମୟରେ ତାଙ୍କ ମୋବାଇଲ୍କୁ ଅନ୍ୟ ଜଣେ ଯୁବତୀଙ୍କ ଫୋନ୍ ଆସିଥିଲା । ସୋନାଲିକା ଫୋନ୍ ଉଠାଇବା ପରେ ଯାହା ଶୁଣିଥିଲେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଉକ୍ତ ଯୁବତୀଙ୍କୁ ମଧ୍ୟ ପ୍ରିୟ ଏଭଳି ପ୍ରେମ ଜାଲରେ ଫସାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣା ପଡିଥିଲା । ସୋନାଲିକାଙ୍କ ଠାରୁ ମଧ୍ୟ ପ୍ରିୟ ଲକ୍ଷାଧିକ ଟଙ୍କା ଠକି ନେଇଥିଲେ । ଶେଷରେ ଠକାମିର ଶିକାର ସୋନାଲିକାଙ୍କ ସମେତ ୩ ଜଣ ଯୁବତୀ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ଆଜି ମହିଳା ଥାନାରେ ଅଭିଯୋଗ କରିଥିଲେ । ମହିଳା ଥାନା ପୁଲିସ ପ୍ରିୟଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି । ପ୍ରିୟ ଏଭଳି ଆଉ କେତେଜଣ ଯୁବତୀଙ୍କୁ ପ୍ରତାରଣା କରିଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛି । ଆସନ୍ତାକାଲି ପ୍ରିୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ମହିଳା ଥାନା ଅଧିକାରୀ ଇମନ କଲ୍ୟାଣୀ ନାୟକ କହିଛନ୍ତି ।