ପ୍ରମୂଖ ଖବର
  • ଟାଙ୍ଗୀ: ବୋମାମାଡ କରି ସୁନା ଦୋକାନରୁ ଲୁଟ
  • ||
  • ପୁରୀ ଜଗନ୍ନାଥ ବଲ୍ଲଭ ପାର୍କିଂରେ ଅଘଟଣ, ଛାତରୁ ଖସିପଡ଼ିଲା କାର୍‌
  • ||
  • ସୁବର୍ଣ୍ଣରେଖାରେ ମଧ୍ୟମ ଏବଂ ବୈତରଣୀରେ ଛୋଟ ଧରଣର ବନ୍ୟା: ସର୍ବୋଚ୍ଚ ଯନ୍ତ୍ରୀ
  • ||
  • କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କଲେ ଚେତେଶ୍ୱର ପୂଜାରା
  • ||
  • ଉଛୁଳା ମହାନଦୀକୁ ଡେଇଁ ପଡ଼ିଲେ ଛାତ୍ରୀ, ସର୍ଚ୍ଚ ଅପରେସନ ଜାରି
  • ||
  • ପୁରୀ-କୋଣାର୍କ ଭିଷ୍ଟାଡମ୍ ଟ୍ରେନ୍ ପାଇଁ ବିଜ୍ଞପ୍ତି ପ୍ରକାଶ, ୩୨କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୯୨ କୋଟି
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଜଳେଶ୍ୱର: ଲଘୁଚାପ ବର୍ଷା ଯୋଗୁଁ ଫୁଲୁଛି ସୁବର୍ଣ୍ଣରେଖା, ବିପଦ ସଂକେତ ଉପରେ ଜଳସ୍ତର
  • ||
  • ନୂଆପଡ଼ାରେ ବାଘ ଆତଙ୍କ, ଛେଳିକୁ ମାରି ଖାଇଦେଲା କଳରାପତରିଆ ବାଘ
  • ||

ଚେତେଶ୍ୱର ପୂଜାରାଙ୍କ ଅବସର ଘୋଷଣା; ସଚିନ, ଯୁବରାଜଙ୍କ ସମେତ ଅନେକ କ୍ରିକେଟ ମହାନାୟକ ଜଣାଇଲେ ଶୁଭେଚ୍ଛା

Published By : Bijay Swain | August 24, 2025 6:47 PM

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରା ରବିବାର ସମସ୍ତ ପ୍ରକାରର କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଭାରତୀୟ କ୍ରିକେଟ ଜଗତର ଦିଗ୍ଗଜମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସଚିନ ତେନ୍ଦୁଲକର, ଯୁବରାଜ ସିଂହ ଏବଂ ଭି.ଭି.ଏସ୍. ଲକ୍ଷ୍ମଣ ପୂଜାରାଙ୍କ ଅବଦାନକୁ ନେଇ ଉଚ୍ଚ ପ୍ରଶଂସା କରିଛନ୍ତି।

ପୂଜାରାଙ୍କ କ୍ୟାରିୟର: 

ସୌରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିବା ଏହି ବ୍ୟାଟ୍ସମ୍ୟାନ ୧୦୩ଟି ଟେଷ୍ଟ ମ୍ୟାଚ ଖେଳି ମୋଟ୍ ୭,୧୯୫ ରନ୍ ସଂଗ୍ରହ କରିଛନ୍ତି। ଯାହାର ହାରାହାରି ଫଳାଫଳ ୪୩.୬୦ ରହିଛି। ତାଙ୍କ ନାମରେ ୧୯ଟି ଶତକ ଏବଂ ୩୫ଟି ଅର୍ଦ୍ଧଶତକ ରହିଛି। ନମ୍ବର ୩ ପୋଜିସନରେ ଭାରତ ପାଇଁ ସେ ଦ୍ୱିତୀୟ ସର୍ବାଧିକ ରନ୍ (୬,୪୮୮) ସଂଗ୍ରହ କରିଛନ୍ତି। ୨୦୨୩ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ସେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।

ସଚିନଙ୍କ ଧନ୍ୟବାଦ ଜ୍ଞାପନ: 

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି ଯେ, "ପୂଜାରା, ତୁମେ ନମ୍ବର ୩ରେ ବ୍ୟାଟିଂ କରିବାକୁ ଆସିଲେ ମୋ ପାଇଁ ଆଶ୍ୱାସନାଦାୟକ ଥିଲା। ତୁମେ ଶାନ୍ତ, ସାହସୀ ଏବଂ ଟେଷ୍ଟ କ୍ରିକେଟ ପ୍ରତି ଗଭୀର ପ୍ରେମ ନେଇ ଖେଳୁଥିଲ। ତୁମର ଦୃଢ଼ ଟେକ୍ନିକ, ଧୈର୍ଯ୍ୟ ଏବଂ ଚାପରେ ଶାନ୍ତ ରହିବାର କ୍ଷମତା ଦଳ ପାଇଁ ମଜବୁତ ସ୍ତମ୍ଭ ଥିଲା। ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ପ୍ରଥମ ଟେଷ୍ଟ ସିରିଜ ଜିତରେ ତୁମର ୫୨୧ ରନ୍ ଅବିସ୍ମରଣୀୟ। ତୁମର ଚମତ୍କାର କ୍ୟାରିୟର ପାଇଁ ଅଭିନନ୍ଦନ। ଦ୍ୱିତୀୟ ଇନିଂସ ପାଇଁ ଶୁଭେଚ୍ଛା!"

ଯୁବରାଜଙ୍କ ପ୍ରଶଂସା: 

ଏହି ଅବସରରେ ଯୁବରାଜ ସିଂହ କହିଛନ୍ତି ଯେ, "ଦେଶ ପାଇଁ ମନ, ଶରୀର ଓ ଆତ୍ମା ଦେଇ ଖେଳୁଥିବା ଜଣେ ଖେଳାଳି! ପୂଜି, ତୁମର ଅସାଧାରଣ କ୍ୟାରିୟର ପାଇଁ ଅଭିନନ୍ଦନ! ଏବେ ଅନ୍ୟ ପଟେ ଦେଖା ହେବ!"

ଲକ୍ଷ୍ମଣଙ୍କ ମନ୍ତବ୍ୟ:  

ଭାରତୀୟ କ୍ରିକେଟ ଜଗତର ଅନ୍ୟତମ ମହାନାୟକ ଭି.ଭି.ଏସ୍. ଲକ୍ଷ୍ମଣ କହିଛନ୍ତି, "ପୂଜାରାଙ୍କୁ ପ୍ରଥମ ଥର ଦେଖିବା ମାତ୍ରେ ତାଙ୍କର ସମ୍ଭାବନା ସ୍ପଷ୍ଟ ଥିଲା। ତାଙ୍କ ସାହସ, ଦୃଢ଼ତା ଏବଂ ନିଷ୍ଠା ଅନନ୍ୟ। ଗାବା ଟେଷ୍ଟରେ ଶରୀରରେ ଅନେକ ଆଘାତ ସତ୍ତ୍ୱେ ତାଙ୍କର ଖେଳ ତାଙ୍କ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ଥିଲା। ଦେଶ ପାଇଁ ସବୁକିଛି ଦେବାକୁ ପ୍ରସ୍ତୁତ ଥିବା ପୂଜାରାଙ୍କୁ ଅଭିନନ୍ଦନ ଏବଂ ତାଙ୍କ ଦ୍ୱିତୀୟ ଇନିଂସ ପାଇଁ ଶୁଭେଚ୍ଛା।"

ସେହିଭଳି ଭାରତୀୟ କୋଚ ଗୌତମ ଗମ୍ଭୀରଙ୍କ ଠାରୁ ଆରମ୍ଭ କରି ଅନେକ କ୍ରିକେଟ ଦିଗ୍ଗଜ ପୂଜାରାଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କର ୨୦୧୮ ଅଷ୍ଟ୍ରେଲିଆ ସିରିଜରେ ପ୍ଲେୟାର ଅଫ୍ ଦି ସିରିଜ ପୁରସ୍କାର ଏବଂ ଗାବା ଟେଷ୍ଟରେ ତାଙ୍କର ଅବିସ୍ମରଣୀୟ ପ୍ରଦର୍ଶନ ସମସ୍ତଙ୍କ ମନରେ ରହିଛି।

ପୂଜାରାଙ୍କ ଅବସର ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ଯୁଗର ଅନ୍ତ ଘଟାଇଛି। ତାଙ୍କର ଧୈର୍ଯ୍ୟ ଓ ନିଷ୍ଠା ନୂଆ ପିଢ଼ିଙ୍କ ପାଇଁ ପ୍ରେରଣା ହେବ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.