ବାରିପଦା,୨୮/୧୦: ଆସ୍ଥାର ମହାପର୍ବ ଛଟ୍‌କୁ ନେଇ ସବୁଠି ଉତ୍ସବର ମାହୋଲ । ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିଛନ୍ତି ବ୍ରତଧାରୀ । ବିଭିନ୍ନ ଘାଟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ସେହିପରି ବାରିପଦାରେ ମଧ୍ୟ ଧୂମଧାମରେ ପାଳିତ ହୋଇଯାଇଛି ଏହି ପର୍ବ। ବୁଢାବଳଙ୍ଗର ତିନୋଟି ସ୍ଥାନରେ ଛଟ୍ ପୂଜା ପାଳିତ ହୋଇଛି । ଏହି ପର୍ବ ପାଳନ ପାଇଁ ପୋଡାଅସ୍ତିଆ ପୋଲ ପାଖରେ ହଜାର ହଜାର ଶ୍ରଦ୍ଧାଳୁ ସମାଗମ ହୋଇଥିଲେ । ତେବେ ଏହି ପର୍ବ ପ୍ରତ୍ୟେକ ବର୍ଷ ୪ଦିନ ଧରି ପାଳିତ ହୁଏ । ପ୍ରଥମ ଦିନ ଅରୁଆ ଅନ୍ନ ସହ ଲାଉସୁଲା ଡାଲି ଭକ୍ଷଣ ବିଧି ପୂର୍ବକ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ। ଦ୍ୱିତୀୟ ଦିନ ପର୍ବକୁ ଖରନା ବୋଲି କୁହାଯାଏ। ଏହିଦିନ ସକାଳୁ ବ୍ରତୀ ଅନ୍ନ ଜଳ ବିନା ବ୍ରତ ପାଳନ କରିଥାଏ । ସନ୍ଧ୍ୟା ପରେ ଚନ୍ଦ୍ର ଦର୍ଶନ ପରେ ନିଷ୍ଠାର ସହ ଗୁଡ଼ ଖିରି ଭକ୍ଷଣ କରାଯାଇଥାଏ। ତୃତୀୟ ଦିନ ସମ୍ପୂର୍ଣ୍ଣ ଦିନରାତି ଅନ୍ନ ଜଳ ବିନା ବ୍ରତ ପାଳନ କରାଯାଏ। ରୀତି ଅନୁସାରେ ଠେକୁଆ ପିଠା ସହ ନାନାଦି ଫଳମୂଳ ସହ ଅସ୍ତଗାମୀ ଜଳାଶୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରାଯାଏ। ଚତୁର୍ଥ ଦିନ ଉଦିତ ସୂର୍ଯ୍ୟଙ୍କୁ ଫଳମୂଳ ପିଠା ସହ ଅର୍ଘ୍ୟ ପ୍ରଦାନ ଓ ହୋମ ଆଦି କାର୍ଯ୍ୟ କରି ବ୍ରତ ସମାପନ କରାଯାଏ। ଏଥିରେ ସୂର୍ଯ୍ୟ ଦେବତାଙ୍କ ପୂଜା ବିଧି ରହିଥାଏ ।