ନୂଆଦିଲ୍ଲୀ, ୧୯/୦୪: ପ୍ରତିବାଦର ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି । ବିଲାସପୁର ବାସିନ୍ଦା ଜଣେ ଯୁବକ ଜଣେ ସରକାରୀ ଅଧିକାରୀଙ୍କ ଟେବୁଲ ଉପରେ ଆଲମଣ୍ଡ ବିଛାଇଦେବା ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ସମ୍ପତ୍ତିର ମ୍ୟୁଟେସନ୍ ଫାଇଲ ଦୀର୍ଘ ୧ ବର୍ଷ ହେଲା ମିଳୁନଥିବା ବେଳେ ଏଭଳି କାର୍ଯ୍ୟ ଜରିଆରେ ସେ ପ୍ରଶାସନିକ ଅବହେଳା ବିରୋଧରେ ଅଭିଯୋଗ କରିଛନ୍ତି । ଏକ ହାଉସିଂ ବୋର୍ଡ କାର୍ଯ୍ୟାଳୟରେ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ଅଭିଯୋଗକର୍ତ୍ତା ତରୁନ ସାହୁ କହିଛନ୍ତି, ଅଫିସ୍‌କୁ ବାରମ୍ବାର ଆସିବା ଏବଂ ଏ ନେଇ ଅନୁରୋଧ କରିବା ସତ୍ତେ୍ୱ କୌଣସି ଫଳ ହେଲା ନାହିଁ ।

ସାହୁ କହିଛନ୍ତି, ପ୍ରାୟ ବର୍ଷେ ପୂର୍ବେ ରିସେଲରେ ସେ ଏକ ଇଡବ୍ଲ୍ୟୁଏସ୍ ଫ୍ଲାଟ୍ କିଣିଥିଲେ । କିନ୍ତୁ ଫାଇଲ ହଜିଯିବାରୁ ମ୍ୟୁଟେସନ୍ ପ୍ରକ୍ରିୟା ଅସମ୍ପୂର୍ଣ୍ଣ ରହିଛି । ଦସ୍ତାବିଜ ବିନା ଔପଚାରିକ ରୂପେ ଫ୍ଲାଟ୍‌ର ମାଲିକାନା ହାସଲ କରିବାରେ ସେ ସକ୍ଷମ ହୋଇପାରି ନାହାନ୍ତି । ସାହୁ କହନ୍ତି, ପ୍ରତି ଥର ଏଠାକୁ ଆସିଲେ, ଫାଇଲ୍ ହଜିଯାଇଥିବା ତାଙ୍କୁ କୁହାଯାଏ । ଏମିତି ଆଉ କେତେ ଦିନ ଚାଲିବ? ଏ ମାମଲାରେ ଧ୍ୟାନ ଆକର୍ଷଣ କରିବା ପାଇଁ ସାହୁ ସାଙ୍ଗରେ ଆଲମଣ୍ଡ ଆଣିଥିଲେ । ସ୍ମରଣ ଶକ୍ତି ସୁଧାର ସହ ଏହାର ସମ୍ପର୍କ ରହିଛି । ଆଲମଣ୍ଡ ସବୁକୁ ସେ ସବ୍-ରେଜିଷ୍ଟ୍ରାର ଅଫିସରଙ୍କ ଟେବୁଲ ଉପରେ ବିଛାଇ ଦେଲେ । ତାଙ୍କ ହଜିଥିବା ଫାଇଲକୁ ଚିହ୍ନଟ କରିବାରେ ବିଭାଗର ବିଫଳତାକୁ ଲୋକଲୋଚନକୁ ଆଣିବା ପାଇଁ ସେ ଏଭଳି ପ୍ରୟାସ ଆପଣେଇଲେ । ତାଙ୍କ ପ୍ରତିବାଦ ଦେଖି କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତେ ହତଚକିତ ହୋଇଗଲେ ।

 

ଏହା ପରଠୁ ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ସରକାରୀ କାର୍ଯ୍ୟାଳୟରେ ପ୍ରଶାସନିକ ଅବହେଳା, ବିଳମ୍ବ ଓ ଦାୟିତ୍ୱବୋଧ ଉପରେ ଏହା ପ୍ରଶ୍ନ ଉଠାଇଛି । ସରକାରୀ କାଗଜପତ୍ର କାମକୁ ନେଇ ଲୋକେ ପ୍ରତିଦିନ କିଭଳି ଭାବେ ସଂଘର୍ଷର ସମ୍ମୁଖୀନ ହେଉଛନ୍ତି, ସେ ବିଷୟରେ ଅନେକ ୟୁଜର୍ ଆଲୋକପାତ କରିଛନ୍ତି । ସାହୁ କର୍ତ୍ତୃପକ୍ଷମାନଙ୍କୁ ମାମଲାରେ ହସ୍ତକ୍ଷେପ କରି ହଜିଲା ଫାଇଲ ଖୋଜିବାକୁ ଅନୁରୋଧ କରିଛନ୍ତି ।

ଆହୁରି ପଢ଼ନ୍ତୁ...Hormuz closed; ଭାରତୀୟ ଜାହାଜ ଉପରେ କାହିଁକି ଇରାନ କଲା ହମ୍‌ଲା ? ଏବେ କହୁଛି ଭାରତ ସହ ମଜବୁତ୍ ସମ୍ପର୍କ...