- ଘେଁସରେ ନିର୍ମାଣ ହେବ ଶହୀଦ ମାଧୋ ସିଂହ ସ୍ମାରକୀ, ୧୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଗାର୍ଲସ ହଷ୍ଟେଲ
- ଦେଶପାଇଁ ଶହୀଦ ମାଧୋ ସିଂହଙ୍କ ପରି ବଳିଦାନର ଉଦାହରଣ ସମଗ୍ର ବିଶ୍ବରେ ବିରଳ
- ଘେଁସର ମହାନାୟକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩୧/୧୨: ବରଗଡ ଜିଲ୍ଲା ଘେଁସଠାରେ ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ହେବ ଏବଂ ଏଥିରେ ତାଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ ସହିତ ଏକ ସ୍ବାଗତ ତୋରଣ, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିପାଇଁ ୬.୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟ ସରକାର ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମପୀଠର ବିକାଶ କରୁଛନ୍ତି। ଏହି ଯୋଜନାରେ ୧୫ କୋଟି ଟଙ୍କା ବିନିଯୋଗରେ ଶହୀଦ ମାଧୋ ସିଂହଙ୍କ ଜନ୍ମପୀଠ ଓ ଗ୍ରାମର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କରାଗଲା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥି ସହିତ ୪ କୋଟି ୪୦ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ୧୦୦ ଆସନ ବିଶିଷ୍ଟ ଏକ ଆଧୁନିକ ଅର୍ବାନ ମଡର୍ଣ୍ଣ ଗାର୍ଲ୍ସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯିବ ଏବଂ ଘେଁସ କଲେଜକୁ ସମ୍ପୂର୍ଣ୍ଣ ନୂଆରୂପରେ ବିକାଶ କରାଯିବ ବୋଲି ଘୋଷଣା କରାଯାଇଛି।
ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, 'ମାଧୋ ସିଂହଙ୍କ ପରି ଦେଶଭକ୍ତ ସମ୍ପୂର୍ଣ୍ଣ ମାନବ ସମାଜକୁ ଗୌରବାନ୍ୱିତ କରିଛନ୍ତି । ତାଙ୍କର ତ୍ୟାଗ କେବଳ ଓଡିଶା ନୁହେଁ, ସାରା ଭାରତ ଏପରିକି ବିଶ୍ବ ଇତିହାସରେ ବିରଳ। ଦେଶପାଇଁ ସେ ନିଜ ଜୀବନ ସହିତ ନିଜର ଚାରିପୁଅ ଓ ଜାମାତାଙ୍କର ମଧ୍ୟ ବଳିଦାନ ଦେଇଥିଲେ।"
ଅଧିକ ପଢ଼ନ୍ତୁ: ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ; ମନୋଜ ଆହୁଜାଙ୍କ ଠାରୁ ନେଲେ ଦାୟିତ୍ବ
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଦିବାସୀ କେବଳ ଯୁଦ୍ଧ ନୁହେଁ, ସମାଜ ଗଠନ ଦିଗରେ, ସାମାଜିକ ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ନିଜର ଯୋଗଦାନ ଦେଇଆସିଛନ୍ତି। ଶହୀଦ ମାଧୋ ସିଂଙ୍କୁ ନିଜର ଆଦର୍ଶ ମନେକରି ବିଂଝାଳ ଜାତି ତାଙ୍କ ବୀରତା ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଗାମୀ ପିଢ଼ି ସହିତ ପରିଚିତ କାରାଇବାର ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି କହିବା ସହିତ ଆଦିବାସୀ କଲ୍ୟାଣ ସଂଘକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶହୀଦ ମାଧୋ ସିଂଙ୍କ ଭଳି ମହାପୁରୁଷମାନଙ୍କୁ ଶ୍ରଦ୍ଧାଞ୍ଜଳି ଏବଂ ସମ୍ମାନ ଜଣାଇବା ପାଇଁ ସେମାନଙ୍କ ଜନ୍ମସ୍ଥାନର ସ୍ୱତନ୍ତ୍ର ବିକାଶ ନିମନ୍ତେ ରାଜ୍ୟ ସରକାର ସଙ୍କଳ୍ପବଦ୍ଧ । ଆମ ସରକାର ଆସିବା ପରେ ମହାପୁରୁଷ ମାନଙ୍କ ସାଧନା, ତ୍ୟାଗ ଓ ସମାଜ ପାଇଁ ଥିବା ଅବଦାନକୁ ନୂତନ ପିଢ଼ି ସହ ପରିଚୟ କରାଇ ସେମାନଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନବୋଧ ଭରିଦେବା ଉଦ୍ଦେଶ୍ୟରେ ଅନେକ ଯୋଜନା ଓ ପଦକ୍ଷେପ ଗ୍ରହଣ କରିଛନ୍ତି।
ଆହୁରି ପଢ଼ନ୍ତୁ: ବଣଭୋଜିସ୍ଥଳ ପ୍ରଦୂଷଣ କଲେ କାର୍ଯ୍ୟାନୁଷ୍ଠାନ, ଇକୋଟୁରିଜିମ୍ ସ୍ଥଳରେ ସରକାରଙ୍କ ନଜର
ଘେଁସର ଏହି ମହାନାୟକଙ୍କୁ ଯଥୋଚିତ ସମ୍ମାନ ଦେବା ପାଇଁ ତାଙ୍କ ଜନ୍ମପୀଠ ଘେଁସକୁ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ କରାଯାଇଛି। ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ୍ ଡ୍ରପ-ଆଉଟ୍ ହାର ରୋକିବା ପାଇଁ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ’ ଯୋଜନା ପ୍ରସ୍ତୁତ ହୋଇଛି। ଏହି ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ନବମ ଓ ଏକାଦଶ ଶ୍ରେଣୀରେ ଅଧ୍ୟୟନ ପାଇଁ ଏକକାଳୀନ ସହାୟତା ରାଶି ଭାବରେ ଛାତ୍ରଛାତ୍ରୀ ପିଛା ୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ଘେଁସ ଗ୍ରାମ ପଞ୍ଚାୟତର ମଧ୍ୟ ୧୦୦ଜଣ ଛାତ୍ରଛାତ୍ରୀ ଏହି ଯୋଜନାରେ ସାମିଲ ହୋଇଛନ୍ତି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଘେଁସ ଗ୍ରାମ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ 'ଘେଁସ ଅଞ୍ଚଳର ୧୩୭୫ ଜଣ ସୁଭଦ୍ରା ଭଉଣୀଙ୍କ ମଧ୍ୟରୁ ୬୧୭ଜଣ ଲକ୍ଷପତି ଦିଦି ହୋଇ ସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ବ୍ୟକ୍ତ କରିଥିଲେ।'
୨୦୩୬ ମସିହା ପାଇଁ ବିକଶିତ ଓଡ଼ିଶାର ଯେଉଁ ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଇଛି, ସେଥିରେ ଘେଁସ ଅଞ୍ଚଳର ମଧ୍ୟ ଭାଗିଦାରୀ ରହିଛି ତେଣୁ ଏ ଅଞ୍ଚଳର ବରପୁତ୍ର ଓ ସାଧକ ମାନଙ୍କ ପଥକୁ ଅନୁସରଣ କରି ଜନ୍ମଭୂମି ପ୍ରତି ଉତ୍ସର୍ଗୀକୃତ ମନୋଭାବ ପୋଷଣ ସହ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନର ବିକଶିତ ଭାରତ ଓ ସମୃଦ୍ଧ ଓଡିଶା ଗଠନରେ ନିଜର ବଳିଷ୍ଠ ଯୋଗଦାନ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଥିଲେ।
କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂଙ୍କ ବାସଗୃହ ପରିସରରେ ତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ। କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ, ବରଗଡ଼ ବିଧାୟକ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ଶ୍ରୀ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା, ବିଶିଷ୍ଟ କୋଶଳି କବି ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ଶହୀଦ ମାଧୋ ସିଂଙ୍କ ଦାୟଦ ଶ୍ରୀଯୁକ୍ତ ଲୋକେଶ୍ୱର ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରମେୟର ପ୍ରମୁଖ ଖବର: ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି, ଆହୁରି ମାସେ ପାଇଁ PUCC ଅବଧି ବୃଦ୍ଧି କଲେ ସରକାର