ନୂଆଦିଲ୍ଲୀ ୨୦/୦୭ : ପ୍ଲାଷ୍ଟିକ କବଳରୁ ମୁକୁଳିବ ବିଶ୍ବ। କାରଣ ଆମାଜନ ଜଙ୍ଗଲରୁ ମିଳିଲା ପ୍ଲାଷ୍ଟିକ ଖାଉଥିବା ଅଦ୍ଭୁତ ଫଙ୍ଗସ୍। ସମୁଦ୍ରରୁ ସହର ପର୍ଯ୍ୟନ୍ତ ପ୍ଲାଷ୍ଟିକର ଆତଙ୍କ କିନ୍ତୁ ଏବେ ଏହାର ଶେଷ ପାଇଁ ପ୍ରକୃତି ଦେଇଛି ନୂଆ ଅସ୍ତ୍ର। ଆଜ୍ଞା ହଁ ବୈଜ୍ଞାନିକମାନେ ଏମିତି ଏକ ଆବିଷ୍କାର କରିଛନ୍ତି ଯାହା ଏହି ସମସ୍ୟାର ସମାଧାନ କରିପାରିବ। ଆମାଜନ ରେନଫରେଷ୍ଟରୁ ଏମିତି ଏକ ଫଙ୍ଗସ୍ ଚିହ୍ନଟ ହେଇଛି, ଯାହା ପ୍ଲାଷ୍ଟିକକୁ ମୂଳରୁ ଶେଷ କରିପାରିବ।
ଗବେଷଣା ଅନୁସାରେ, ଏହି ଫଙ୍ଗସର ନାମ Pestalotiopsis microspora। ଏବଂ ଏହା ଆମାଜନ ଜଙ୍ଗଲରୁ ମିଳିଥିଲା। ବୈଜ୍ଞାନିକମାନେ ପରୀକ୍ଷା ସମୟରେ ଦେଖିଥିଲେ ଯେ, ଏହି ଫଙ୍ଗସ ପଲିଥିନ୍ ଏବଂ ବଟଲ ପରି ପ୍ଲାଷ୍ଟିକ ଜିନିଷକୁ ଧୀରେ ଧୀରେ ନଷ୍ଟ କରିପାରୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏହା ଅକ୍ସିଜେନ୍ କମ୍ ଥିବା ପରିବେଶରେ ମଧ୍ୟ ବଞ୍ଚିପାରେ ଓ ପ୍ଲାଷ୍ଟିକକୁ ମୂଳରୁ ଶେଷ କରିପାରେ ।
ଆହୁରି ପଢନ୍ତୁ :-ଓଡ଼ିଶାରେ ୨ଟି ଭାସମାନ ସୌର ବିଦ୍ୟୁତ ପ୍ରକଳ୍ପ ପାଇଁ ଆଗେଇଲା କାମ, ଫ୍ଲୋଟିଂ ସୋଲାର୍ ଫୋଟୋଭଲଟାଇକ୍ ପ୍ରକଳ୍ପ ପାଇଁ ଜଳଭଣ୍ଡାର ଖୋଜା
ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଏହି ଫଙ୍ଗସ୍ polyester polyurethane ପରି ପ୍ଲାଷ୍ଟିକକୁ ନିଜର ଖାଦ୍ୟ ଭାବେ ବ୍ୟବହାର କରେ। ଅର୍ଥାତ୍ ଏହା ପ୍ଲାଷ୍ଟିକକୁ ଭାଙ୍ଗି ତାହା ମଧ୍ୟରୁ ଶକ୍ତି ଗ୍ରହଣ କରିପାରେ। ଯଦି ଏହି ପ୍ରକ୍ରିୟାକୁ ଔଦ୍ୟୋଗିକ ସ୍ତରରେ ବିକଶିତ କରାଯାଏ, ତେବେ ବିଶ୍ବରେ ଜମା ହୋଇଥିବା ଲକ୍ଷ ଲକ୍ଷ ଟନ୍ ପ୍ଲାଷ୍ଟିକ ଆବର୍ଜନାକୁ କମାଇବାରେ ବଡ଼ ସହାୟତା ମିଳିପାରେ।
ବର୍ତ୍ତମାନ ସମୟରେ ପ୍ଲାଷ୍ଟିକ ନଷ୍ଟ ହେବାକୁ ଶହ ଶହ ବର୍ଷ ଲାଗୁଥିବାବେଳେ, ଏହି ପ୍ରାକୃତିକ ଫଙ୍ଗସ୍ ସେହି ପ୍ରକ୍ରିୟାକୁ ଅନେକ ଗୁଣ ତ୍ୱରାନ୍ୱିତ କରିପାରେ ବୋଲି ଆଶା କରାଯାଉଛି। ପରିବେଶବିଦଙ୍କ ଅନୁଯାୟୀ ପ୍ରକୃତି ମଧ୍ୟରେ ଏଭଳି ଅନେକ ଅଜଣା ଜୀବ ଲୁଚି ରହିଛନ୍ତି, ଯେଉଁମାନେ ମାନବ ସୃଷ୍ଟି ସମସ୍ୟାର ସମାଧାନ କରିପାରନ୍ତି ।
ଏହି ଗବେଷଣା ପରେ ଆମାଜନ୍ ଜଙ୍ଗଲ ପ୍ରତି ବୈଜ୍ଞାନିକମାନଙ୍କ ଆଗ୍ରହ ଆହୁରି ବଢ଼ିଛି । ଗବେଷକମାନେ ଏବେ ଏହି ଫଙ୍ଗସର କାର୍ଯ୍ୟ ପ୍ରଣାଳୀ, ଏହାର ଏନଜାଇମ୍ ଓ ବ୍ୟାପକ ବ୍ୟବହାର ନେଇ ଅଧିକ ଅଧ୍ୟୟନ କରୁଛନ୍ତି । ଯଦି ସବୁକିଛି ସଫଳ ହୁଏ, ତେବେ ଆଗାମୀ ଦିନରେ ପ୍ଲାଷ୍ଟିକ୍ ପ୍ରଦୂଷଣ ବିରୋଧରେ ଏହା ଏକ ପ୍ରାକୃତିକ ଓ ପ୍ରଭାବଶାଳୀ ଅସ୍ତ୍ର ହୋଇପାରେ।